ଆରବ ସାଗରରେ ଆସୁଛି ଚଳିତ ବର୍ଷର ପ୍ରଥମ ବାତ୍ୟା ‘ତଉକତେ’…

2,384

କନକ ବ୍ୟୁରୋ: ଆରବ ସାଗରରେ ସୃଷ୍ଟି ହେବାକୁ ଯ଼ାଉଛି ଚଳିତ ବର୍ଷର ପ୍ରଥମ ସାମୁଦ୍ରିକ ବାତ୍ୟା । ଆଗାମୀ କିଛି ଦିନ ମଧ୍ୟରେ ଆରବ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯ଼ାଉଛି ଓ ଏହା ଆସନ୍ତା ୧୬ ତାରିଖ ବେଳକୁ ଆହୁରି ଘନୀଭୂତ ହୋଇ ଏକ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯ଼ାଇଛି । ସେହିପରି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ପକ୍ଷରୁ ମଧ୍ୟ ଏହି ବାତ୍ୟା ସୃଷ୍ଟି ହେଉଥିବା ସ୍ପଷ୍ଟ କରିଛି । ଯ଼ଦି ଏହି ବାତ୍ୟା ସୃଷ୍ଟି ହୁଏ ତେବେ ତାହାର ନାମ ରଖାଯ଼ିବ ତଉକତେ । ମିଆଁମାର ପକ୍ଷରୁ ଏହି ନାମକରଣ କରାଯ଼ାଇଛି ।

ଆରବ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରୁ ଆସନ୍ତାକାଲି ଠାରୁ ଲାକ୍ଷାଦ୍ବୀପ, କେରଳ, କର୍ଣ୍ଣାଟକ, ତାମିଲନାଡ଼ୁ ଆଦି ରାଜ୍ୟରେ ବର୍ଷା ଆରମ୍ଭ ହୋଇଯ଼ିବ ଓ ତାହା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ବାତ୍ୟା ପ୍ରଭାବରେ କୋମରିନ ଉପକୂଳ ଓ ପୂର୍ବକେନ୍ଦ୍ରୀୟ ଆରବ ସାଗର ଅଞ୍ଚଳରେ ସମୁଦ୍ର ଅଶାନ୍ତ ରହିବ ଓ ପ୍ରାୟ ୫୦ କିଲୋମିଟର ବେଗରେ ପବନ ବୋହିବ । ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯ଼ିବାକୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯ଼ାଇଛି ।