ଦିଲ୍ଲୀ ହିଂସାକାଣ୍ଡ ପରେ ଆକ୍ସନରେ ପୁଲିସ : ୨୦୦ ଜଣଙ୍କୁ ନିଆଗଲା ହେପାଜତରେ; ଗୃହମନ୍ତ୍ରାଳୟର ଉଚ୍ଚସ୍ତରୀୟ ସମୀକ୍ଷା

୩୦୦ ପୋଲିସ ଆହତ, ୨୨ଟି ମାମଲା ରୁଜୁ, କ୍ରାଇମବ୍ରାଂଚ କରିବ ଘଟଣାର ତଦନ୍ତ

183

କନକ ବ୍ୟୁରୋ : ଦିଲ୍ଲୀରେ କୃଷକଙ୍କ ହିଂସାକାଣ୍ଡ ପରେ ଆକ୍ସନରେ ଦିଲ୍ଲୀ ପୁଲିସ । ଗତକାଲିର ଘଟଣା ନେଇ ୨ ଶହ ଜଣଙ୍କୁ ଅଟକ ରଖିଛି । ଘଟଣାର ତଦନ୍ତ କ୍ରାଇମବ୍ରାଂଚ କରିବ । ଗତକାଲି କୃଷକଙ୍କ ଟ୍ରାକ୍ଟର ରାଲି ବେଳେ ଦିଲ୍ଲୀରେ ବ୍ୟାପକ ହିଂସାକାଣ୍ଡ ହୋଇଥିଲା । ଦିଲ୍ଲୀ ହିଂସାକାଣ୍ଡ ପରେ ଗୃହମନ୍ତ୍ରାଳୟର ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ବୈଠକରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତିର ସମୀକ୍ଷା କରିଛନ୍ତି ।

ଦିଲ୍ଲୀ ପୋଲିସ କହିଛି, ଲାଲକିଲ୍ଲା ଉପରେ ଚଢ଼ିଥିବା ଆନ୍ଦୋଳନକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ସିସିଟିଭିକୁ ଖୋଳତାଡ଼ କରିଛି ପୋଲିସ । ଗତକାଲି ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡରେ ୩୦୦ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି । ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ନେଇ ୨୨ଟି ମାମଲା ରୁଜୁ କରିଛି ଦିଲ୍ଲୀ ପୁଲିସ୍ । ସେପଟେ ପଂଜାବ ଓ ହରିୟାଣାରେ ହାଇ ଆଲର୍ଟ ହୋଇଛି । ଏହାସହ ଦିଲ୍ଲୀରେ ଅତିରିକ୍ତ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି । ତେବେ ଚାଷୀ ନିଜ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି । ଦିଲ୍ଲୀ ପୁଲିସ୍ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ମଧ୍ୟ କରାଯାଇଛି । ସିଂଘୁ, ଗାଜିପୁର, ଟିକ୍ରି ଅଂଚଳରେ ଇଂଟରନେଟ ସେବାକୁ ମଧ୍ୟ ସାମୟିକ ଭାବେ ବନ୍ଦ କରାଯାଇଥିଲା । ଲାଲକିଲ୍ଲା ଓ ଦିଲ୍ଲୀର କିଛି ମେଟ୍ରୋ ଷ୍ଟେସନ ବନ୍ଦ ଅଛି ।

ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକଙ୍କ ହିଂସା ପରେ ବିବାଦକୁ ଆସିଛନ୍ତି ପଞ୍ଜାବି ଅଭିନେତା ଦୀପ ସିଦ୍ଧୁ । ସିଦ୍ଧୁଙ୍କ ବିରୋଧରେ ଅଭିଯୋଗ ଆସିଛି ଯେ, ସେ କୃଷକଙ୍କ ଭିଡକୁ ଲାଲକିଲ୍ଲା ଆଡକୁ ନେଇଥିଲେ । ଆଉ ଏହାପରେ ହିଂସା ବ୍ୟାପିଥିଲା । ସିଦ୍ଧୁଙ୍କ ସହ ଅନ୍ୟ ଜଣେ ଲାଖା ସିଦ୍ଧାନା କୃଷକଙ୍କୁ ଲାଲକିଲ୍ଲା ଆଡକୁ ଯିବାକୁ ଉସୁକାଇଥିଲେ । ଏହା ପରେ ଲାଲକିଲ୍ଲା ଉପରେ ଶିଖ ସଂପ୍ରଦାୟର ପତାକା ଉଡାଇବାକୁ ଉସୁକାଇଥିଲେ । ଏହାପରେ ଅନ୍ୟ କୃଷକ ସଙ୍ଗଠନ ଲାଲକିଲ୍ଲା ଆଡକୁ ଯାଇଥିଲେ । ଏହାକୁ ନେଇ ଦୀପ ସିଦ୍ଧୁ ସଫେଇ ବି ଦେଇଛନ୍ତି । ସୋସିଆଲ ମିଡିଆରେ ସେ କହିଛନ୍ତି, ଗଣତାନ୍ତ୍ରିକ ଅଧିକାରର ସେ ପ୍ରୟୋଗ କରିଛନ୍ତି । ଦୀପ ସିଦ୍ଧୁ ପଞ୍ଜାବି ଫିଲ୍ମରେ ଅଭିନିୟ କରିଛନ୍ତି । ସନ୍ନି ଦେୱଲଙ୍କ ସହ ମିଶି ଦିପ୍ ସିଦ୍ଧୁ ନିର୍ବାଚନ ପ୍ରଚାର କରିଥିଲେ ।