କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଚଳଚଚଂଳ ହେଲାଣି ରାଜ୍ୟ ରାଜନୀତି । ସମର୍ଥନ ଯୋଗାଡ ପାଇଁ ଆରମ୍ଭ ହୋଇଗଲାଣି ନେତାଙ୍କ କାର୍ଯ୍ୟକ୍ରମ । ଏହାରି ଭିତରେ ବଦଳିବ କି ଜୟପୁର ରାଜନୈତକ ସମୀକରଣ । ଲଗାତର ଭାବେ କଂଗ୍ରେସ ହାତକୁ ଚାଲି ଯାଇଥିବା ଜୟପୁର ବିଧାନସଭା ଆସନ ଅକ୍ତିଆର କରିବା ପାଇଁ ବିଜେଡିରେ ଚାଲିଛି ମାନସ ମନ୍ଥନ । କାହାକୁ ପ୍ରାର୍ଥୀ କଲେ, ମିଳିବ ସଫଳତା, ତାକୁ ନେଇ ଚାଲିଛି ଅଙ୍କକଷା । ବୈଠକ ପରେ ବୈଠକ କରି ପ୍ରାର୍ଥୀ ଓ ପରାଜୟର କାରଣ ଖୋଜୁଛି ବିଜେଡ଼ି ।

Advertisment

ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୪ଟି ଆସନ ମଧ୍ୟରୁ ଜୟପୁର ବିଧାନସଭା ହେଉଛି ଅଣସଂରକ୍ଷିତ ଆସନ । ଲଗାତର ୨ଟି ନିର୍ବାଚନରେ କଂଗ୍ରେସ ହାତେଇ ଥିବା ଜୟପୁର ଆସନକୁ ୨୦୨୪ରେ ନିଜ ଦଖଲକୁ ନେବାକୁ ବିଜେଡି ଉଦ୍ୟମ କରୁଛି । ପରାଜୟର କାରଣ ଖୋଜି ବିଜୟ ବାନା ଉଡାଇବାକୁ ଦଳ ଆଶା ରଖିଛି । ଏଥିପାଇଁ ଛାତ୍ର, ଯୁବ, ବରିଷ୍ଠ ଓ କନିଷ୍ଠଙ୍କୁ ନେଇ ବାରମ୍ବାର ବୈଠକ କରୁଛନ୍ତି ବିଜେଡିର ବରିଷ୍ଠ ନେତା ଓ ବିଜେଡ଼ି ସମର୍ଥିତ ସରପଂଚ ।

ଜୟପୁର ବିଧାନସଭା ଆସନ ବିଜେଡି ପାଇଁ ସ୍ୱାଭିମାନ ଓ ସମ୍ମାନର ପ୍ରଶ୍ନ । ୨୦୨୪ରେ ଜୟପୁର ଜୟ ପାଇଁ ଦଳ କାହାକୁ ବିଧାନସଭା ପ୍ରାର୍ଥୀ କରିବ? ତା ଉପରେ ସମସ୍ତଙ୍କ ନଜର ରହିଛି । ୨୦୧୪ ଓ ୨୦୧୯ରେ ରବି ନନ୍ଦଙ୍କ ଉପରେ ଭରସା କରି, ପରାଜିତ ହୋଇଛି ବିଜେଡି । ତେଣୁ ଏଥର ପ୍ରାର୍ଥୀ ବଦଳାଇବ ନା ପୁଣି ରବି ନନ୍ଦଙ୍କ ଉପରେ ଭରସା କରିବ, ତାକୁ ନେଇ ଚର୍ଚ୍ଚା ହେଉଛି । ସେପଟେ ଜୟପୁର ବିଧାୟକ କହିଛନ୍ତି, କଂଗ୍ରେସ ସହ ଜୟପୁର ଜନତା ରହିଛନ୍ତି । ବିଜେଡ଼ି ଯେତେ ରଣନୀତି କଲେ ବି ତାଙ୍କୁ କୌଣସି ଫରକ ପଡ଼ିବ ନାହିଁ ।

୨୦୨୪ ନିର୍ବାଚନରେ ଜୟପୁରରୁ ବିଜେଡି ଟିକେଟ୍ରେ ଲଢିବା ପାଇଁ ଦୁଇ ଜଣ ନେତା ରେସ୍ରେ ଅଛନ୍ତି । ପୂର୍ବରୁ ଦୁଇ ଥର ପରାଜିତ ହୋଇଥିବା ରବି ନନ୍ଦ ଓ ଇଶ୍ୱର ପାଣିଗ୍ରାହୀଙ୍କ ନାଁ ଚର୍ଚ୍ଚା ହେଉଛି । ତେବେ ଦଳ ଏମାନଙ୍କ ଉପରେ ଭରସା କରିବ ନା ନୂଆ ମୁହଁ ସାମ୍ନାକୁ ଆଣିବ ତାକୁ ଅପେକ୍ଷା କରାଯାଇଛି ।