ପୁଲିସର କଡା ପହରା ଭିତରେ ସରିଲା ମାଳି ପର୍ବତର ଜନଶୁଣାଣି । ଜଗି ରହିଥିଲେ ୨୧ ପ୍ଲାଟୁନ ପୁଲିସ ଫୋର୍ସ ।

165

କନକ ବ୍ୟୁରୋ : ପୁଲିସ ଛାଉଣି ଭିତରେ ସରିଲା ମାଳି ପର୍ବତର ଜନ ଶୁଣାଣି । ପରିବେଶ ମଞ୍ଜୁରି ପାଇଁ ଜନ ଶୁଣାଣିରେ ମିଳିଛି ଅନୁମତି । ଜନ ଶୁଣାଣିରେ ସୁରକ୍ଷା ପାଇଁ ଜଗି ରହିଥିଲେ ୨୧ ପ୍ଳାଟୁନ ପୋଲିସ ଫୋର୍ସ । ରାସ୍ତା ଠାରୁ ସଭାସ୍ଥଳ ପର୍ଯ୍ୟନ୍ତ ତାର ବାଡ ଲାଗିଲା । ବାହାର ଲୋକଙ୍କୁ ମାଳି ପର୍ବତ ଭିତରକୁ ଯିବାକୁ ମନା ହୋଇଥିଲା । ଜନଶୁଣାଣି ସରିବା ପର୍ଯ୍ୟନ୍ତ ହିଣ୍ଡାଲକୋ ଅଧିକାରୀ ଓ ଜିଲ୍ଳା ପ୍ରଶାସନ ଉପରେ ପୁଲିସର କଡା ନଜର ରହିଥିଲା ।

ହିଣ୍ଡାଲ-କୋ ପକ୍ଷରୁ କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ସ୍ଥିତ କଙ୍କଡ଼ା ଆମ୍ବ ଗାଁରେ ବକ୍ସାଇଟ୍ ଖନନ ପାଇଁ ପରିବେଶ ମଞ୍ଜୁରି ଜନଶୁଣାଣି ହେଉଛି । ଜନ ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି । ସେପ୍ଟେମ୍ବର ୨୧ରେ ହୋଇଥିବା ଘଟଣାର ଯେପରି ପୁନରାବୃତି ନହୁଏ ସେଥିପାଇଁ ପୁଲିସ ପୂରା ସଜାଗ ଅଛି । ଜନ ଶୁଣାଣିରେ ଜିଲ୍ଳା ପ୍ରଶାସନ ଓ ହିଣ୍ଡାଲକୋ କମ୍ପାନିର ଅଧିକାରୀ ସମେତ ୭୦ଟି ଗାଁର ଲୋକେ ଉପସ୍ଥିତ ରହିଛନ୍ତି । ତେଣୁ ମାଳି ପର୍ବତକୁ ଜଗି ରହିଛନ୍ତି ୨୧ ପ୍ଲାଟୁନ ଫୋର୍ସ ।

୨୬୮ ହେକ୍ଟର ପରିମିତ ମାଳି ପର୍ବତରୁ ବାର୍ଷିକ ୦.୬ ନିୟୁତ ଟନ୍ ବକ୍ସାଇଟ୍ ଉତ୍ତୋଳନ କରିବାକୁ ଲକ୍ଷ୍ୟ ରଖିଛି ହିଣ୍ଡାଲ-କୋ । ଏଥିପାଇଁ ସରକାରଙ୍କ ପକ୍ଷରୁ ଅନୁମତି ମିଳିଛି । ହେଲେ ପରିବେଶ ମଂଜୁରି ପାଇଁ ପଲ୍ଲିସଭା ମାଧ୍ୟମରେ ଗ୍ରାମବାସୀଙ୍କ ଅନୁମତିର ଆବଶ୍ୟକ ଥିଲା । ତେଣୁ ସେପ୍ଟମ୍ବର ୨୧ ତାରିଖରେ ଜନଶୁଣାଣିର ଆୟୋଜନ ହୋଇଥିଲା । ସେଦିନ ଜନଶୁଣାଣି ରଣକ୍ଷେତ୍ର ପାଲଟିଥିଲା, ବିପକ୍ଷବାଦୀ ଅସ୍ତ୍ରଶସ୍ତ୍ର ଧରି ଅଧିକାରୀଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଥିଲେ ।

ସେ ଦିନର ଘଟଣାକୁ ମନେ ପକାଇ ସୋମବାରର ଜନଶୁଣାଣିକୁ ପୁଲିସ ପହରା ଭିତରେ ରଖାଯାଇଥିଲା । ଜାତୀୟ ରାଜପଥ ଠାରୁ ସଭାସ୍ଥଳ ପର୍ଯ୍ୟନ୍ତ ପୁଲିସ ଛାଉଣି କରାଯାଇଥିଲା । ୨ ଜଣ ଅତିରିକ୍ତ ଏସପି, ୬ ଜଣ ଡ଼ିଏସପି ଓ ୧୨ ଜଣ ଆଇଆଇସିଙ୍କ ନେତୃତ୍ୱରେ ୨୧ ପ୍ଳାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ । ଗ୍ରାମବାସୀଙ୍କ ଦାବି ଅଧିକାରୀ ମାନିନେବା ପରେ ଜନଶୁଣାଣି ଶେଷ ହୋଇଛି । ତେବେ ପରିବେଶ ମଞୁରି ମିଳିବା ପରେ ମାଳି ପର୍ବତର ଭାଗ୍ୟ କେଉଁ ଆଡ଼କୁ ଗତି କରୁଛି ତାକୁ ଦେଖିବାକୁ ବାକି ରହିଲା ।