କନକ ବ୍ୟୁରୋ: ଲୋକଙ୍କ ପାଖରେ ରହିଛି ଦୁଇ ପ୍ରକାର ଭୋଟର କାର୍ଡ। ଗୋଟିଏ ଓଡ଼ିଶାର, ଅନ୍ୟଟି ଆନ୍ଧ୍ରର। ଉଭୟ ରାଜ୍ୟର ଭୋଟ ଗୋଟିଏ ଦିନରେ ହେବ। ତେଣୁ ଲୋକେ କେମିତି ଭୋଟ ଦେବେ ଓ କେଉଁ ରାଜ୍ୟ ପାଇଁ ଭୋଟ ଦେବେ ତାକୁ ନେଇ ଆରମ୍ଭ ହୋଇଯାଇଛି ଛକାପଞ୍ଝା। ଇଏ ହେଉଛି କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତର ବିବାଦୀୟ ଗାଁ ଗୁଡିକର ଅବସ୍ଥା। ଏଠାରେ ଭୋଟ ଗ୍ରହଣ ପାଇଁ କୋରାପୁଟ ପ୍ରଶାସନ ଅଣ୍ଟା ଭିଡିଥିଲା ବେଳେ ଆନ୍ଧ୍ର ବି ପଛରେ ନାହିଁ। ତେଣୁ ନିର୍ବାଚନ ସମୟରେ ଦୁଇ ରାଜ୍ୟ ମୁହାଁମୁହିଁ ହେବାର ଆଶଙ୍କା ଜଳ ଜଳ ଦିଶିଲାଣି।
/kanak/media/post_attachments/wp-content/uploads/2018/07/kotia-300x199.jpg)
କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତର ୨୧ଟି ଗାଁ ଓ ୭ଟି ପଡାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଛି। କୋଟିଆ ପଞ୍ଚାୟତର ଲୋକସଂଖ୍ୟା ୭ ହଜାରରୁ ଅଧିକ ହୋଇଥିଲାବେଳେ ବିବାଦୀୟ ଗ୍ରାମ ଗୁଡିକରେ ପାଖାପାଖି ୫ ହଜାର ଲୋକ ରହୁଛନ୍ତି। ବିବାଦୀୟ ଗ୍ରାମର ଭୋଟର ସଂଖ୍ୟା ୩ ହଜାରରୁ ଅଧିକ ଅଛନ୍ତି। ଭୋଟ ଗ୍ରହଣ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଥିଲେ ମଧ୍ୟ କୋଟିଆବାସୀ କେଉଁଠି ଭୋଟ ଦେବେ ତାକୁ ନେଇ ଉଠିଛି ସମସ୍ୟା। ଓଡ଼ିଶାର ପଟାଙ୍ଗୀ ନିର୍ବାଚନମଣ୍ଡଳୀରେ ଥିବା ଏହି ଗ୍ରାମ ଗୁଡିକ ଆନ୍ଧ୍ରର ସାଲୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ରହିଛି। ଉଭୟ ପଟାଙ୍ଗୀ ଓ ସାଲୁରରେ ଗୋଟିଏ ଦିନରେ ନିର୍ବାଚନ ହେଉଛି।
ଏପ୍ରିଲ ୧୧ ତାରିଖରେ ହେବାକୁ ଥିବା ଏହି ନିର୍ବାଚନ ପାଇଁ ଦୁଇ ରାଜ୍ୟ କସରତ ଚଳାଇଛନ୍ତି। ବିବାଦୀୟ ଗାଁଗୁଡିକର ଲୋକମାନଙ୍କ ପାଖରେ ଉଭୟ ରାଜ୍ୟର ଭୋଟର କାର୍ଡ ରହିଛି। ଭୋଟରମାନେ ସେମାନଙ୍କ ଇଛା ମୁତାବକ କୌଣସି ରାଜ୍ୟ ପାଇଁ ଭୋଟ ଦେଇ ପାରିବେ। କିନ୍ତୁ ଉଭୟ ରାଜ୍ୟର ଭୋଟଦାନ ପ୍ରକ୍ରିୟାରେ ଭାଗ ନେଇ ପାରିବେ ନାହିଁ। ତେଣୁ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଉଭୟ ଓଡ଼ିଶା ଓ ଆନ୍ଧ୍ର ଉଦ୍ୟମ ଆରମ୍ଭ କରି ଦେଇଛନ୍ତି।
ବିବାଦୀୟ ଅଂଚଳର ଭୋଟରଙ୍କ ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ୫ଟି ବୁଥ କରିଛି। କୋଟିଆ, ଫଗୁଣସିନେରୀ, ମାଡକାର, ରଣାସିଂହ, ଗଂଜେଇପଦରରେ ଗୋଟିଏ ଲେଖାଏଁ ବୁଥ କରାଯାଇଛି। ସମସ୍ତ ବୁଥ ଗୁଡିକୁ ଅତି ସମ୍ବେଦନଶୀଳ ବୋଲି କହିଛି ପ୍ରଶାସନ। ଅଂଚଳରେ ମାଓ ପ୍ରଭାବ ରହିଥିବାରୁ ଏଥିପାଇଁ ମଧ୍ୟ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି। ଭୋଟର ତାଲିକା ସଂଶୋଧନ କରି ଲୋକଙ୍କୁ ଭୋଟଦାନ କେନ୍ଦ୍ରକୁ ଟାଣିବାକୁ ପ୍ରଚାର ଚଳାଇଛି। ଏପଟେ ଆନ୍ଧ୍ର ବି ଛାଡ଼ିବା ମୁଡରେ ନାହିଁ। ସେମାନେ ଭୋଟରଙ୍କୁ ପ୍ରଭାବିତ କରିବାକୁ ବି ଚେଷ୍ଟା ଚଳାଇଛନ୍ତି। ଯଦିଓ ଏଠାରେ ଭୋଟ ଗ୍ରହଣ କରାଇବା ପାଇଁ ସେମାନଙ୍କର କୌଣସି ଭିତ୍ତିଭୂମି ନାହିଁ, ତଥାପି ସେମାନେ ଘରୋଇ ସ୍ଥାନରେ ଭୋଟ ଗ୍ରହଣ କରିବାକୁ ଯୋଜନା କରିଛନ୍ତି।