କନକ ବ୍ୟୁରୋ : ୨୦୨୪ ନିର୍ବାଚନରେ ମୋଦୀଙ୍କୁ ଟକ୍କର ଦେବା ପାଇଁ ଏକାଠି ହୋଇଛନ୍ତି ବିରୋଧୀ । ପାଟନା ପରେ ବେଙ୍ଗାଲୁରୁରେ ବିରୋଧୀ ଦଳଙ୍କ ଆୟୋଜିତ ହୋଇଛି ଦୁଇ ଦିନିଆ ବୈଠକ । ଏହି ବୈଠକର କଂଗ୍ରେସ ନେତୃତ୍ୱ ନେଉଛି। କଂଗ୍ରେସର କହିବା କଥା ହେଲା, ଏଥିରେ ୨୬ ଦଳ ସାମିଲ ହୋଇଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବିରୋଧୀ ନେତାଙ୍କ ପାଇଁ ନୈଶ୍ୟ ଭୋଜି ଦେଇଛନ୍ତି ।

Advertisment

ଏଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ସଭାପତି ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର, ଝାଡଖଣ୍ଡ ମୁଖମନ୍ତ୍ରୀ ହେମନ୍ତ ସୋରେନ ସାମିଲ ହୋଇଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ, ଆରଜେଡି ମୁଖ୍ୟ ଲାଲୁ ଯାଦବ, ଶିବସେନା ଉଦ୍ଧବ ଗୋଷ୍ଠୀ ମୁଖ୍ୟ ଉଦ୍ଧବ ଠାକରେ ବି ଏଥିରେ ଯୋଗଦେଇଛନ୍ତି । ଆଜି ଶରଦ ପାୱାର ବୈଠକରେ ସାମିଲ ହେବେ ।

ଆଜି ସବୁ ବିରୋଧୀ ଦଳ ୨୦୨୪ ରଣନୀତି ନେଇ ବିଧିବଦ୍ଧ ଆଲୋଚନା କରିବେ । ସାଧାରଣ ସର୍ବନିମ୍ନ କାର୍ଯ୍ୟସୂଚୀ, ରାଜ୍ୟୱାରି ଆସନ ଭାଗବଣ୍ଟା ଓ ମେଣ୍ଟର ନୂଆ ନାଁ ନେଇ ଆଲୋଚନା ହୋଇପାରେ । ୟୁପିଏର ଚେୟାରମ୍ୟାନ ଭଳି ନୂଆ ମେଂଟ ବି ଜଣେ ଚେୟାରମ୍ୟାନ ରହିପାରନ୍ତି । ଆଉ ସବୁଠାରୁ ବଡ ଦଳ ଭାବେ କଂଗ୍ରେସ ଏଥିପାଇଁ ଦାବି କରିପାରେ । ୨୩ ଜୁନରେ ପାଟନାରେ ହୋଇଥିବା ବୈଠକରେ ନୀତିଶ କୁମାରଙ୍କୁ ସଂଯୋଜକ କରିବା ସପକ୍ଷରେ ଅନେକ ବିରୋଧୀ ଦଳ ମତ ଦେଇଥିଲେ ।