କନକ ବ୍ୟୁରୋ : ବିହାରର ବକ୍ସରରେ ବଡ ରେଳ ଦୁର୍ଘଟଣା । ବକ୍ସର ଜିଲ୍ଲା ରଘୁନାଥପୁର ରେଳ ଷ୍ଟେସନ ନିକଟରେ ନର୍ଥ ଇଷ୍ଟ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦିଲ୍ଲୀର ଆନନ୍ଦ ବିହାରରୁ ଗୌହାଟି କାମାକ୍ଷନଗର ଯାଉଥିବା ନର୍ଥ ଇଷ୍ଟ ଏକ୍ସପ୍ରେସର ୨୧ଟି ବଗି ଲାଇନଚ୍ୟୁତ ହେବାରୁ ବଡ ଦୁର୍ଘଟଣା ଘଟିଛି । ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଓ ଶତାଧିକ ଲୋକ ଆହତ ହୋଇଛନ୍ତି । ୨୦ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ପାଟନା ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।

Advertisment

ଅନ୍ୟ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଲାଇନଚ୍ୟୁତ ହୋଇଥିବା ଟ୍ରେନ ୨୧ଟି କୋଚ ମଧ୍ୟରେ ୨ଟି ଏସିକୋଚ ଥିବା ଜଣାପଡିଛି । ଦୁର୍ଘଟଣା ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ରେଳ ବିଭାଗ ଅଧିକାରୀ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ପହଞ୍ଚାଇଛନ୍ତି । ସେହିପରି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇ ଦିଆଯାଇଛି ।

ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାହା ଜଣାପଡି ନାହିଁ । ନର୍ଥ ଇଷ୍ଟ ଏକ୍ସପ୍ରେସ ଲାଇନଚ୍ୟୁତ ହେବା ପରେ ଡିଡିୟୁ-ପାଟନା ରେଳପଥରେ ଯାତାୟତ ପ୍ରଭାବିତ ହୋଇଛି, ଏକାଧିକ ଟ୍ରେନର ରୁଟ ବଦଳିଛି । ଗୋଟିଏ ଟ୍ରେନକୁ ବାତିଲ କରାଯାଇଥିବା ବେଳେ ୧୮ଟି ରେଳର ଗତିପଥ ବଦଳାଇ ଦିଆଯାଇଛି । ଟ୍ରେନ୍ ଦୁର୍ଘଟଣାରେ ଉଦ୍ଧାର କାମ ଶେଷ ହୋଇଥିବା ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରେଳମନ୍ତ୍ରୀ ।

ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ପରିବାର ପ୍ରତି ସମବେଦନା ଜଣାଇବା ସହ ଘଟଣାର କାରଣ ଖୋଜା ଯିବ ବୋଲି କହିଛନ୍ତି । ଷ୍ଟେସନରେ ଫସି ରହିଥିବା ଯାତ୍ରୀଙ୍କୁ ନିଜ ଗନ୍ତବ୍ୟସ୍ଥଳକୁ ନେବା ପାଇଁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ସେହିପରି ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନ୍ ଚୌବେ । କିପରି ହେଲା ଏତେ ବଡ଼ ଦୁର୍ଘଟଣା ସେନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

କେମିତି ହେଲା ଦୁର୍ଘଟଣା ?

- ଟ୍ରେନ୍ ଦୁର୍ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ଟ୍ରେନର ଗାର୍ଡ
- ନର୍ମାଲ ସ୍ପିଡରେ ଚାଲୁଥିଲା ନର୍ଥ ଇଷ୍ଟ ଏକ୍ସପ୍ରେସ୍
- ହଠାତ୍ ଟ୍ରେନରେ ବ୍ରେକ୍ ମାରିଥିଲେ ଟ୍ରେନର ଡ୍ରାଇଭର
- ଏହା ପରେ ଗାଡିରେ ଧୀରେ ଧୀରେ ଝଟକା ଲାଗିଲା
- କିଛି ସମୟ ମଧ୍ୟରେ ଏକ ବଡ ଝଟକା ଅନୁଭୂତ ହୋଇଥିଲା
- ପ୍ରଥମେ ଏସି ଥ୍ରୀ ଟାୟରର ଦୁଇଟି ବଗି ଓଲଟି ପଡ଼ିଥିଲା
- ଏହା ପରେ ଗୋଟିଏ ପରେ ଗୋଟିଏ ବଗି ଓଲଟି ପଡ଼ିଥିଲା
- ୨୧ଟି ବଗି ଲାଇନଚ୍ୟୁତ ହେବାରୁ ବଡ଼ ଦୁର୍ଘଟଣା ଘଟିଥିଲା