ଏକଜିଟ୍ ପୋଲ ସର୍ଭେର ପୂର୍ବାନୁମାନ : ୟୁପି, ଉତରାଖଣ୍ଡ, ଗୋଆ ଓ ମଣିପୁରରେ ଆଗରେ ବିଜେପି

47

କନକ ବ୍ୟୁରୋ : ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ସରିଛି । ଏବେ ମାର୍ଚ ୧୧ ତାରିଖରେ ହେବାକୁ ଥିବା ଗଣତି ଉପରେ ସମସ୍ତଙ୍କ ନଜର । କିନ୍ତୁ ଏହା ଭିତରେ ବିଭିନ୍ନ ସର୍ଭେ ସଂସ୍ଥା ଏକଜିଟ୍ ପୋଲ ମାଧ୍ୟମରେ ନିର୍ବାଚନର ଫଳାଫଳର ପୂର୍ବାନୁମାନ କରିଛି । ମିଳିଥିବା ସୂଚନା ଅନୁସାରେ, ଉତର ପ୍ରଦେଶ,ଉତରାଖଣ୍ଡ, ଗୋଆ ଓ ମଣିପୁରରେ ଶାସନ ହାତେଇପାରେ ବିଜେପି । କିନ୍ତୁ ପଂଜାବର ଫଳାଫଳର ଭିନ୍ନ ପ୍ରକାର ଜଣାପଡିଛି । ଏଠାରେ କଂଗ୍ରେସ ଓ ଆପ୍ ମଧ୍ୟରେ କଡା ଟକ୍କର ହେଉଥିବା ପୂର୍ବାନୁମାନ କରାଯାଇଛି । ତେବେ ଆନୁଷ୍ଠାନିକ ଗଣତି ଓ ଫଳାଫଳ ଉପରେ ସମସ୍ତଙ୍କ ନଜର ।

ଉତରପ୍ରଦେଶରେ କିଏ ଗଢିବ ସରକାର । ସମାଜବାଦୀ ପାର୍ଟି ଓ କଂଗ୍ରେସ ମେଂଟ ଲୋକଙ୍କ ଭରସା ଜିତିବ ନା ବିଜେପି ହାସଲ କରିବ ବହୁମତ ? ଏହି ଅଙ୍କକଷା ମଧ୍ୟରେ ଏକଜିଟ ପୋଲ ସର୍ଭେ ରାଜନୀତିକୁ ସରଗରମ କରିଛି ।

ଟାଇମ୍ସ ନାଓ ଭିଏମଆର ସର୍ଭେ କହୁଛି ଉତର ପ୍ରଦେଶରେ ବିଜେପି ଆଗୁଆ ରହିବ । ୪୦୩ଟି ଆସନରୁ ୧୯୦ରୁ ୨୧୦ଟି ସିଟ୍ ହାତେଇବ ବିଜେପି । ସମାଜବାଦୀ ପାର୍ଟି ଓ କଂଗ୍ରେସ ମେଂଟକୁ ମିଳିବ ୧୧୦ରୁ ୧୩୦ଟି ଆସନ । ଏବଂ ଅନ୍ୟାନ୍ୟଙ୍କୁ ଶୂନ ରୁ ୮ଟି ସିଟ୍ ମିଳିବ ।

ସେହିପରି ଇଣ୍ଡିଆ ନ୍ୟୁଜ୍ ଏମ୍ଆରସି ସର୍ଭେ ଅନୁଯାୟୀ ଉତରପ୍ରଦେଶରେ ଆଗରେ ରହିଛି ବିଜେପି । ମୋଟ୍ ୪୦୩ଟି ଆସନରୁ ବିଜେପି ହାତେଇବ ୧୮୫ଟି ଆସନ । ସମାଜବାଦୀ ଓ କଂଗ୍ରେସ ମେଂଟକୁ ମିଳିବ ୧୨୦ଟି ଆସନ ଏବଂ ବିଏସପି ପାଇବ ୯୦ଟି ସିଟ୍ । ଏବଂ ଅନ୍ୟାନ୍ୟଙ୍କୁ ମିଳିବ ୮ଟି ସିଟ୍ ।

ଇଣ୍ଡିଆ ଟିଭି ସି-ଭୋଟରରେ ମଧ୍ୟ ବିଜେପିକୁ ବହୁମତ ମିଳିଥିବା ସର୍ଭେ କହୁଛି । ଏହି ଜନମତ ସର୍ଭେ ଅନୁଯାୟୀ ବିଜେପି ହାତେଇବ ୧୬୧ଟି ଆସନ । ଏବଂ ସପା ଓ କଂଗ୍ରେସକୁ ମିଳିବ ୧୪୧ଟି ସିଟ୍ । ସେହିପରି ବିଏସପିକୁ ୮୭ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିବ ଓ ଅନ୍ୟାନ୍ୟକୁ ମିଳିବ ୧୪ଟି ସିଟ୍ ।

ଇଣ୍ଡିଆ ଟୁଡେ – ଆକ୍ସିସ୍ ସର୍ଭେ ରିପୋର୍ଟ ଅନୁଯାୟୀ ପଂଜାବର ସମୁଦାୟ ୧୧୭ ବିଧାନସଭା ଆସନରୁ କଂଗ୍ରେସକୁ ମିଳିପାରେ ୬୨ରୁ ୭୧ ଆସନ । ଆମ୍ ଆଦମୀ ପାର୍ଟି ଜିତିପାରେ ୪୨ରୁ ୫୧ଟି ଆସନ୍ ଓ ଅକାଳୀ ମେଂଟ ସୀମିତ ରହିପାରେ ୪ରୁ ୭ ଆସନ ମଧ୍ୟରେ । ରିପୋର୍ଟ ଅନୁଯାୟୀ ପଂଜାବରେ କଂଗ୍ରେସ ହାସଲ କରିପାରେ କ୍ଷମତା ।

ଇଣ୍ଡିଆ ନ୍ୟୁଜ୍ ଏମ୍ଆରସି ସର୍ଭେ ମଧ୍ୟ ଅନୁରୂପ ପୂର୍ବାନୁମାନ କରିଛି । ଏହି ରିପୋର୍ଟ ଅନୁଯାୟୀ ଏଠାରେ ମଧ୍ୟ କଂଗ୍ରେସ୍ ରହିବ ଆଗରେ । ଆପକୁ ମିଳି ପାରେ ୫୫ଟି ଆସନ । ଅକାଳୀ ମେଂଟକୁ ସନ୍ତୁଷ୍ଟ ରହିପାରେ ୭ ସିଟରେ ।

ସି ଭୋଟର ଏକ୍ଜିଟ୍ ପୋଲ ରିପୋର୍ଟ କିନ୍ତୁ ଆପକୁ କରିଛି ଗାଦିର ଦାବିଦାର । ଏହି ରିପୋର୍ଟ ଅନୁଯାୟୀ ଆପ ଜିତିପାରେ ୬୩ ଆସନରେ । କଂଗ୍ରେସକୁ ମିଳିପାରେ ୪୫ଟି ଆସନ । ଅକାଳୀ ମେଂଟକୁ ମିଳିପାରେ ମୋଟ ୯ଟି ଆସନ ।

ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଜନମତର ରିପୋର୍ଟ ଅନୁସାରେ ଉତରାଖଣ୍ଡରେ ଦବଦବା ଜାହିର କରିଛି ବିଜେପି । ଇଣ୍ଡିଆ ଟୁଡେ- ଆକ୍ସିସ ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ ବିଜେପିକୁ ମିଳିଛି ବଡ ଧରଣର ସଫଳତା । ମୋଟ୍ ୭୦ଟି ଆସନରୁ ବିଜେପିକୁ ୪୬ରୁ ୫୩ ଟି ଆସନ ମିଳୁଥିବା ବେଳେ କ୍ଷମତାରେ ଥିବା କଂଗ୍ରେସ ମାତ୍ର ୧୨ରୁ ୨୧ ଟି ଆସନରେ ସୀମିତ ରହିଛି । ସେହିପରି ଅନ୍ୟାନ୍ୟ ଦଳକୁ ଗୋଟିଏରୁ ୪ଟି ଆସନ ମିଳିବାର ଅନୁମାନ କରାଯାଇଛି ।

ସେହିପରି ନ୍ୟୁଜ୍ ୨୪-ଟୁଡେ ଚାଣକ୍ୟ କରିଥିବା ସର୍ଭେର ରିପୋର୍ଟ କହୁଛି ବିଜେପି ୫୩ଟି ଆସନ ସହ ସରକାର ଗଢ଼ିବା ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସୁଛି । କଂଗ୍ରେସ ମାତ୍ର ୧୫ଟି ଏବଂ ଅନ୍ୟାନ୍ୟ ଦଳକୁ ୨ଟି ଆସନ ମିଳିବାର ସଂଭାବନା ରହିଛି ।

ଅନ୍ୟପଟେ ଇଣ୍ଡିଆ ଟିଭି-ସି ଭୋଟରର ଆକଳନ ଅନୁସାରେ ୭୦ଟି ଆସନ ବିଶିଷ୍ଟ ଉତରାଖଣ୍ଡରେ ବିଜେପିକୁ ୨୯ରୁ ୩୫ଟି ଆସନ ମିଳିବାର ସଂଭାବନା ରହିଛି । ସେହିପରି କଂଗ୍ରେସ ୨୯ରୁ ୩୫ ଏବଂ ଅନ୍ୟାନ୍ୟ ଦଳକୁ ମିଳିପାରେ ୨ଟିରୁ ୯ଟି ଆସନ ।

ପ୍ରଥମେ ଆସାମ ଓ ପରେ ପରେ ଅରୁଣାଚଳ ପ୍ରଦେଶରେ ବିଜେପି ସରକାର ଗଠନ କରି ଉତରପୂର୍ବ ଭାରତରେ ବିଜେପି ପ୍ରବେଶ କରିଛି । ୫ଟି ରାଜ୍ୟର ନିର୍ବାଚନରେ ସବୁଠୁ ଅଧିକ ଭୋଟିଂ ପଡିଥିବା ମଣିପୁରରରେ ମଧ୍ୟ ବିଜେପି ଆସୁଥିବା ଏକଜିଟ ପୋଲ ରିପୋର୍ଟ ସୂଚାଉଛି । ଇଣ୍ଡିଆ ଟିଭି- ସି ଭୋଟର ଆକଳନ ଅନୁସାରେ ମୋଟ ୬୦ ଆସନ ମଧ୍ୟରୁ ବିଜେପିକୁ ୨୫ରୁ ୩୧ ଆସନ ମିଳିବା ସମ୍ଭାବନା ରହିଛି । କଂଗ୍ରେସ ଖାତାକୁ ଯାଇପାରେ ୧୭ରୁ ୨୩ ବିଧାନସଭା ଆସନ । ସେହିପରି ଅନ୍ୟାନ୍ୟ ଦଳକୁ ୯ରୁ ୧୫ ଆସନ ମିଳିବା ସିଭୋଟର ଏକଜିଟ ପୋଲରେ ଆକଳନ କରିଛି । ଯଦି ଏପରି ହୁଏ ତେବେ ବିଜେପି ସରକାର ଗଢିବା ନିଶ୍ଚିତ ।

ନ୍ୟୁଜ ୨୪ ଟୁଡେଜ ଚାଣକ୍ୟର ଆକଳନ ଅନୁସାରେ ମଣିପୁରରେ ବିଜେପିକୁ ୨୮ ଓ କଂଗ୍ରେସକୁ ୨୧ ଆସନ ମିଳିପାରେ । ସେହିପରି ଅନ୍ୟାନ୍ୟ ଦଳକୁ ୧୧ଟି ଆସନ ମିଳିପାରେ ବୋଲି ଆକଳନ କରିଛି ଚାଣକ୍ୟ ।

ଗୋଆରେ କଂଗ୍ରେସ ଅପେକ୍ଷା ବିଜେପିକୁ ଅଧିକ ଆସନ ମିଳୁଥିବା ଆକଳନ କରିଛନ୍ତି ତିନି ତିନିଟି ଏକଜିଟ ପୋଲ ସଂସ୍ଥା । ଗୋଆରେ ମୋଟ ୪୦ଟି ବିଧାନସଭା ଆସନ ରହିଛି । ଇଣ୍ଡିଆ ଟିଭି ସି ଭୋଟର ରିପୋର୍ଟ ଅନୁସାରେ ବିଜେପି ୧୫ରୁ ୨୧ଟି ଆସନ ହାତେଇ ପାରେ । କଂଗ୍ରେସ ଜିଣିପାରେ ୧୨ରୁ ୧୮ ଆସନ । ସେହିପରି ପ୍ରଥମ ଥର ପାଇଁ ଗୋଆରେ ନିର୍ବାଚନ ଲଢୁଥିବା ଆମ ଆଦମୀ ପାର୍ଟି ଶୂନ୍ୟରୁ ୪ଟି ଆସନରେ ବିଜୟୀ ହୋଇପାରେ । ଆଉ ଅନ୍ୟାନ୍ୟ ଦଳକୁ ୨ରୁ ୮ଟି ଆସନ ଜିଣିବ ବୋଲି ଆକଳନ କରିଛି ସି ଭୋଟର ।

ଇଣ୍ଡିଆ ନ୍ୟୁଜ ଏମଆରସିର ରିପୋର୍ଟ କହୁଛି, ବିଜେପିକୁ ମିଳିବ ୧୫ଟି ଆସନ, ୧୦ଟି ଆସନ ପାଇ କଂଗ୍ରେସକୁ ସନ୍ତୁଷ୍ଟ ହେବାକୁ ପଡିବ । ଆମ ଆଦମୀ ପାର୍ଟିକୁ ୭ଟି ଏବଂ ଅନ୍ୟାନ୍ୟ ଦଳକୁ ୮ଟି ବିଧାନସଭା ଆସନ ଜିଣିପାରେ ବୋଲି ଇଣ୍ଡିଆ ନ୍ୟୁଜ ଏମଆରସି ଆକଳନ କରିଛି ।

ଅନ୍ୟପଟେ ଇଣ୍ଡିଆ ଟୁଡେ ଏକ୍ସିସ ରିପୋର୍ଟ ଅନୁସାରେ ବିଜେପି ୧୮ରୁ ୨୨ଟି ଆସନ କବଜା କରିପାରେ । କଂଗ୍ରେସ ଭାଗରେ ୯ରୁ ୧୩ ଆସନ ଯାଇପାରେ । ଆମ ଆଦମୀ ପାର୍ଟି ଶୂନରୁ ୨ଟି ଏବଂ ଅନ୍ୟାନ୍ୟ ୪ରୁ ୯ଟି ବିଧାନସଭା ଆସନରେ ବିଜୟୀ ହୋଇପାରନ୍ତି । ଏକଜିଟ ପୋଲର ରିପୋର୍ଟ ଅନୁସାରେ ବିଜେପି ଗୋଆରେ ଦ୍ୱିତୀୟ ଥର ପାଇଁ ପୁଣି ଶାସନ ଗାଦିକୁ ଫେରୁଛି ।

୫ଟି ରାଜ୍ୟ ଭିତରେ ଉତରପ୍ରଦେଶ ନିର୍ବାଚନ ଫଳାଫଳ ଉପରେ ସମସ୍ତଙ୍କ ନଜର । ଏକଜିଟ ପୋଲ୍ ସର୍ଭେରେ ବିଜେପି ଆଗରେ ଥିବାବେଳେ ପ୍ରକୃତ ନିର୍ବାଚନ ଫଳାଫଳ ଉପରେ ସମସ୍ତଙ୍କ ନଜର । କାରଣ ସବୁଠାରୁ ବଡ ବିଧାନସଭାର ଫଳାଫଳ ଜାତୀୟ ରାଜତୀନିକୁ ପ୍ରଭାବିତ କରିବ ।