କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଚଳଚଂଚଳ ବିଭିନ୍ନ ରାଜନୈତିକ ଦଳ । ନିର୍ବାଚନରେ ବାଜିମାତ କରିବାକୁ ପ୍ରସ୍ତୁତ କରୁଛନ୍ତି ସ୍ୱତନ୍ତ୍ର ରଣନୀତି । ତେବେ ଏହି ନିର୍ବାଚନରେ ବହୁଳ ମାତ୍ରାରେ ଅର୍ଥ ଖର୍ଚ୍ଚ ହେବ ବୋଲି ଆକଳନ କରିଛନ୍ତି ବିଭିନ୍ନ ସର୍ଭେ ସଂସ୍ଥା । ଏହି ନିର୍ବାଚନ ବିଶ୍ୱର ସବୁଠାରୁ ବ୍ୟୟବହୁଳ ହେବ ବୋଲି ଆକଳନ କରାଯାଇଛି । ଏପରିକି ୨୦୧୬ର ଆମେରିକା ନିର୍ବାଚନଠାରୁ ଏହି ଖର୍ଚ୍ଚ ପରିମାଣ ଟପି ୬୦ହଜାର କୋଟି ଛୁଇଁବ ବୋଲି କୁହାଯାଉଛି ।

Advertisment

publive-image

ରିପୋର୍ଟ ଅନୁସାରେ, ୨୦୧୬ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଏବଂ କଂଗ୍ରେସର ନିର୍ବାଚନ ପାଇଁ ୪୬ ହଜାର ୨୧୧ କୋଟି (୬୫୦ କୋଟି ଡଲାର) ଖର୍ଚ୍ଚ ହୋଇଥିଲା। ଭାରତରେ ୨୦୧୪ ଲୋକସଭା ନିର୍ବାଚନରେ ୩୫ ହଜାର ୫୪୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ତେବେ ଭାରତରେ ୨୦୧୯ ଲୋକସଭା ନିର୍ବାଚନ ପାଇଁ ପ୍ରାୟ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି। ଏଭଳି ହେଲେ ଏହା ବିଶ୍ବର ସବୁଠାରୁ ବ୍ୟୟବହୁଳ ନିର୍ବାଚନ ହେବ ଏବଂ ଆମେରିକାର ଖର୍ଚ୍ଚଠାରୁ ଯଥେଷ୍ଟ ଆଗକୁ ଚାଲିଯିବ। ସେଣ୍ଟର ଫର ମିଡିଆ ଷ୍ଟଡିଜର ସର୍ଭେ ରିପୋର୍ଟରୁ ଜଣାପଡ଼ିଛି ଯେ ରାଜ୍ୟମାନଙ୍କ ମଧ୍ୟରେ କର୍ଣ୍ଣାଟକରେ ସବୁଠାରୁ ଅଧିକ ନିର୍ବାଚନୀ ଖର୍ଚ୍ଚ ହେଉଛି।

publive-image

କର୍ଣ୍ଣାଟକରେ ପୂର୍ବ ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ଏବଂ ସେମାନଙ୍କ ପ୍ରାର୍ଥୀଙ୍କ ଦ୍ବାରା ୯,୫୦୦ରୁ ୧୦,୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଚାର ଅଭିଯାନ ଖର୍ଚ୍ଚ ସାମିଲ ହୋଇନାହିଁ। ଏହି ସର୍ଭେରେ କୁହାଯାଇଛି ଯେ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡ଼ୁ ଅର୍ଥ ଖର୍ଚ୍ଚରେ ସବୁଠାରୁ ଆଗରେ ଅଛନ୍ତି। ବର୍ତ୍ତମାନର କେନ୍ଦ୍ର ସରକାରଙ୍କ କାର‌୍ୟ୍ୟକାଳ ୩ ଜୁନ୍, ୨୦୧୯ରେ ଶେଷ ହେବ। ଗତକାଲି ନିର୍ବାଚନ ତାରିଖ ଘୋଷଣା ହେବା ପର‌୍ୟ୍ୟନ୍ତ କେନ୍ଦ୍ର ଏବଂ ରାଜ୍ୟ ସରକାରମାନଙ୍କ ଦ୍ବାରା ସରକାରୀ ଅର୍ଥରେ କାର‌୍ୟ୍ୟକ୍ରମ ଜାରି ରହିଥିଲା ଏବଂ ଏହାକୁ ଦଳୀୟ ପ୍ରଚାର ପାଇଁ ବ୍ୟବହାର କରାଯାଉଥିବା ନଜିର ରହିଛି।