୨୦୨୪ ନିର୍ବାଚନରେ କାହାକୁ ଟିକେଟ୍ ଦେବ ବିଜେଡି ! ଏବେଠୁ ଆରମ୍ଭ ହେଲାଣି ଅଙ୍କକଷା, ବୟସ୍କ ନେତାଙ୍କ କଟିପାରେ ଟିକେଟ୍

627

କନକ ବ୍ୟୁରୋ : ସୂର୍ଯ୍ୟ ନାରାୟଣ ପାତ୍ର, ଅନନ୍ତ ଦାସ, ପ୍ରଫୁଲ୍ଲ ସାମଲ, ବଦ୍ରି ନାରାୟଣ ପାତ୍ର, ପ୍ରଫୁଲ୍ଲ୍ ମଲ୍ଲିକ, ଉଷା ଦେବୀ, ଜିତୁ ମିତ୍ର, ନିତ୍ୟାନନ୍ଦ ସାହୁ, ସାବିତ୍ରୀ ଅଗ୍ରଓାଲଙ୍କ ଭଳି କିଛି ଚର୍ଚ୍ଚିତ ରାଜନେତା ସକ୍ରିୟ ରାଜନୀତିରୁ ଦୂରେଇ ଯାଇପାରନ୍ତି । ଅସୁସ୍ଥତା ଓ ବୟସାଧିକ କାରଣରୁ ୨୦୨୪ ପ୍ରତ୍ୟେକ୍ଷ ନିର୍ବାଚନରେ ଭାଗ ନେଇନପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସୂର୍ଯ୍ୟ ନାରାୟଣ ପାତ୍ର, ପୂର୍ବତନ ବାଚସ୍ପତି, ଦିଗପହଣ୍ଡିର ବିଧାୟକ, ବୟସ ୭୫ ଅତିକ୍ରମ କଲାଣି । ୧୯୯୦ ରୁ ୨୦୧୯ ପର୍ଯ୍ୟନ୍ତ ଲଗାତର ୬ଥର ବିଧାନସଭାକୁ ନିର୍ବାଚନ ହୋଇ ଆସୁଛନ୍ତି । ଅନେକବାର ମନ୍ତ୍ରୀ ମଧ୍ୟ ହୋଇଛନ୍ତି । କିନ୍ତୁ ବାଚସ୍ପତି ପଦ ଗଲା ପରେ ସେ ସଂପୂର୍ଣ୍ଣ ଅସୁସ୍ଥ । ପ୍ରତ୍ୟକ୍ଷ ରାଜନିତିରୁ ଦୂରେଇ ଯାଇଛନ୍ତି । ତାଙ୍କ ଗଡ ସମ୍ଭାଳିବା ପାଇଁ ଆଗକୁ ଆସିଲେଣି ତାଙ୍କ ପୁଅ ବିପ୍ଲବ ପାତ୍ର ।

ପ୍ରଫୁଲ୍ଲ ସାମଲ, ଭଣ୍ଡାରିପୋଖରୀର ବିଧାୟକ । ଉପକୂଳ ଓଡିଶାର ଜଣେ ଟାଣୁଆ ନେତା । ଇଏ ବି ଲଗାତର ୬ ଥର ବିଧାନସଭାକୁ ନିର୍ବାଚନ ହୋଇ ଆସୁଛନ୍ତି । ବୟସ ୭୬ ହେଲାଣି, ସକ୍ରିୟ ଥିଲେ ବି ବୟସାଧିକ କାରଣରୁ ଆଗକୁ ନିର୍ବାଚନ ଲଢିନପାରନ୍ତି । ସେପଟେ ବାପାଙ୍କ ଉତରାଧିକାରୀ ହେବାକୁ ପୁଅ ପ୍ରସ୍ତୁତ ।

ଅନନ୍ତ ଦାସ, ଭୋଗରଇର ବିଧାୟକ ୨୦୦୪ରୁ ୨୦୧୯ ପର୍ଯ୍ୟନ୍ତ ଲଗାତର ୪ ଥର ବିଧାନସଭାକୁ ନିର୍ବାଚନ ହୋଇଛନ୍ତି । ବୟସ ୮୨ ଧରିଲାଣି । ବୟସାଧିକ କାରଣରୁ ଆଗାମୀ ନିର୍ବାଚନ ଲଢି ନପାରନ୍ତି । ପୁଅକୁ ପଂଚାୟତ ନିର୍ବାଚନରେ ମୈଦାନକୁ ଓହ୍ଲାଇ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ଅନନ୍ତ ।

ବଦ୍ରି ନାରାୟଣ ପାତ୍ର, ଘଷିପୁରା ବିଧାୟକ । ବୟସ ୮୦ ପ୍ଲସ । ୬ ଥରର ବିଧାୟକ, ଶାରୀରିକ ଅସୁସ୍ଥା ଯୋଗୁଁ ନିର୍ବାଚନ ମଣ୍ଡଳୀର ସଂଗଠନ ଦାୟିତ୍ୱ ନିଜ ପୁଅ ହାତକୁ ଟେକି ଦେଇଛନ୍ତି । କୁହାଯାଉଛି ଆଗକୁ ନିଜେ ନଲଢି ପୁଅ ପାଇଁ ଟିକେଟ ଲବି ଜୋରାଦାର କଲେଣି ବଦ୍ରି ।

ଉଷା ଦେବୀ. ଚିକିଟି ବିଧାୟିକା । ଦକ୍ଷିଣ ଓଡିଶାରେ ବିଜେଡିର ମହିଳା ଚେହେରା । ନଗର ଉନ୍ନୟନ ବିଭାଗର ମନ୍ତ୍ରୀ । ବୟସ ୭୧ ଅତିକ୍ରମ କଲାଣି । ଚର୍ଚ୍ଚା ହେଉଛି ନିଜେ ନିର୍ବାଚନ ନଲଢି ପରିବାର ପାଇଁ ଟିକେଟ କଥା ଚିନ୍ତା କଲେଣି ରାଣୀ ଉଷା ଦେବୀ ।

ଏମାନଙ୍କ ବ୍ୟତିତ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରଓାଲ , କାମାକ୍ଷାନଗର ବିଧାୟକ ତଥା କ୍ୟାବିନେଟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବୟସାଧିକ କାରଣ ଯୋଗୁଁ ଆଗାମୀ ନିର୍ବାଚନ ଲଢି ନପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ବାଲିକୁଦା ବିଧାୟକ ରଘୁ ନନ୍ଦନ ଦାସ, ମହେଶ୍ୱର ମହାନ୍ତ,ି ପଦ୍ନନାଭ ବେହେରାଙ୍କୁ ମଧ୍ୟ ନିର୍ବାଚନ ମୈଦାନକୁ ବିଜେଡି ଓହ୍ଲାଇବ କି ନାହିଁ ସେନେଇ ଚାଲିଛି ବିଚାର ବିମର୍ଷ ।