ସଙ୍କଟରେ ଜୀବନ-ଜୀବିକା : ରୋଜଗାର ହରାଇଛନ୍ତି ୨ଲକ୍ଷ ଅଟୋ ଚାଳକ, ଦେଇପାରୁନାହାନ୍ତି ଋଣ କିସ୍ତି; ଘରଭଡ଼ା ପାଇଁ ଟଙ୍କା ନଥିବାରୁ ଏବେ ଗାଁ ମୁହାଁ

172

କନକ ବ୍ୟୁରୋ : କ’ ଣ କରିବେ, କେମିତି ଚଳାଇବେ ତାଙ୍କ ପରିବାର? ଏହି ଚିନ୍ତାରେ ହଜାର ହଜାର ଅଟୋ ଚାଳକ । ଅଟୋ ଗଡୁନି କି ଗଡ଼ାଇବା ପାଇଁ ପାଖରେ ସମ୍ବଳ ବି ନାହିଁ । ଏପଟେ ବ୍ୟାଙ୍କ ଖାତାରେ ବଢ଼ି ଚାଲିଛି ଋଣଭାର। ସ୍ଥିତି ଏମିତି ଯେ, ଘରଭଡ଼ା ଦେବାକୁ ଟଙ୍କା ନଥିବାରୁ ଏବେ ଅଟୋ‌ଚାଳକ ସହର ଛାଡ଼ି ଗାଁ ମୁହାଁ ହୋଇଛନ୍ତି । ଯେଉଁମାନେ ପଡ଼ି ରହିଛନ୍ତି, ସେମାନଙ୍କ ଅବସ୍ଥା ସଙ୍ଗିନ। କେବଳ କଟକ ନୁହେଁ; ରାଜ୍ୟର ପାଖାପାଖି ୨ ଲକ୍ଷ ଅଟୋଚାଳକ ଏବେ ସେମାନଙ୍କ ଜୀବିକା ଚିନ୍ତାରେ ।

ସୂଚନା ଅନୁସାରେ, ରାଜ୍ୟରେ ନିଖିଳ ଓଡିଶା ଅଟୋ ଚାଳକ ମହାସଂଘ ଅଧୀନରେ ରହିଛନ୍ତି ପାଖାପାଖି ଦେଢ ଲକ୍ଷ ଅଟୋ । ସେମାନଙ୍କର ପ୍ରତି ଜିଲ୍ଲାରେ ସଂଘ ମଧ୍ୟ ରହିଛି । ଏହା ବାଦ୍‌ ରାଜ୍ୟରେ ଅଟୋ, ଟାଟା ମ୍ୟାଜିକ୍‌, ଡାଲା ଅଟୋ ଆଦି ସଂଖ୍ୟାକୁ ଯଦି ମିଶାଯାଏ ତେବେ ଏହା ୨ ଲକ୍ଷ ଟପିଯିବ। ଲକ୍‌ଡାଉନ୍‌ ପରଠାରୁ ୫ମାସ ହେଲା ସେମାନଙ୍କ ଜୀବନଜୀବିକା ବ୍ୟାପକ ଭାବେ ପ୍ରଭାବିତ । ପ୍ରଶାସନ ଅଟୋ ଚଳାଚଳ ପାଇଁ ଅନୁମତି ଦେଉଥିଲେ ସୁଦ୍ଧା କାଁ ଭାଁ ଅଟୋକୁ ଛାଡ଼ି ବାକି ସବୁ ଅଟୋ ବନ୍ଦ। ଯେଉଁ ସବୁ ଅଟୋକୁ ଚଳାଚଳ ପାଇଁ ଅନୁମତି ମିଳୁଛି, ସେଥିରେ ବି ଗ୍ରାହକ ଆସୁ ନଥିବାରୁ ଖ‌ାଲିରହୁଛି ଅଟୋ ।

ଅଧିକାଂଶ ଅଟୋଚାଳକ ବିଭିନ୍ନ ସଂସ୍ଥାରୁ ଋଣ କରିଥିବାବେଳେ ଏବେ କିସ୍ତି ଟଙ୍କା କିଭଳି ପୈଠ କରିବେ, ସ‌େ ଚିନ୍ତାରେ ବସିଛନ୍ତି । ପରିବାର ପାଇଁ ଖାଦ୍ୟର ବ୍ୟବସ୍ଥା କରିବେ ନା ଋଣ ପରିଶୋଧ କଥା ଚିନ୍ତା କରିବେ, ତାହାକୁ ନେଇ ଆଶଙ୍କାରେ ପଡ଼ିଛନ୍ତି । ଏଭଳି ସ୍ଥିତିରେ ଅନେକ ଅଟୋଚାଳକ ଏବେ ଅନ୍ୟ ବେଉସା ପାଇଁ ଆଗକୁ ଆସିଲେଣି । ଏପଟେ କିସ୍ତି ଟଙ୍କା ପଇଠ ପାଇଁ ବାରମ୍ବାର ଫୋନ ଆସୁଛି । ଭୟରେ ବି ଅନେକ ଫୋନ ଉଠାଉ ନାହାନ୍ତି ।