କରୋନା ବ୍ୟୁରୋ : କରୋନା ପାଇଁ କଟକରେ କେତେ ସଚେତନ ଲୋକ । ସରକାର ବାରମ୍ୱାର କରୋନା ମୁକାବିଲା ନେଇ ଲୋକଙ୍କୁ ସଚେତନ କରିବାକୁ ଉଦ୍ୟମ କରୁଥିଲେ ମଧ୍ୟ ଅନେକ ଲୋକ ଅଛନ୍ତି ଯେଉଁମାନେ ବ୍ୟବସ୍ଥାକୁ ଗ୍ରହଣ କରିବାକୁ ନାରାଜ । କଟକ ଛତ୍ରବଜାରରେ । ସକାଳେ ଶହ ଶହ ଲୋକ ହାଟରେ ଜମା ହୋଇଥିଲେ ପରିବା କିଣିବାକୁ । ଲୋକଙ୍କ ମଧ୍ୟରେ ହାଟରେ ସାମାଜିକ ଦୂରତା ରକ୍ଷା କରିବାକୁ ପ୍ରାୟ ଦୋକାନ ଆଗରେ ପଡିଥିଲା ଗୋଲେଇ ଦାଗ । ଏହି ଚିହ୍ନ ଏଥିପାଇଁ ଥିଲା , ହାଟରେ ପରିବା କିଣିବା ସମୟରେ ଏହି ଗୋଲେଇ ଚିହ୍ନ ମଧ୍ୟରେ ରହି କେହି କାହାକୁ ସ୍ପର୍ଶ ନକରି , ସାମାଜିକ ଦୂରତା ବଜାୟ ରଖି ପରିବା କିଣିବେ । କଟକ ଚୌଧୁରୀ ବଜାରରେ ଏହି ନିୟମକୁ କିନ୍ତୁ ଅନେକ ଲୋକ ଅଣଦେଖା କରୁଥିବା ଦେଖିବାକୁ ମିଳିଛି ।
ସେପଟେ ୨୧ ଦିନର ତାଲାବନ୍ଦ ନିଷ୍ପତି ଭିତରେ କରୋନା ଭୂତାଣୁରୁ ବଂଚିବା ପାଇଁ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଉଛି । ଏଥିପାଇଁ ଶ୍ରୀକ୍ଷେତ୍ର ପୁରୀରେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଦୋକାନକୁ ସଉଦା ଏବଂ ପନିପରିବା କିଣିବାକୁ ଆସୁଥିବା ଗ୍ରାହକଙ୍କ ପାଇଁ ରାସ୍ତା ଉପରେ ବକ୍ସ ଆକୃତିର ସ୍ଥାନ ତିଆରି କରାଯାଇଛି । ଗୋଟିଏରୁ ଆଉ ଗୋଟିଏ ସ୍ଥାନକୁ ୧ ରୁ ୨ ଫୁଟ ଦୂରତା ରହିଛି । ଫଳରେ ଜିନିଷ କିଣିବା ବେଳେ ଗ୍ରାହକ ଏକାସଙ୍ଗେ ଭିଡ ନକରି ପଛକୁ ପଛ ଧାଡିରେ ଏବଂ ନିର୍ଦ୍ଦିଷ୍ଟ ଦୂରତାରେ ଠିଆ ହୋଇପାରିବେ । ଫଳରେ ସଂକ୍ରମଣକୁ ଏଡାଇ ଦିଆଯାଇପାରିବ । ଲୋକଙ୍କୁ ପନିପରିବା, ସଉଦା, କ୍ଷୀର, ଫଳ ଭଳି ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଅନୁମତି ଦିଆଯାଇଥିବା ବେଳେ ଦୋକାନରେ ପ୍ରବଳ ଭିଡ ଲାଗୁଥିବା ଦେଖାଯାଇଥିଲା ।
ଏପଟେ ତାଲାବନ୍ଦ ପରେ ବି ଖୋର୍ଧା ପରିବା ବଜାରରେ ଭିଡ ଦେଖିବାକୁ ମିଳିଛି । ବଜାରଘାଟ ବନ୍ଦ ରହିଛି । କିନ୍ତୁ ଅନେକ ସ୍ଥାନରେ ଲୋକେ ଏହାକୁ ମାନୁନାହାନ୍ତି । ଅନେକ ସ୍ଥାନରେ ଲୋକେ ଭିଡ ଜମାଉଛନ୍ତି । କିନ୍ତୁ କରୋନାକୁ ଦୃଷ୍ଟିରେ ରଖି ଭଂଜନଗର ଅଂଚଳରେ ବି ଆଲର୍ଟ ଜାରି କରାଯାଇଛି । ବାହାରେ କାମ କରୁଥିବା ଅନେକ ଲୋକ ଭଞ୍ଜନଗରକୁ ଆସିଛନ୍ତି । ସରକାରଙ୍କ ଗାଇଡଲାଇନ ଅନୁସାରେ ୯୯୮ ଜଣ ଭଂଜନଗର ବ୍ଲକରେ ପଞ୍ଜିକୃତ ହୋଇଛନ୍ତି । ଆଉ ୫ ଶହରୁ ଅଧିକ ଲୋକଙ୍କ ଘରେ ସଂଗରୋଧ ଫର୍ମ ଲଗାଯାଇଛି । ଫର୍ମ ଚିରିଲେ ଫୌଜଦାରୀ ମାମଲା ରୁଜୁ ହେବ ବୋଲି ଚେତାବନୀ ବି ଦିଆଯାଇଛିା । ଭଂଜନଗରରେ ଦିନ ୧୨ଟା ପରେ ଖୋଲାଯାଇଥିବା ଦୋକାନକୁ ତାଗିଦ କରାଯାଇଛି ।