କନକ ବ୍ୟୁରୋ: ଆଗକୁ ଆସୁଛି ନିର୍ବାଚନ । ଚଳିତ ବର୍ଷ ଶେଷକୁ ୪ ରାଜ୍ୟର ବିଧାନସଭା ନିର୍ବାଚନ ଥିବାବେଳେ, ୨୦୨୪ରେ ସାଧାରଣ ନିର୍ବାଚନ ହେବ । ଆଉ ନିକଟରେ ବିଭିନ୍ନ ସଂସ୍ଥା ଓ ଟିଭି ଚ୍ୟାନେଲ ଦ୍ୱାରା କରାଯାଇଥିବା ସର୍ଭେରୁ, ଯେଉଁ ଜନମତ ଆସିଛି ତାହା ମୋଦୀ ସରକାରଙ୍କୁ ସତର୍କ କରିଛି । ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଜନତାଙ୍କର ପ୍ରଥମ ପସନ୍ଦ ଥିଲେ ବି ତାଙ୍କ ସରକାର ଅମଳରେ ଦରଦାମ ବୃଦ୍ଧି ଓ ବେକାରୀ ଭଳି ପ୍ରସଙ୍ଗକୁ ଭୋଟରଙ୍କ ଭିତରେ ଅସନ୍ତୋଷ ରହିଛି । ଆଉ ସର୍ଭେ ଆସିବାର ମାତ୍ର ମାତ୍ର କିଛି ଦିନ ଭିତରେ ଘରୋଇ ଏଲପିଜି ସିଲିଣ୍ଡର ଉପରୁ ସବସିଡି ଦେବାକୁ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।

Advertisment
  • ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ମୋଦୀଙ୍କ ଉପହାର
  • ଏଲପିଜି ସିଲିଣ୍ଡର ପିଛା ମିଳିବ ୨୦୦ଟଙ୍କା ସବସିଡି

ଦରଦାମ ବୃଦ୍ଧିକୁ ନେଇ ଯେତେବେଳେ ଲୋକଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଉଛି, ଆଗାମୀ ନିର୍ବାଚନରେ ଏକ ବଡ ପ୍ରସଙ୍ଗ ହେବାକୁ ଯାଉଛି, ସେତିକିବେଳେ ଗରିବ ପରିବାର ପାଇଁ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏଣିକି ଘରୋଇ ରୋଷେଇ ଗ୍ୟାସ ସିଲିଣ୍ଡର ପିଛା ୨ଶହ ଟଙ୍କା ରିହାତି ମିଳିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତି ନେଇଛନ୍ତି ସରକାର ।

ତେବେ ଉଜ୍ୱଳା ହିତାଧିକାରୀଙ୍କୁ ପୂର୍ବରୁ ୨ଶହ ଟଙ୍କା ରିହାତି ମିଳୁଥିବାବେଳେ ଏବେ ଆଉ ୨ଶହ ଟଙ୍କା ସବସିଡି ମିଳିବ । ଅର୍ଥାତ ଉଜ୍ୱଳା ଯୋଜନା ହିତାଧିକାରୀଙ୍କୁ ଗ୍ୟାସ ସିଲିଣ୍ଡର ପିଛା ୪ଶହ ଟଙ୍କା ସବସିଡି ମିଳିବ । ଏହି ଯୋଜନାରୁ ଦେଶର ୧୦କୋଟିରୁ ଅଧିକ ହିତାଧିକାରୀ ଉପକୃତ ହେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । କେବଳ ଓଡିଶାରୁ ୫୩ ଲକ୍ଷରୁ ଅଧିକ ହିତାଧିକାରୀ ଉପକୃତ ହେବେ ।

ଯେତେବେଳେ ରାଜସ୍ଥାନ ଭଳି ଅଣ ବିଜେପି ଶାସିତ ରାଜ୍ୟ ସରକାର, ଗ୍ୟାସ ସିଲିଣ୍ଡର ଉପରେ ସିଧାସଳଖ ରିହାତି ଦେଉଛନ୍ତି, ଆଉ ଆଗକୁ ନିର୍ବାଚନ ଆସୁଛି, ସେତିକିବେଳେ କେନ୍ଦ୍ର ସରକାରଙ୍କ ଘୋଷଣା ପଛରେ ରାଜନୀତିର ଗନ୍ଧ ବାରିଛନ୍ତି ବିରୋଧୀ । ଆଗକୁ ନିର୍ବାଚନ ଆସୁଥିବାରୁ ଏହା କେନ୍ଦ୍ର ସରକାରଙ୍କ ଏକ ଚାଲ୍ ବୋଲି କହିଛନ୍ତି ବିରୋଧୀ । ହେଲେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛି ବିଜେପି ।

ଦେଶରେ ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ରର ମୋଦୀ ସରକାରଙ୍କୁ ଦାୟୀ କରି ଆସୁଛନ୍ତି ବିରୋଧୀ । ବିଶେଷ କରି ଗ୍ୟାସ, ଟମାଟୋ ଓ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥର ଦର ବୃଦ୍ଧିକୁ ନେଇ ବିରୋଧୀ ମେଣ୍ଟ ମୋଦୀ ସରକାରଙ୍କୁ ଜୋରଦାର ଆକ୍ରମଣ କରୁଛନ୍ତି । ସେତିକିବେଳେ କେନ୍ଦ୍ର ସରକାର ଗ୍ୟାସ ସିଲିଣ୍ଡର ଉପରେ ସବସିଡି ଦେବାକୁ ଘୋଷଣା କରିଛନ୍ତି ।