ପୁତୁରା ସହ ୫ ମିନିଟ୍…ହତ୍ୟା ଅଭିଯୋଗରେ ଗିରଫ ନେତା ଅନୁପଙ୍କୁ ଭେଟିଲେ ପୁତୁରା ସଂଗ୍ରାମ ସାଏ । ପୁରା ପରିବାରକୁ ପୁଲିସ୍ ଉଠାଇ ନେବା ଭୟରେ ସାଏ ପରିବାର

414

କନକ ବ୍ୟୁରୋ: ସେହି ୫ ମିନିଟରେ ଅନୁପ ସାଏ ତାଙ୍କ ସମ୍ପର୍କିୟଙ୍କ ସହିତ କଣ କଥା ହେଲେ ଏବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ରାୟଗଡ ପୋଲିସର ପରବର୍ତି ପଦକ୍ଷେପ କଣ ହେବ, ପୋଲିସ ଆଗକୁ ଅନୁପଙ୍କ ପରିବାର ଉପରେ କଣ ପଦକ୍ଷେପ ନେବ କିଛି ଏମିତି ଚର୍ଚ୍ଚା ଉଭୟଙ୍କ ଭିତରେ ହୋଇଥିବା ଅନୁମାନ କରାଯାଉଛି । ଯାହାକୁ ନେଇ ଅନୁପ ଭୟଭୀତ ହୋଇପଡିଥିବା କୁହାଯାଉଛି ।

କନକ ନ୍ୟୁଜ ହାତରେ ଲାଗିଥିବା ଇଏ ହେଉଛି ସେହି ୫ ମିନିଟର ଏକ୍ସକ୍ଲୁସିଭ ଚିତ୍ର । ଯେଉଁଥିରେ ହତ୍ୟା ଅଭିଯୁକ୍ତ ଅନୁପ ସାଏ ପୋଲିସ ଗାଡିରେ ବସିବା ପୂର୍ବରୁ ତାଙ୍କର ଜଣେ ସମ୍ପର୍କୀୟଙ୍କ ସହିତ କଥା ହେଉଛନ୍ତି । ମିଳିଥିବା ସୂଚନା ଅନୁସାରେ ଥାନାରୁ ମେଡିକାଲକୁ ନିଆଯିବା ସମୟରେ ହୋଇଥିଲା ଏହି କଥାବାର୍ତା । ପୋଲିସ ଗାଡିକୁ ଯିବା ସମୟରେ ଏବଂ ପୋଲିସ ଗାଡି ଭିତରେ ବସି କଥା ହୋଇଥିଲେ ଅନୁପ । ଆଉ ଅନୁପ ସାଏ ବହୁତ ଭୟଭୀତ ଥିବା ଜଣାପଡୁଥିଲା ।

ଏହି କଥାବାର୍ତା ସମୟରେ ଯାହା ଅନୁମାନ କରାଯାଉଛି, ଯଦି ଅନୁପ ସାଏ ଦୋଷ ସ୍ୱିକାର ନକରନ୍ତି ତେବେ ପୋଲିସ ପରିବାରର ସମସ୍ତଙ୍କୁ ଉଠାଇ ନେବ ବୋଲି ରାୟଗଡ ପୋଲିସ କହୁଥିବା ନେଇ ଅନୁପ ସାଏଙ୍କୁ ସୂଚନା ଦିଆଯାଇଛି । ତେଣୁ ପୋଲିସ ଆଗରେ ଦୋଷ ସ୍ୱିକାର କରିବାକୁ ତାଙ୍କୁ କୁହାଯାଇଥିବା ଅନୁମାନ କରାଯାଉଛି । ମାତ୍ର ୫ ମିନିଟର ଏହି ବାର୍ତାଳାପରେ ଅନୁପ କଣ କରିବେ, କଣ କରିବେ ନାହିଁ ସେ ନେଇ ମଧ୍ୟ କିଛି ପରାମର୍ଶ ନେଇଥିବା କଥାକୁ ଏଡାଇ ଦିଆଯାଇନପାରେ ।

ସେପଟେ, କଳ୍ପନା ଦାସ ଓ ବବଲି ଦାସ ହତ୍ୟା ମାମଲାରେ ପୋଲିସ ପାଇଁ ଅଡୁଆ ବଢି ବଢି ଚାଲିଛି । କାରଣ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ପ୍ରମାଣ କରିବା ପୋଲିସ ପାଇଁ କଷ୍ଟକର ବ୍ୟାପାର ହୋଇପାରେ । ଅନୁପ ସାଏ ହିଁ ହତ୍ୟାକାରୀ ଏହାକୁ ପ୍ରମାଣ କରିବା ପାଇଁ ପୋଲିସ ତନାଘନା ତଦନ୍ତ ଚଳାଇଛି । ହେଲେ ପୋଲିସ ହାତରେ ଲାଗିନି କାହାଣୀକୁ ଆଗକୁ ବଢେଇବା ଭଳି ସୁରାକ । ଯାହା ପୋଲିସର ଅଡୁଆ ବଢାଇ ଦେଇଛି ।