କନକ ବ୍ୟୁରୋ : ଆଜି ବିଧାନସଭାରେ ବଜେଟ୍ ଉପସ୍ଥାପନ ହେବ । ଅପରାହ୍ଣରେ ଆଗାମୀ ଆର୍ଥିକ ବର୍ଷ ପାଇଁ ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଗତବର୍ଷ ତୁଳନାରେ ଏବର୍ଷ ପ୍ରାୟ ୧୫ ପ୍ରତିଶତ ବଜେଟ୍ ବଢିବ ବୋଲି ଆକଳନ କରାଯାଇଛି । କିନ୍ତୁ ଖର୍ଚ୍ଚ ଭରଣା ପାଇଁ ପୁଣି ଋଣ ଉପରେ ଭରସା କରିବାକୁ ପଡିପାରେ । ଗତ ବର୍ଷ ବଜେଟ ୨ ଲକ୍ଷ କୋଟି ଟଙ୍କା ଥିଲା ।

ଏଥର ଅଢେଇ ଲକ୍ଷ କୋଟି ଟଙ୍କାର ବଜେଟ୍ ଆସିବ ବୋଲି ଆକଳନ କରାଯାଇଛି । ଟିକସ ଭାଗ ବାବଦକୁ ଓଡ଼ିଶା କେନ୍ଦ୍ର ସରକାରଙ୍କ ଠାରୁ ଚଳିତ ବର୍ଷ ୧୦ ହଜାର କୋଟି ଟଙ୍କା ଅଧିକ ପାଇବ । କିନ୍ତୁ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇବ ବୋଲି ଆଳକନ କରାଯାଇଛି । ବଜେଟ୍ରେ ବିଶେଷକରି ସ୍ୱାସ୍ଥ୍ୟ, ମହିଳା ଏବଂ କୃଷି କ୍ଷେତ୍ରକ ଅଧିକ ଗୁରୁତ୍ୱ ଦିଆଯାଇପାରେ ବୋଲି କୁହାଯାଉଛି । ୨୦୨୪ରେ ନିର୍ବାଚନ ଥିବାରୁ ଏହି ବଜେଟ୍ ବିଜେଡି ପାଇଁ ଗୁରୁତ୍ୱ ବହନ କରିବ ବୋଲି ମଧ୍ୟ କୁହାଯାଉଛି ।

ରାଜ୍ୟ ବଜେଟ୍ : ବଢିପାରେ ବ୍ୟୟ ଅଟକଳ

- ପାଖାପାଖି ୧୫ ପ୍ରତିଶତ ବଢିପାରେ ବ୍ୟୟ ଅଟକଳ
- ପାଖାପାଖି ଅଢେଇ ଲକ୍ଷ ରହିବାରେ ବଜେଟ୍ ଆକାର
- ୨୦୨୨-୨୩ରେ ବଜେଟ୍ ଆକାର ଥିଲା ୨ ଲକ୍ଷ କୋଟି
- ଟିକସ ଭାଗ ବାବଦରେ କେନ୍ଦ୍ରରୁ ୧୦ ହଜାର କୋଟି ଅଧିକ ପାଇବ ଓଡ଼ିଶା
- ଚଳିତ ବର୍ଷ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇବା ଆକଳନ
- ଜିଏସଟି ସୂତ୍ରରୁ ପାଖାପାଖି ୧୨ ପ୍ରତିଶତ ବଢିପାରେ ଆୟ
- ଅଣ ରାଜସ୍ୱ ଆୟ, ଖଣି ରାଜସ୍ୱ ଅଭିବୃଦ୍ଧି ସୀମିତ ରହିପାରେ
- ଡିସେମ୍ବର ମାସ ସୁଦ୍ଧା ମୋଟ୍ ରାଜସ୍ୱ ଆୟ ବଜେଟର ମାତ୍ର ୬୨ ପ୍ରତିଶତ ଆଦାୟ ହୋଇଥିଲା
- ବଜେଟ୍ ଆକଳନ ଥିଲା ୧ ଲକ୍ଷ ୬୩ ହଜାର କୋଟି
- ଡିସେମ୍ବର ସୁଦ୍ଧା ଆୟ ହୋଇଥିଲା ୧ ଲକ୍ଷ ୧ ହଜାର କୋଟି
- କେନ୍ଦ୍ରୀୟ ଅନୁଦାନ ମିଳିଥିଲା ମାତ୍ର ୯ ହଜାର ୮୮୧ କୋଟି
- ବଜେଟ୍ ଆକଳନର ମାତ୍ର ୩୦ ପ୍ରତିଶତ ଅର୍ଥ ମିଳିଥିଲା

ବିଶ୍ୱରେ ଦେଖାଦେଇଥିବା ପ୍ରତିକୂଳ ପରିସ୍ଥିତି ସତ୍ୱେ ଓଡ଼ିଶାରେ ଅର୍ଥନୀତି ଦ୍ରୁତ ବେଗରେ ଆଗକୁ ବଢିଛି । ଅର୍ଥନୈତିକ ସର୍ଭେ ରିପୋର୍ଟରେ ରାଜ୍ୟର ଅର୍ଥନୀତିକୁ ନେଇ ଗୋଲାପୀ ଚିତ୍ର ଆଙ୍କିଛନ୍ତି ରାଜ୍ୟ ସରକାର ।

ମୁଣ୍ଡପିଛା ଆୟ ଦେଢଲକ୍ଷ

- ୨୦୨୩-୨୪ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୮ ପ୍ରତିଶତରୁ ୮.୫ ପ୍ରତିଶତ ରହିବା ଆକଳନ
- ଚଳିତ ଆର୍ଥିକ ବର୍ଷରେ ଅର୍ଥନୀତି ୭.୮ ପ୍ରତିଶତ ବୃଦ୍ଧି ପାଇବା ଆକଳନ
- ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ମୁଣ୍ଡପିଛା ଆୟ ୧ ଲକ୍ଷ ୫୦ ହଜାର ୬୭୬ ଟଙ୍କା
- ରୋଜଗାର ବୃଦ୍ଧି ଉପରେ ଜୋର ଦେଇଛନ୍ତି ରାଜ୍ୟ ସରକାର
- ମହିଳାଙ୍କ ଆତ୍ମନିଯୁକ୍ତି କ୍ଷେତ୍ରରେ ଜାତୀୟ ହାରଠାରୁ ଅଧିକ ସଫଳତା ପାଇଛି ଓଡ଼ିଶା
- ରାଜ୍ୟର ହାରାହାରି ମାସିକ ମୁଦ୍ରାସ୍ଫୀତି ମଧ୍ୟ ଜାତୀୟ ହାର ଠାରୁ କମ୍
- ୨୦୨୨-୨୩ ଆର୍ଥିକ ବର୍ଷରେ କୃଷି ଅଭିବୃଦ୍ଧି ୬ ପ୍ରତିଶତ ହୋଇପାରେ
- ଶିଳ୍ପ କ୍ଷେତ୍ରରେ ୬.୦୫ ପ୍ରତିଶତ ବୃଦ୍ଧି ପାଇବା ଆଶା
- ସେବା କ୍ଷେତ୍ର ୮.୭୯ ପ୍ରତିଶତ ଆଗକୁ ବଢ଼ିବା ଆକଳନ