୨୦୨୧ ହେବ ଦରମା ବୃଦ୍ଧିର ବର୍ଷ : ୮୭% କଂପାନି କର୍ମଚାରୀଙ୍କ ବଢିବ ବେତନ !

2,030

କନକ ବ୍ୟୁରୋ : ବେତନ ଉପରେ ନିର୍ଭରଶୀଳ ଲୋକମାନଙ୍କ ପାଇଁ ଖୁସି ଖବର । ଆସନ୍ତା ବର୍ଷରେ କଂପାନିଗୁଡ଼ିକ କର୍ମଚାରୀଙ୍କ ଦରମା ବଢ଼ାଇବା ଉପରେ ବିଚାର କରୁଛନ୍ତି । ଏଅନ୍ ସାଲାରି ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ଆସନ୍ତା ବର୍ଷ ପ୍ରାୟ ୬୧ ପ୍ରତିଶତ କଂପାନି କର୍ମଚାରୀଙ୍କ ଦରମା ୫-୧୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇବାକୁ ଯୋଜନା ରଖିଛନ୍ତି । ଚଳିତ ବର୍ଷ କରୋନା ମହାମାରୀ ପ୍ରଭାବ ଯୋଗୁଁ ଅନେକ କଂପାନି ବେତନ ବୃଦ୍ଧିକୁ ବନ୍ଦ ରଖିଛନ୍ତି । ମାତ୍ର ୪୫ ପ୍ରତିଶତ କଂପାନି କର୍ମଚାରୀମାନଙ୍କ ବେତନ ବଢ଼ାଇଛନ୍ତି ।

ଅନେକ ସଂସ୍ଥା ବାଧ୍ୟ ହୋଇ କିଛି କର୍ମଚାରୀଙ୍କୁ ଛଟେଇ କରିଥିବା ବେଳେ ଆଉ କିଛି ସଂସ୍ଥା କର୍ମଚାରୀଙ୍କ ଦରମା ହ୍ରାସ କରିଛନ୍ତି । ୨୦୨୧ରେ କିନ୍ତୁ ଏଭଳି ସ୍ଥିତି ରହିବ ନାହିଁ। ବିଶ୍ୱସ୍ତରୀୟ ସଂସ୍ଥା ଏଅନ୍ ପକ୍ଷରୁ କରାଯାଇଥିବା ସର୍ଭେରୁ ସକାରାତ୍ମକ ସଙ୍କେତ ମିଳିଛି । ଏହି ସର୍ଭେରେ ଦେଶର ୨୦ଟି ଶିଳ୍ପ କ୍ଷେତ୍ରର ୧୦୫୦ଟି କଂପାନିକୁ ସାମିଲ କରାଯାଇଥିଲା । ପ୍ରଯୁକ୍ତି, ସୂଚନା ପ୍ରଯୁକ୍ତି, ଆଇଟିଇଏସ୍‌, ଲାଇଫ୍‌ ସାଇନ୍‌ସ, ଇ-କମର୍ସ, ରାସାୟନିକ ଏବଂ ବୃତ୍ତିଗତ ସେବା ପ୍ରଦାନ କରୁଥିବା କ୍ଷେତ୍ରର ସଂସ୍ଥାଗୁଡ଼ିକ କର୍ମଚାରୀମାନଙ୍କ ଦରମା ବଢ଼ାଇବା ଉପରେ ବିଚାର କରୁଛନ୍ତି ।