କନକ ବ୍ୟୁରୋ: ଆମକୁ ଦରକାର ନାହିଁ ଭତ୍ତା ଟଙ୍କା । ଏହି ପରିଣତ ବୟସରେ ଭତ୍ତା ପାଇଁ ବାର ଦୁଆର ଶୁଣ୍ଡି ପିଣ୍ଢା ହବାକୁ ପଡୁଛି । କେବଳ ସେତିକି ନୁହେଁ ଭତ୍ତା ଟଙ୍କା ଯେତିକି ମିଳୁଛି ସେଥିରୁ ଅଧାରୁ ଅଧିକ ଟଙ୍କା ଅଟୋ ଭଡା ବାବଦକୁ ଖର୍ଚ୍ଚ ହୋଇଯାଉଛି । ତେଣୁ ବର୍ଷେ ହେଲାଣି ଭତ୍ତା ଟଙ୍କା ପାଇଁ ଯାଉନାହାନ୍ତି ହିତାଧିକାରି ।

ଉମାନ୍ତି କାଡ୍ରାକା, ବୟସ- ୩୬ ବର୍ଷ । ଶାରିରୀକ ଭାବେ ଅକ୍ଷମ ଉମାନ୍ତି ବର୍ଷେ ହେଲା ଆଣୁନାହାନ୍ତି ଦିବ୍ୟାଙ୍ଗ ଭତା । ସେହିପରି ସମ୍ଭାରୀ କାଡ୍ରାକାଙ୍କର ମଧ୍ୟ ସମାନ ଅବସ୍ଥା । ବୟସର ଅପରାହ୍ଣରେ ସମ୍ଭାରୀଙ୍କ ଅନେକ ଦୁଃଖ । ୨୦୧୭ରୁ ୨୦୨୨ ଯାଏଁ ବର୍ଷ ବହୁ କଷ୍ଟରେ ଚାଲି ଚାଲି ପଞ୍ଚାୟତକୁ ଯାଇ ଭତ୍ତା ଟଙ୍କା ଆଣୁଥିଲେ । ହେଲେ ଏବେ ବ୍ୟାଙ୍କ ଯାଇପାରୁନାହାନ୍ତି, କି ଭତ୍ତା ପାଉନାହାନ୍ତି । କେବଳ ସମ୍ଭାରୀ ନୁହଁନ୍ତି, ରାୟଗଡା ସଦର ବ୍ଳକ ତାଡାମା ପଞ୍ଚାୟତର ସୀଙ୍ଗପୁଟ ଗାଁର ୧୦ରୁ ୧୫ ଜଣ ବୃଦ୍ଧବୃଦ୍ଧା ପ୍ରାୟ ବର୍ଷେ ହେଲାଣି ଭତ୍ତା ଟଙ୍କା ଆଣୁନଥିବା ଜଣାପଡିଛି ।

ସୀଙ୍ଗପୁଟ ଗାଁରେ ଅନେକ ଦିବ୍ୟାଙ୍ଗ, ବିଧବା ଓ ବାର୍ଦ୍ଧକ୍ୟ ଭତା ହିତାଧିକାରୀ ରହିଛନ୍ତି । ଭତ୍ତା ଟଙ୍କା ପାଇଁ ବ୍ୟାଙ୍କକୁ ଗଲେ ଲିଙ୍କ୍ ନାହିଁ, ଫିଙ୍ଗର ପ୍ରିଂଟ କାମ କରୁନି ଓ ଟଙ୍କା ନାହିଁ ବୋଲି କହି ଫରାଇ ଦିଆଯାଉଥିବା ଅଭିଯୋଗ ହୋଇଛି । ୫୦୦ ଟଙ୍କା ଭତ୍ତା ପାଇଁ ଅଟୋରେ ୨୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ତେଣୁ ବର୍ଷେ ହେଲା ଭତ୍ତା ଟଙ୍କା ଆଣି ନାହାନ୍ତି ହିତାଧାକାରୀ । ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି ।

ତେବେ ଏ ସମ୍ପର୍କରେ ରାୟଗଡା ବିଡିଓ ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିବା ବେଳେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି କହିଛନ୍ତି, ଲୋକଙ୍କ ଭତ୍ତା ପ୍ରସଙ୍ଗ ବିଧାନସଭାରେ ଉଠିବ । ହେଲେ ଏହା ଗୋଟିଏ ଗାଁ ନୁହେଁ, ଅନେକ ଗାଁରେ ଭତ୍ତାକୁ ନେଇ ଏଭଳି ସମସ୍ୟା ରହିଛି । ଏହାର ସ୍ଥାୟୀ ସମାଧାନ କରିବା ଜରୁରୀ ।