କିଏ ହେବ ବିହାର ମୁଖ୍ୟମନ୍ତ୍ରୀ? ବିହାରରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ: ଆଜି ପାଟନାରେ ବସିବ ଏନଡିଏର ବିଧାୟକ ଦଳ ବୈଠକ

ରାଜନାଥଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ନାଁରେ ବାଜିବ ମୋହର

165

କନକ ବ୍ୟୁରୋ: ବିହାରରେ କିଏ ହେବ ମୁଖ୍ୟମନ୍ତ୍ରୀ । ଆଜି ଏନଡିଏ ବିଧାୟକ ଦଳ ବୈଠକ ବସିବ । ଏଥିରେ ବିଧାୟକ ଦଳ ନେତା ବଛାଯିବ । ପାଟନାରେ ହେବାକୁ ଥିବା ଏନଡିଏର ବିଧାୟକ ଦଳ ବୈଠକରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ରାଜନାଥଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ନାମରେ ମୋହର ବାଜିବ । ବିହାରରେ ମୁଖ୍ୟମନ୍ତ୍ରୀ ଭାବେ ନୀତିଶ କୁମାରଙ୍କୁ ପୁଣି ଥରେ ମୋହର ମାରିଛି ବିଜେପି । ନୀତିଶଙ୍କୁ ବିଜେପି ଓ ଜେଡିୟୁ ନେତାମାନେ ମୁଖ୍ୟମନ୍ତ୍ରୀ ପଦ ପାଇଁ ରାଜି କରାଇଥିବା ଜଣାପଡିଛି । କେବଳ ନାଁ ଘୋଷଣାକୁ ଅପେକ୍ଷା କରାଯାଇଛି । କିନ୍ତୁ ଉପମୁଖ୍ୟମନ୍ତ୍ରୀ ପଦ ନେଇ କେଁ ରହିଛି ।

ଉପମୁଖ୍ୟମନ୍ତ୍ରୀ ଭାବେ ନୂଆ ଚେହେରାକୁ ସାମ୍ନାକୁ ଆଣିପାରେ ବିଜେପି । ମିଳିଥିବା ଖବର ଅନୁସାରେ, ସୁଶୀଲ ମୋଦିଙ୍କୁ ଦିଲ୍ଲୀ ପଠାଇବାକୁ ଚାହିୁଁଛି ବିଜେପି । ଦଳିତ ଭୋଟବ୍ୟାଙ୍କକୁ ନଜରରେ ରଖି ସୁଶୀଲ ମୋଦିଙ୍କ ସ୍ଥାନରେ ଜଣେ ଦଳିତ ନେତାଙ୍କୁ ବିହାରର ଉପମୁଖ୍ୟମନ୍ତ୍ରୀ କରିବାକୁ ଚାହିଁଛି ଦଳ । କିନ୍ତୁ ନୀତିଶ କୁମାର ଏଥିରେ ରାଜିନଥିବା ଜଣାପଡିଛି । ତେବେ ଏ ନେଇ ଜେଡିୟୁ ଓ ବିଜେପି ମଧ୍ୟରେ କଥାବାର୍ତା ଚାଲିଛି । ରାମବିଳାସ ପାଶୱାନଙ୍କ ପରଲୋକ ପରେ ବିହାରରୁ ଗୋଟିଏ ରାଜ୍ୟସଭା ଆସନ ଖାଲିପଡିଛି । ତେଣୁ ଏହି ଆସନରେ ସୁଶୀଲ ମୋଦିଙ୍କୁ ପଠାଇବାକୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଚାହିଁଛନ୍ତି । କିନ୍ତୁ ଏ ନେଇ କୌଣସି ଚୂଡାନ୍ତ ନିଷ୍ପତି ହୋଇନାହିଁ । ଏଥରର ଜନାଦେଶ , ଜେଡିୟୁ ଠାରୁ ଅଧିକ ବିଜେପିକୁ ରହିଛି । ତେଣୁ ଏନଡିଏ ମେଂଟ ପାଇଁ ଏହି ସଂଖ୍ୟା ଆଣିଛି ରାଜନୈତିକ ଜଟିଳତା ।

ମେଂଟରେ ବିଜେପି ବଡଭାଇ ଭାବେ କଣ ନିଷ୍ପତି ନେଉଛି ତାହା ଉପରେ ନଜର । ଆଜିର ବିଧାୟକ ଦଳ ବୈଠକ ପରେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇବ ଏନଡିଏ । ଏନଡିଏ ବୈଠକ ପୂର୍ବରୁ ପାଟନାରେ ବିଜେପି ବିଧାୟକ ଦଳର ବୈଠକ ବି ବସିବ । ନଭେମ୍ୱର ୧୬ ତାରିଖରେ ନୀତିଶ ବିହାର ମୁଖ୍ୟମନ୍ତ୍ରୀ ଶପଥ ନେବାର ସମ୍ଭାବନା ରହିଛି । ବିହାରରେ ଏନଡିଏକୁ ୧୨୫ ଆସନ ମିଳିଥିବାବେଳେ ବିରୋଧୀ ମହାଗଠବନ୍ଧନକୁ ୧୧୦ ଆସନରେ ବିଜୟୀ ହୋଇଛି ।