୨୦୧୯ ନିର୍ବାଚନ : ବାଜିରେ ଲାଗିବ ନେତାଙ୍କ ରାଜନୈତିକ କ୍ୟାରିୟର, ସମ୍ମାନ ଓ ଅସ୍ତିତ୍ୱ ବଞ୍ଚାଇବା ପାଇଁ ନିର୍ବାଚନ ଯୁଦ୍ଧ ମୈଦାନକୁ ଓହ୍ଲାଇବେ ହେଭିୱେଟ୍ ?

461

କନକ ବ୍ୟୁରୋ : ରାଜ୍ୟ ରାଜନୀତିରେ ୨୦୧୯ ନିର୍ବାଚନ ଅନେକ ହେଭିୱେଟ ନେତାଙ୍କ ପାଇଁ ଏସିଡ ଟେଷ୍ଟ ହେବାକୁ ଯାଉଛି । ଚଳିତ ନିର୍ବାଚନରେ ରାଜନୀତିର ଯୁଦ୍ଧ ମୈଦାନକୁ ଏମିତି କିଛି ନେତା ଓହ୍ଲାଇବାକୁ ଯାଉଛନ୍ତି ଯେଉଁମାନେ ନିଜର ରାଜନୈତିକ କ୍ୟାରିୟରକୁ ବଞ୍ଚାଇ ରଖିବା ପାଇଁ ବଡ ଲଢେଇର ସମ୍ମୁଖୀନ ହେବାକୁ ଯାଉଛନ୍ତି । ହେଭିୱେଟ ନେତାଙ୍କ ସମ୍ମାନ ଓ ଅସ୍ତିତ୍ୱର ଲଢେଇର ସାକ୍ଷୀ ରହିବ ଏହି ୨୦୧୯ ନିର୍ବାଚନ । ଏପରିକି କିଛି ନେତାଙ୍କର ଏହା ମଧ୍ୟ ଶେଷ ଲଢେଇ ହୋଇପାରେ । ତେଣୁ ଏହି ମହାଲଢେଇରେ ବାଜିମାତ୍ କରିବାକୁ ଭିନ୍ନ ଭିନ୍ନ ରଣନୀତି ସହ ମୈଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛନ୍ତି ଏହି ଯୋଦ୍ଧା ମାନେ । ଆଉ ଏମାନଙ୍କର ଟାର୍ଗେଟ ମଧ୍ୟ ସମାନ । ନବୀନଙ୍କୁ ଶାସନଗାଦିରୁ ହଟାଇବା ।

ଧର୍ମେନ୍ଦ୍ର ପ୍ରଧାନ : ରାଜ୍ୟ ବିଜେପିର ପୋଷ୍ଟରବଏ ସାଜିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ୨୦୧୯ ନିର୍ବାଚନ ସମ୍ମାନର ଲଢେଇ ଭାବେ ଉଭା ହୋଇଛି । ଓଡିଶାରୁ ନବୀନ ସରକାରକୁ ହଟାଇବାକୁ ଦିଲ୍ଲୀରୁ ପଣ କରି ଆସିଥିବା ଧର୍ମେନ୍ଦ୍ରଙ୍କ ପାଇଁ ୨୦୧୯ ନିର୍ବାଚନ କୌଣସି ପରୀକ୍ଷା ଠାରୁ ମଧ୍ୟ କମ୍ ନୁହେଁ । କାରଣ ନବୀନଙ୍କୁ ହଟାଇ ରାଜ୍ୟରେ ଗେରୁଆ ବାନା ଉଡାଇବାକୁ ବଡ ଟାସ୍କ ଧରି ଆସିଛନ୍ତି ଧର୍ମେନ୍ଦ୍ର । ଦିଲ୍ଲୀ ଦରବାରରୁ ଅଭୟ ବାଣୀ ପାଇଥିବା ଧର୍ମେନ୍ଦ୍ର ରାଜ୍ୟରୁ ନବୀନ ସରକାରକୁ ହଟାଇବାକୁ ଦୀର୍ଘ ଦିନରୁ ପ୍ରୟାସ ଜାରି ରଖିଛନ୍ତି । ତେବେ ବାରମ୍ବାର ନବୀନଙ୍କ ଷ୍ଟ୍ରାଟେଜି ଆଗରେ ଧର୍ମେନ୍ଦ୍ରଙ୍କ ରଣନୀତି ଫେଲ ମାରୁଥିବା ବେଳେ ଚଳିତ ନିର୍ବାଚନ ବିଜେପିର ପୋଷ୍ଟରବୟଙ୍କ ପାଇଁ ସମ୍ମାନର ଲଢେଇ ଭାବେ ଉଭା ହୋଇଛି । ତେବେ ଧର୍ମେନ୍ଦ୍ର ଏହି ଲଢେଇ ପାଇଁ ସେନାପତି ଭାବେ ସମରସଜ୍ଜା କରିବେ ନା ସୈନିକ ସାଜି ମୈଦାନକୁ ଓହ୍ଲାଇବେ ତାହା ସବୁଠୁ ବଡ ପ୍ରଶ୍ନ ।

ବୈଜୟନ୍ତ ପଣ୍ଡା : ସଜ ସଜ ବିଜେପିରେ ଯୋଗ ଦେଇଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଇଁ ମଧ୍ୟ ୨୦୧୯ ନିର୍ବାଚନ ସମ୍ମାନର ଲଢେଇ ଭାବେ ଉଭା ହେବାକୁ ଯାଉଛି । ୨୦୧୯ ନିର୍ବାଚନ ହିଁ ବୈଜୟନ୍ତଙ୍କ ରାଜନୈତିକ କ୍ୟାରିୟରର ଭବିଷ୍ୟତ ପାଇଁ ବାଟ ଫିଟାଇବ ବୋଲି କୁହାଯାଉଛି । ତେବେ ବୈଜୟନ୍ତଙ୍କ ପାଇଁ ଏହି ନିର୍ବାଚନ ଯୁଦ୍ଧ ଏତେ ସହଜ ହେବ ନାହିଁ । କାରଣ ବିଜେଡି ଟିକେଟରୁ ଜିତି ଆସୁଥିବା ବୈଜୟନ୍ତଙ୍କୁ ଭୋଟର ଗ୍ରହଣ କରିବେ କି ନାହିଁ ତାହା ସବୁଠୁ ବଡ ପ୍ରଶ୍ନବାଚୀ । ଏହାଛଡା ବୈଜୟନ୍ତ ପୂର୍ବରୁ ଲଢି ଆସୁଥିବା କେନ୍ଦ୍ରାପଡା ନିର୍ବାଚନମଣ୍ଡଳୀ ଅଣବିଜେପି ଓ ଅଣକଂଗ୍ରେସର ଗଡ ହୋଇ ରହିଆସିଥିବା ବେଳେ ବିଜେଡି ଗଠନ ପରଠାରୁ ଏହାକୁ ଦଖଲ କରି ରଖିଛି । ବିଜୁ ବାବୁଙ୍କ କର୍ମକ୍ଷେତ୍ର ଭାବେ ପରିଚିତ ଏହି ଆସନରେ ବୈଜୟନ୍ତ ମୈଦାନକୁ ଓହ୍ଲାଇ ବିଜୟ ଆଶା ରଖିଥିବା ବେଳେ ଇତିହାସ କିନ୍ତୁ ଭିନ୍ନ ସଂକେତ ଦେଉଛି । ଏହାଛଡା ୨୦୧୯ ନିର୍ବାଚନରେ ବୈଜୟନ୍ତ ଯଦି ନିଜକୁ ପ୍ରମାଣିତ କରି ନ ପାରିଲେ ତେବେ ତାଙ୍କର ରାଜନୈତିକ କ୍ୟାରିୟର ମଧ୍ୟ ବିପଦରେ ପଡିପାରେ ।

ବିଜୟ ମହାପାତ୍ର : ରାଜ୍ୟ ରାଜନୀତିର ଭେଟରାନ ନେତା ବିଜୟ ମହାପାତ୍ରଙ୍କ ପାଇଁ ଚଳିତ ନିର୍ବାଚନ ଏସିଡ୍ ଟେଷ୍ଟ ହେବାକୁ ଯାଉଛି । କେବେ ବିଜୁ ବାବୁଙ୍କ ପଟ୍ଟଶିଷ୍ୟ ଭାବେ ରାଜ୍ୟ ରାଜନୀତିରେ ହେଭିୱେଟ ମାନ୍ୟତା ପାଇଥିବା ଏହି ନେତା ଏବେ ନିଜର ରାଜନୈତିକ କ୍ୟାରିୟରକୁ ନେଇ ଦ୍ୱନ୍ଦରେ ରହିଛନ୍ତି । ବିଜେଡିରୁ ବିଦା ହେବା ପରେ ଦୀର୍ଘ ୧୯ ବର୍ଷ ହେବ ବିଧାନସଭା ପହଞ୍ଚିପାରି ନାହାନ୍ତି ବିଜୟ । କିନ୍ତୁ ଚଳିତ ନିର୍ବାଚନରେ ସବୁଠୁ ଅଧିକ ଫୋକସରେ ରହିଛନ୍ତି ବିଜୟ । କାରଣ ବିଜେପିକୁ ବାଏ ବାଏ କରିବାର ଅଢେଇ ମାସରୁ ଅଧିକ ସମୟ ହୋଇଯାଇଥିଲେ ମଧ୍ୟ କେଉଁ ଚିହ୍ନରେ ଚଳିତ ନିର୍ବାଚନ ମୈଦାନକୁ ଓହ୍ଲାଇବେ ବିଜୟ ତାହା ଏଯାଏଁ ସ୍ପଷ୍ଟ ହୋଇନାର୍ହି । ତେବେ ସମୟ ବିତିବା ସହ ବିଜୟଙ୍କୁ ନେଇ ଭିନ୍ନ ଭିନ୍ନ ଖବର ସାମ୍ନାକୁ ଆସୁଛି । ଏପରିକି ବିଜୟ ପୁଣିଥରେ ବିଜେଡି କ୍ୟାମ୍ପକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି । ଏଭଳି ସମ୍ଭାବନା ଚାରିପାଖେ ଘୂରିବୁଲୁଥିବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି ବିଜୟଙ୍କ ବୟାନ । ପୁରୁଣା କଥା ଭୁଲିଯାଇଥିବା କହି ସିଧାସଳଖ ନ ହେଲେ ମଧ୍ୟ ବିଜେଡିରେ ଏଣ୍ଟ୍ରି ମାରିପାରନ୍ତି ବୋଲି ଇଙ୍ଗିତ ଦେଇଛନ୍ତି ବିଜୟ । ଯଦି ଏଭଳି ନ ହୁଏ ତେବେ ବିଜୟ ମହାପାତ୍ରଙ୍କ ପାଇଁ ଚଳିତ ନିର୍ବାଚନ ସମ୍ମାନର ଲଢେଇ ଭାବେ ଉଭା ହୋଇପାରେ ।

ଦାମୋଦର ରାଉତ : ବିଜୁ ଅମଳର ଏହି ନେତା ବିଜେଡିରୁ ବିଦା ହେବା ପରେ ନବୀନ ସରକାରଙ୍କ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି ଦାମ । ରାଜନୀତିର ଏହି ପୋଖତ ଖେଳାଳି ନୂଆ ଦଳ କରି ନିର୍ବାଚନ ଯୁଦ୍ଧ ମୈଦାନକୁ ଓହ୍ଲାଇବାରେ ବିଫଳ ହେବା ପରେ ଏବେ ନିଜର ସ୍ୱପ୍ନ ପୂରଣ କରିବାକୁ ପଦ୍ମ ଧରିବେ ବୋଲି ଏକରକମ ମନ ବଳାଇ ସାରିଛନ୍ତି । ବିଜେଡିରୁ ବିଦା ହେବା ପରେ ରାଜନୀତିରେ ଦାମଙ୍କ କାଟତି କମି ଆସୁଥିବା ବେଳେ ଚଳିତ ନିର୍ବାଚନ ଦାମଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ ହେବାକୁ ଯାଉଛି । ଯଦି ଏଥିରେ ଦାମ ସଫଳ ନ ହୁଅନ୍ତି ତେବେ ଦାମଙ୍କ ରାଜନୈତିକ କ୍ୟାରିୟରରେ ଏକରକମ ପୂର୍ଣ୍ଣଛେଦ ପଡିବ ବୋଲି ଚର୍ଚ୍ଚା ହେଉଛି ।

ଖାରବେଳ ସ୍ୱାଇଁ ଓ ବ୍ରଜ ତ୍ରିପାଠୀ : ନିଜ ରାଜନୈତିକ କ୍ୟାରିୟରକୁ ଜୀବନ୍ୟାସ ଦେବାକୁ ଦୀର୍ଘ ବର୍ଷ ଧରି ଚେଷ୍ଟା ଚଳାଇଆସିଥିବା ରାଜ୍ୟ ରାଜନୀତିର ଏହି ଦୁଇ ଭେଟରାନ ନେତାଙ୍କ ପାଇଁ ୨୦୧୯ ନିର୍ବାଚନ ବଡ ଲଢେଇ ଭାବେ ଉଭା ହେବାକୁ ଯାଉଛି । ଖାସକରି ଏହି ଦୁଇ ନେତା ରାଜନୀତିରେ ନିଜର ଅସ୍ତିତ୍ୱ ବଞ୍ଚାଇବା ପାଇଁ ୨୦୧୯ ନିର୍ବାଚନ ମୈଦାନକୁ ଓହ୍ଲାଇବେ । ଏପରିକି ରାଜ୍ୟ ରାଜନୀତିରେ ସତ୍ତା ହରାଇ ଆସୁଥିବା ଏହି ଦୁଇ ନେତାଙ୍କ ପାଇଁ ଚଳିତ ନିର୍ବାଚନ ଆର-ପାରର ଲଢେଇ ହେବାକୁ ଯାଉଛି । ଯଦି ଏହି ଲଢେଇରେ ଏହି ନେତା ଦ୍ୱୟ ସଫଳ ନ ହୁଅନ୍ତି ତେବେ ଏମାନଙ୍କର ରାଜନୈତିକ କ୍ୟାରିୟରରେ ଏକରକମ ପୂର୍ଣ୍ଣଛେଦ ପଡିପାରେ ।

୨୦୧୯ରେ ନବୀନ ବନାମ ଅନେକଙ୍କ ଲଢେଇ ରାଜ୍ୟବାସୀ ଦେଖିବାକୁ ଯାଉଥିବା ବେଳେ ଏହି ନେତା ମାନେ ଏବେ ଫୋକସରେ ରହିଛନ୍ତି । କିଛି ନେତାଙ୍କ ରାଜନୈତିକ କ୍ୟାରିୟର ଚଳିତ ନିର୍ବାଚନରେ ବାଜିରେ ଲାଗିବାକୁ ଯାଉଥିବା ବେଳେ କିଛି ନେତା ସମ୍ମାନ ଓ ସ୍ୱାଭିମାନ ରକ୍ଷା କରିବା ପାଇଁ ମୈଦାନକୁ ଓହ୍ଲାଇବେ । ତେବେ ନବୀନଙ୍କୁ ମାତ୍ ଦେବାକୁ ଯେଉଁ ଚକ୍ରବ୍ୟୁହର ରଚନା କରାଯାଉଛି ସେଥିରେ ଏହି ନେତା ମାନେ କେତେ ସଫଳ ହେବେ ତାହା ନିର୍ବାଚନ ପରେ ସ୍ପଷ୍ଟ ହୋଇଯିବ ।