ଗୋଟିଏ ଏଲଇଡି ବଲବ୍ ଜଳିଲେ, ବିଲ୍ ଆସୁଛି ୨୦୦୦ ଟଙ୍କା । ନିୟମଗିରି ଡଙ୍ଗରିଆଙ୍କ ପାଇଁ ଦୁର୍ଭାଗ୍ୟ ପାଲଟିଛି କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନା ।

896

କନକ ବ୍ୟୁରୋ : ଡଙ୍ଗରିଆଙ୍କୁ ବିଜୁଳି ମାଡ । ନିୟମଗିରି ପାହାଡ ଉପରେ ରହୁଥିବା ଆଦିମ ଜନଜାତିଙ୍କ ପାଇଁ ଦୁର୍ଭାଗ୍ୟ ପାଲଟିଛି କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନା । ସରକାରୀ ଯୋଜନାରେ ବିଜୁଳି ପାଇଁ ସିନା ଘର ଆଲୋକିତ ହୋଇଛି । ହେଲେ ଏବେ ମାସକ ବିଲ୍ ଦେଖି ରାୟଗଡା ମୁନିଗୁଡା ବ୍ଲକର ଡଙ୍ଗରିଆଙ୍କୁ ଚାରିଆଡେ ଅନ୍ଧାର ଦେଖାଯାଉଛି ।

ଭାବିଥିଲେ କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନାରେ ଭାଗ୍ୟ ଆଲୋକିତ ହେବ । ହେଲେ ଏବେ ସବୁ ଅନ୍ଧାର ଦେଖାଯାଉଛି । ଏ ଘଟଣା ହେଉଛି ରାୟଗଡା ନିୟମଗିରି ପାହାଡର ଡଙ୍ଗରିଆ ଆଦିବାସୀଙ୍କର । ସୌଭାଗ୍ୟ ଯୋଜନାରେ ଡଙ୍ଗରିଆଙ୍କ ଘରେ ପହଂଚିଥିଲା ବିଜୁଳି । ଆଉ ଏବେ ମାସକୁ ବିଲ୍ ଆସିଛି ୨ ହଜାର ଟଙ୍କା । ଗୋଟିଏ ମାତ୍ର ଏଲଇଡି ବଲବ୍ ଜାଳି ଏତେ ପରିମାଣ ବିଲ୍ ଦେଖି ଚିନ୍ତାରେ ପଡିଛନ୍ତି ଆଦିମ ଜନଜାତି । କେଉଁଠୁ ଆଣିବେ ଟଙ୍କା, କେମିତି ଭରିବେ ବିଜୁଳି ବିଲ୍ ।

ରାୟଗଡାରେ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍ ସୁବିଧା ପାଇଛନ୍ତି ୬୪ ହଜାର ପରିବାର । ମୁନିଗୁଡା ବ୍ଲକର ୩ଟି ଡଙ୍ଗରିଆ ଗାଁ ସକଟା, କାଠଗାଡା ଓ ଗାଇଲଙ୍ଗାକୁ ପହଞ୍ଚିଥିଲା ବିଜୁଳି ଆଲୁଅ । ସ୍ୱାଧୀନତାର ୭୦ ବର୍ଷ ପରେ ବିଜୁଳି ଆଲୁଅ ପାଇ ଜୀବନର ସବୁଠାରୁ ବଡ ଖୁସି ପାଇଥିଲେ ଡଙ୍ଗରିଆ । କିନ୍ତୁ ଏତେ ଟଙ୍କାର ବିଜୁଳି ବିଲ୍ ଦେଖିବା ପରେ ଡଙ୍ଗରିଆଙ୍କ ମୁଣ୍ଡ ଏବେ ଘୂରାଇଦେଇଛି ।

ସୌଭାଗ୍ୟ ଯୋଜନାରେ ବିଜୁଳି ଜଳୁଛି କିନ୍ତୁ ହିତାଧିକାରୀଙ୍କ ଘରେ ମିଟର ବସିନାହିଁ । ତେବେ ଡଙ୍ଗରିଆଙ୍କ ପ୍ରଶ୍ନ, ଘରେ ବସିନି ମିଟର କେମିତି ନିଆଗଲା ରିଡିଂ ? କେଉଁ ଆଧାରରେ ସେମାନେ ମାସକୁ ଗଣିବେ ଏତେ ପରିମାଣର ବିଜୁଳି ବିଲ୍ । ତେବେ ବିଦ୍ୟୁତ୍ ବିଭାଗର ନିର୍ବାହ ଯନ୍ତ୍ରୀଙ୍କ କହିବା କଥା, ମିଟର ବସିବା ପରେ ଏହି ବିଦ୍ୟୁତ୍ ବିଲକୁ ପୁଣିଥରେ ସଂଶୋଧନ କରାଯିବ । ତେବେ ମିଟର କେବେ ବସିବ ଓ ବିଜୁଳି ବିଲର ଜୁଲମରୁ କେବେ ମୁକ୍ତ ହେବେ ନିୟମଗିରି ପାହାଡ ଉପରେ ରହୁଥିବା ଡଙ୍ଗରିଆ ତାହା ଦେଖିବା ବାକି ରହିଲା ।