୨୦୦୦ ଟଙ୍କିଆ ନୋଟ ବଦଳାଇବା ବିରୋଧରେ ଆବେଦନ ସୁପ୍ରିମକୋର୍ଟରେ ଖାରଜ, ଜାଣନ୍ତୁ କଣ କହିଲେ କୋର୍ଟ ?

861

କନକ ବ୍ୟୁରୋ : ପରିଚୟ ପତ୍ର ନଦେଇ ୨୦୦୦ ଟଙ୍କିଆ ନୋଟ ବଦଳାଇବା ବିରୋଧରେ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଉପରେ ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି । କୋର୍ଟର ଅବକାଶକାଳୀନ ବେଞ୍ଚ କହିଛନ୍ତି କି, ଏହା ଏଭଳି ମାମଲା ନୁହେଁ ଯାହା ଉପରେ ତୁରନ୍ତ ଶୁଣାଣି କରାଯିବାର ଆବଶ୍ୟକତା ରହିଛି । ଆବେଦନକାରୀ ଗ୍ରୀଷ୍ମକାଳୀନ ଛୁଟି ପରେ ମୁଖ୍ୟ ବିଚାରପତିଙ୍କ ନିକଟରେ ଶୁଣାଣି ପାଇଁ ଅନୁରୋଧ କରିପାରିବେ । ଏହା ପୂର୍ବରୁ ବି ଦିଲ୍ଲୀ ହାଇକୋର୍ଟ ସମାନ ଆବେଦନ ଉପରେ ଶୁଣାଣି କରିବାକୁ ମନା କରିଦେଇଥିଲେ । ଆବେଦନକାରୀ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।

ଆବେଦନକାରୀଙ୍କ ଓକିଲ ଅଶ୍ୱନୀ ଉପାଧ୍ୟାୟଙ୍କ କହିବା କଥା କି, ଜଣେ ଲୋକ ଯଦି ବିନା ପ୍ରମାଣ ପତ୍ରରେ ୨୦୦୦ ଟଙ୍କିଆ ନୋଟ ବଦଳ କରେ ତେବେ ଏହା ଦୁର୍ନୀତି ଓ ଦେଶ ବିରୋଧୀ ତତ୍ୱଙ୍କୁ ଲାଭ ପହଂଚାଇବ । ମେ’୨୯ ତାରିଖରେ ଦିଲ୍ଲୀ ହାଇକୋର୍ଟ ଏହାକୁ ନୀତିଗତ ମାମଲା କରି ଆବେଦନକୁ ଖାରଜ କରିଦେଇଥିଲେ । ସୁପ୍ରିମକୋର୍ଟର ଜଷ୍ଟିଷ ସୁଧାଂସୁ ଧୂଲିଆ ଓ ଜଷ୍ଟିସ ବିଶ୍ୱନାଥନଙ୍କ ବେଞ୍ଚ ସାମ୍ନାରେ ଆବେଦନକାରୀଙ୍କ ଓକିଲ ଦଲିଲ୍ ଦେଇଥିଲେ କି ରିଜର୍ଭ ବ୍ୟାଙ୍କର ଏଭଳି ନିଷ୍ପତ୍ତି ମନମାନୀ ଓ ଏହାକୁ ମଞ୍ଜୁରୀ ପ୍ରଦାନ କରି ହାଇକୋର୍ଟ ଭୁଲ କରିଛନ୍ତି ।

ଆବେଦନରେ କୁହାଯାଇଛି କି, ଦୁର୍ନୀତିଖୋର ଲୋକ, ମାଫିଆ ଓ ଦେଶ ବିରୋଧୀ ତତ୍ୱଙ୍କ ପାଖରେ ୩ଲକ୍ଷ କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ ଥିବା ଆଶଂକା କରାଯାଉଛି । ତେଣୁ ବିନା ପ୍ରମାଣପତ୍ରରେ ଏହାକୁ ସେମାନେ ସହଜରେ ବଦଳାଇପାରିବେ ବୋଲି ଆବେଦନରେ ଅଭିଯୋଗ କରାଯାଇଛି ।