କନକ ବ୍ୟୁରୋ : କିଛି ଦିନର ବିରତି ପରେ ପୁଣିଥରେ ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ତେଜିବାରେ ଲାଗିଛି । ଏହି କ୍ରମରେ ଏବେ କୃଷକମାନେ ସଂସଦ ନିକଟରେ ବିକ୍ଷୋଭ କରିବାକୁ ଯୋଜନା କରିଛନ୍ତି । ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତା ରାକେଶ ଟିକାୟତ କହିଛନ୍ତି କି ଜୁଲାଇ ୨୨ ତାରିଖରୁ ୨୦୦ କୃଷକ ସଂସଦ ନିକଟରେ ପ୍ରଦର୍ଶନ କରିବେ ।
ଟିକାୟତ କହିଛନ୍ତି କି, କେନ୍ଦ୍ର ସରକାର କୃଷି ଆଇନକୁ ନେଇ ଯଦି କୃଷକଙ୍କ ସହ ଆଲୋଚନା କରିବାକୁ ଚାହୁଁଛନ୍ତି ତେବେ ଆମେ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ । ହେଲେ ସରକାରଙ୍କ ସହ ଆଲୋଚନା ବିଫଳ ହେଲେ ଜୁଲାଇ ୨୨ ତାରିଖରୁ ୨୦୦ କୃଷକ ସଂସଦ ନିକଟରେ ବିକ୍ଷୋ ପ୍ରଦର୍ଶନ କରିବେ ବୋଲି ଟିକାୟତ କହିଛନ୍ତି ।
ଅନ୍ୟପଟେ ଟିକାୟତ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି କି “ଏଠାରେ କୌଣସି ଏଜେନ୍ସି ଅଛି ଯାହା ନିରପେକ୍ଷ ତଦନ୍ତ କରିପାରିବେ ?” ଯଦି ଏହା ନୁହେଁ, ତେବେ ଆମେ ଏହି ମାମଲାକୁ ଜାତିସଂଘକୁ ନେବା ଉଚିତ କି ବୋଲି ସେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।
ଏହା ପୂର୍ବରୁ ଟିକାୟତ କହିଥିଲେ ଆମେ ସରକାରଙ୍କ ସହ ବିବାଦୀୟ କୃଷି ଆଇନକୁ ନେଇ ଆଲୋଚନା କରିବାକୁ ପ୍ରସ୍ତୁତ । ହେଲେ ସରକାର ବିନା ସର୍ତ୍ତରେ ଆଲୋଚନା ପାଇଁ ପ୍ରସ୍ତୁତ ହୁଅନ୍ତୁ ।
କହିରଖୁ କି କୃଷକ ଆନ୍ଦୋଳନ ଦେଶରେ ୮ ମାସ ହେବ ଚାଲିଛି । ନା ସରକାର ଏହାର ସମାଧାନର ରାସ୍ତା ପ୍ରସ୍ତୁତ କରୁଛନ୍ତି ନା କୃଷକମାନେ ଆନ୍ଦୋଳନରୁ ହଟିବାକୁ ରାଜି ହେଉଛନ୍ତି । ସେପଟେ ଆଜି କୃଷକମାନେ ହରିଆଣାରେ ଜଣେ ମନ୍ତ୍ରୀଙ୍କୁ ବିରୋଧ କରି ପୋଲିସ ସହିତ ହଟ୍ଟଗୋଳ ହୋଇଛି । ଆନ୍ଦୋଳନକାରୀ କୃଷକମାନେ ପୋଲିସର ବ୍ୟାରିକେଟ ଭାଙ୍ଗି ମନ୍ତ୍ରୀଙ୍କର ସଭାସ୍ଥଳକୁ ପଶିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ବି ସେମାନଙ୍କ ଉପରେ ଲାଠି ଚଳାଇଛି ।