ବଜେଟ ୨୦୨୧ : ସ୍ୱାଧୀନତା ପରେ ପ୍ରଥମଥର ପାଇଁ ପ୍ରିଣ୍ଟ କରାଯିବ ନାହିଁ ବଜେଟ୍ ଦସ୍ତାବିଜ୍ । ଜାଣନ୍ତୁ କ’ଣ ରହିଛି କାରଣ

136

କନକ ବ୍ୟୁରୋ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବଜେଟ୍ ଦସ୍ତାବିଜ୍ ପ୍ରିଣ୍ଟ କରାଯିବ ନାହିଁ । । ୧୯୪୭ ମସିହାରେ ପରେ ଏହା ପ୍ରଥମ ଥର ପାଇଁ ହେବାକୁ ଯାଉଛି କି ବଜେଟ୍ ଦସ୍ତାବିଜ୍ ପ୍ରିଣ୍ଟ କରାଯିବ ନାହିଁ । ଚଳିତ ବର୍ଷ ବଜେଟ୍ ଦସ୍ତାବିଜର ସଫ୍ଟ କପି ବ୍ୟବହାର କରିବାକୁ ଲୋକସଭା ଓ ରାଜ୍ୟସଭାର ସାଂସଦ ମାନଙ୍କୁ ସଚିବାଳୟ ପକ୍ଷରୁ ଅନୁରୋଧ କରାଯାଇଛି ।

ଏକ ଜାତୀୟ ଇଂଗ୍ରାଜୀ ଗଣମାଧ୍ୟମର ସୂଚନା ମୁତାବକ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରିଣ୍ଟିଂ ପ୍ରକ୍ରିୟାକୁ ସ୍ଥଗିତ ରଖା ଯାଇଛି । କହିରଖୁ କି ଦେଶରେ ପ୍ରଥମଥର ପାଇଁ ୧୯୪୭ ମସିହା ନଭେମ୍ବର ୨୬ ତାରିଖରେ ୟୁନିୟନ ବଜେଟର ଦସ୍ତାବିଜ୍ ପ୍ରିଣ୍ଟ କରାଯାଇଥିଲା । ଏହାପରେ ପ୍ରତିବର୍ଷ ବଜେଟ ପାଇଁ ଦସ୍ତାବିଜ୍ ପ୍ରିଣ୍ଟ ହୋଇ ଆସୁଥିଲା ।

ପ୍ରତିବର୍ଷ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ହଲୱା ସମାରୋହର ଆୟୋଜନ କରାଯାଇଥାଏ । ଯେଉଁଥିରେ କି ବଜେଟ୍ ଦସ୍ତାବିଜ୍ ପ୍ରିଣ୍ଟ କାମରେ ନିୟୋଜିତ ହୋଇଥିବା ସମସ୍ତ କର୍ମଚାରୀ ମାନଙ୍କୁ ଅର୍ଥମନ୍ତ୍ରୀ ହଲୱା ବାଣ୍ଟିଥା’ନ୍ତି । ଏହାପରେ ବଜେଟ୍ ସହିତ ଜଡିତ ସମସ୍ତ କାଗଜର ପ୍ରିଣ୍ଟିଂ କାମ ଆରମ୍ଭ ହୋଇଥାଏ । ଏହି ପ୍ରିଣ୍ଟିଂ ନର୍ଥବ୍ଲକର ବେସ୍ମେଣ୍ଟରେ କରାଯାଇଥାଏ ।

କୁହାଯାଏ କି ଏହି ପ୍ରିଣ୍ଟିଂ କାମରେ ପ୍ରାୟ ୧ ଶହରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଥା’ନ୍ତି । ସମ୍ପୁର୍ଣ୍ଣ ପ୍ରିଣ୍ଟିଂ କାମ ସରିବାକୁ ପ୍ରାୟତ ୨ ସପ୍ତାହ ସମୟ ଲାଗିଥାଏ । ତେଣୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଏହି ପ୍ରିଣ୍ଟିଂ ବ୍ୟବସ୍ଥାକୁ ବନ୍ଦ କରାଯାଇଛି । ତେଣୁ ପ୍ରତ୍ୟେକ ସାଂସଦ ମାନେ ସଫ୍ଟ କପି ମାଧ୍ୟମରେ ବଜେଟ ଦସ୍ତାବିଜ୍ ପାଇବେ ବୋଲି କୁହାଯାଇଛି ।