କନକ ବ୍ୟୁରୋ : ଶିଳ୍ପ ସମୃଦ୍ଧ ରାଜଗାଙ୍ଗପୁର ସିମେଂଟ ନଗରୀ ଭାବେ ପରିଚିତ । ରାଜଗାଂଗପୁର ବ୍ଲକର ୨୦ଟି ପଂଚାୟତ,କୁତ୍ରା ବ୍ଲକର ୧୬ଟି ପଂଚାୟତ ଏବଂ ଲାଠିକଟା ବ୍ଲକର ୧୧ଟି ପଂଚାୟତ ସହିତ ରାଜଗାଙ୍ଗପୁରର ପୌରାଂଚଳକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀ । ୨୦୧୯ ନିର୍ବାଚନରେ ଏହି ଆସନରୁ ବିଜୟୀ ହୋଇଥିଲେ କଂଗ୍ରେସ ପ୍ରାର୍ଥୀ । କିନ୍ତୁ ୨୦୨୪ରେ ଭୋଟର କେଉଁ ଦଳକୁ ଭରସା କରିବେ, ତାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । କୁହାଯାଉଛି, ଏହି ନିର୍ବାଚନମଣ୍ଡଳୀ ଆଦିବାସୀ ବହୁଳ ହୋଇଥିବାରୁ ଆଦିବାସୀଙ୍କ ଅଧିକାର ଓ ବେକାରୀ ସମସ୍ୟା ଆଗାମି ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ପାଲଟିବ ।

Advertisment

୨୦୧୯ରେ ବିଜେଡି ପ୍ରାର୍ଥୀ ମଂଗଳା କିସାନଙ୍କୁ, କଂଗ୍ରେସ ପ୍ରାର୍ଥୀ ସିଏସ୍ ରାଜନ ଏକ୍କା ହରାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । କିନ୍ତୁ ଏଥର ମଂଗଳାଙ୍କୁ ପୁଣି ଥରେ ଏହି ଆସନରୁ ବିଜେଡି ଟିକେଟ ଦେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଆଉ ଏହାରି ଭିତରେ ରାଜଗାଂଗପୁରରୁ ବିଜେଡି ଜଣେ ମହିଳାଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ଯାହା ରାଜଗାଂଗପୁର ରାଜନୀତିକୁ ସରଗରମ କରିଛି ।

ସେହିପରି ବିଜେପି ମଧ୍ୟ ଏହି ଆସନ ଉପରେ ନଜର ରଖିଛି । କିନ୍ତୁ ଏଥର କାହା କାହା ମଧ୍ୟରେ ଲଢ଼େଇ ହେବ ତାହା ସ୍ପଷ୍ଟ ହୋଇନାହିଁ । ୧୯୮୫ ପରଠାରୁ ଏହି ଆସନକୁ ମଂଗଳା କିସାନଙ୍କ ଗଡ ବୋଲି କୁହାଯାଉଥିଲା । ହେଲେ, ୨୦୨୪ କଣ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି ।