ମହାପ୍ରଭୂ ଜଗନ୍ନାଥ ଭକ୍ତଙ୍କ ପାଇଁ ଖୁସି ଖବର: ଜଗା ଦର୍ଶନ ପାଇଁ ୨୧ ରୁ ଦରକାର ପଡିବ ନାହିଁ କୋଭିଡ୍ ସାର୍ଟିଫିକେଟ; ୩୦ ହଜାର ଭକ୍ତଙ୍କ ଦର୍ଶନ ପାଇଁ ପ୍ରସ୍ତୁତ ହେଉଛି ଶ୍ରୀମନ୍ଦିର ପ୍ରଶାସନ

121

କନକ ବ୍ୟୁରୋ : ଜଗନ୍ନାଥଙ୍କ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଦେଲା ଖୁସିଖବର । ଜାନୁଆରୀ ୨୧ ତାରିଖରୁ ବିନା କୋଭିଡ ପରୀକ୍ଷାରେ ଭକ୍ତମାନେ  ମହାପ୍ରଭୂଙ୍କ ଦର୍ଶନ କରିପାରିବେ । ଏନେଇ ପ୍ରଶାସନ ପକ୍ଷରୁ ଏସଓପିରେ ପରିବର୍ତ୍ତନ କରାଯାଇଛି । ଧିରେ ଧିରେ କରୋନା କଟକଣା ହଟାଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ କରାଇବାକୁ ପ୍ରସ୍ତୁତ ହୋଇଛି ପ୍ରଶାସନ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ କ୍ରିଷନ କୂୁମାର । ହେଲେ ୨୧ ଜାନୁଆରୀ ଯାଏ ପୂର୍ବ ଏସଓପି ଜାରି ରହିବ । ଏହାସହ ପୁରୀବାସୀଙ୍କ ପାଇଁ ସକାଳ ୬ ଟାରୁ ଦର୍ଶନ ସୁବିଧା ଦିଆଦିବ ।

ଦୀର୍ଘଦିନ ହେବ କରୋନା ମହାମାରୀ ପାଇଁ ମନ୍ଦିର ଭିତରେ ମହାପ୍ରଭୂଙ୍କ ଦର୍ଶନ ବନ୍ଦ କରାଯାଇଥିଲା । ହେଲେ ରାଜ୍ୟର କରେନା ସ୍ଥିତି ଟିକେ ସ୍ୱଭାବିକ ହେବା ପରେ ଡିସେମ୍ବର ୨୩ ତାରିଖରୁ ମହାପ୍ରଭୂଙ୍କୁ ଭକ୍ତମାନେ ଦର୍ଶନ କରିବାର ସୁଯୋଗ ପାଇଥିଲେ । ହେଲେ କୋଭିଡ କଟକଣା ଭିତରେ ସମସ୍ତ ଭକ୍ତଙ୍କୁ ଦର୍ଶନର ସୁବିଧା ଦିଆଯାଇ ନଥିଲା । ଯେଉଁମାନେ କୋଭିଡ ନେଗେଟିଭ୍ ରିପୋର୍ଟ ଦେଖାଉଥିଲେ ସେହିମାନଙ୍କୁ କେବଳ ଦର୍ଶନର ସୁବିଧା ମିଳୁଥିଲା । ହେଲେ ଏନେଇ ଦୂର ଦୂରାନ୍ତରୁ ଆସୁଥିବା ଭକ୍ତମାନେ କୋଭିଡ୍ ଟେଷ୍ଟ କରି ମହାପ୍ରଭୂଙ୍କୁ ଦର୍ଶନ କରିବା ସମ୍ଭବ ହୋଇପାରୁ ନଥିଲା ।

ଏହାର ସମାଧାନ ପାଇଁ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୂଙ୍କ ଦର୍ଶନ ପାଇଁ ଜାରୀ ହୋଇଥିବା ଏସଓପିରେ କିଛି ପରିବର୍ତ୍ତନ କରି ଚଳିତ ମାସ ୨୧ ତାରିଖରୁ ବିନା କୋଭିଡ ରିପୋର୍ଟରେ ଭକ୍ତମାନେ ଜଗା ଦର୍ଶନ କରିପାରିବେ ବୋଲି କୁହାଯାଇଛି ।