ରାଜ୍ୟ ପୋଲିସ ବିଭାଗରେ ନିଯୁକ୍ତି ପାଇଁ ସୁଯୋଗ ! ୨୦୨୧ଟି ପଦବୀ ହେବ ପୂରଣ, ଆସିଷ୍ଟାଣ୍ଟ ପବ୍ଲିକ ପ୍ରସିକ୍ୟୁଟର ପାଇଁ ମଧ୍ୟ ନିଯୁକ୍ତି ଦେବେ ସରକାର ।

38

କନକ ବ୍ୟୁରୋ: ଯୁବ ପିଢୀମାନଙ୍କ ପାଇଁ ଖୁସି ଖବର । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ୨୦୨୧ଟି ଭିନ୍ନ ଭିନ୍ନ ପଦବୀରେ ନିଯୁକ୍ତି ପାଇଁ ନିଷ୍ପତି ନିଆଯାଇଛି । ୩୪୧ଟି ସିପାହୀ ଓ କନେଷ୍ଟବଳ ଏବଂ ୪୬ ଏପିପି ପଦବୀ ପାଇଁ ରାଜ୍ୟ ସରକାର ନିଷ୍ପତି ଗ୍ରହଣ କରିଛନ୍ତି । ଏଥିସହିତ ୧୫୪ ଜଣ ଶିକ୍ଷକଙ୍କୁ ନିଯୁକ୍ତି ମିଳିଛି ।

ସୂଚନା ମୁତାବକ, ରାଜ୍ୟରେ ୩୪୧ଟି ସିପାହୀ ଓ କନେଷ୍ଟବଳ ପଦବୀ ପୁରଣ ପାଇଁ ରାଜ୍ୟ ସରକାର ନିଷ୍ପତି ଗ୍ରହଣ କରିଛନ୍ତି । ମୁକ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏହି ପଦବୀ ପୁରଣ ପାଇଁ ନିଷ୍ପତି ନିଆଯାଇଛି । ପୂର୍ବରୁ ୧୬୮୦ଟି ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ବେଳେ ଆଉ ୩୪୧ଟି ପଦବୀ ପୂରଣ ପାଇଁ ସରକାରଙ୍କ ନିଷ୍ପତି ଯୋଗୁ ସମୁଦାୟ ୨୦୨୧ଟି ସିପାହୀ ଓ କନେଷ୍ଟବଳ ପଦବୀ ପୂରଣ କରାଯିବ । ସେହିପରି ୪୬ଟି ନୂଆ ଏପିପି ପଦବୀ ପୂରଣ ପାଇଁ ମଧ୍ୟ ସରକାର ନିଷ୍ପତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏ ସଂକ୍ରାନ୍ତୀୟ ଏକ ପ୍ରସ୍ତାବକୁ ଅନୁମୋଦିତ କରିଛନ୍ତି ।

ଉଲ୍ଲେଖ ଯୋଗ୍ୟ କି, ଏପିପି କ୍ୟାଡରରେ ୨୦୯ଟି ପଦବୀ ରହିଛି । ନିକଟରେ ୧୪୮ଟି ଏପିପି ପଦବୀ ପୂରଣ କରାଯାଇଛି ଏବଂ ବର୍ତ୍ତମାନ ଏହି ପଦବୀରେ ୧୬୩ ଜଣ ଅଧିକାରୀ କାର୍ଯ୍ୟରତ ଅଛନ୍ତି । ବାକି ୧୪୧ଟି ପଦବୀ ଓପିଏସସି ଜରିଆରେ ପୂରଣ କରିବା ପାଇଁ ଅନୁମୋଦନ କରାଯାଇଛି ।

ସେହିପରି ସ୍ନାତ୍ତକୋତ୍ତର ଶିକ୍ଷକ ପଦବୀ ପାଇଁ ୧୫୪ ଜଣ ପାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି । ଓପିଏସସି ଜରିଆରେ ୨୩୦ଟି ଗ୍ରୁପ-ବି ପାହ୍ୟାର ଶିକ୍ଷକ ପଦବୀ ପୂରଣ କରିବା ପାଇଁ ଅନୁମୋଦନ କରାଯାଇଥିବା ବେଳେ ଏହା ୧୫୪ ଜଣ ପାର୍ଥୀଙ୍କୁ ମନୋନିତ କରିଛି । ସେମାନଙ୍କୁ ଖୁବ ଶିଘ୍ର ନିଯୁକ୍ତି ପତ୍ର ପ୍ରଦାନ କରାଯିବ ।