ବନ୍ଦ ହୋଇଯିବ ଦେଶର ୨୦୦ ଇଞ୍ଜିନିୟରିଂ କଲେଜ । ଇଞ୍ଜିନିୟରିଂ ପାଠ ପଢା ଠାରୁ ଛାତ୍ରଛାତ୍ରୀ ମାନେ ମୁହଁ ମୋଡିବା ଆରମ୍ଭ କଲେଣି । ଯାହା ଫଳରେ ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ଅଧିକାଂଶ ସିଟ ଫାଙ୍କା ପଡୁଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ୨୦୦ ଇଞ୍ଜିନିୟରିଙ୍ଗ କଲେଜ ବନ୍ଦ ହେବାକୁ ଯାଉଛି । ପୂର୍ବରୁ ଯେଉଁଠି ଇଞ୍ଜିନିୟରିଂ ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗି ରହୁଥିଲା ଏବେ ସେଥିରେ ପରିବର୍ତ୍ତନ ଆସିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଅଲ ଇଣ୍ଡିଆ କାଉନସିଲ ଫର୍ ଟେକନିକାଲ ଏଜୁକେସନ ବା (AICTE) ଅନୁଯାୟୀ, ପାଖାପାଖି ୨୦୦ ଇଞ୍ଜିନିୟରିଂ କଲେଜ ସିଟ୍ ଫାଙ୍କା ପଡୁଥିବାରୁ ବନ୍ଦ କରିବାକୁ ଆବେଦନ କରିଛନ୍ତି । ଫଳରେ ବନ୍ଦ ହେବାକୁ ଥିବା ୨୦୦ କଲେଜରେ ଚଳିତବର୍ଷ ଠାରୁ ଆଉ ଆଡମିଶନ କରାଯିବ ନାହିଁ । ତେବେ କେଉଁ ୨୦୦ଟି କଲେଜ ବନ୍ଦ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ଏଆଇସିଟିଇ ଅନୁଯାୟୀ, ଯେଉଁ କଲେଜ ବନ୍ଦ ହେବାକୁ ଯାଉଛି ସେହି କଲେଜରେ ପଢୁଥିବା ଛାତ୍ରଛାତ୍ରୀଙ୍କ କୋର୍ସ ନ ସରିବା ପର୍ଯ୍ୟନ୍ତ ପାଠପଢା ଜାରି ରହିବ । କିନ୍ତୁ ଚଳିତ ବର୍ଷ ଠାରୁ ବନ୍ଦ ହେବାକୁ ଥିବା କଲେଜରେ ନୂଆ ଛାତ୍ରଛାତ୍ରୀ ଆଡମିଶନ ନେଇପାରିବେ ନାହିଁ । ତେଣୁ ଛାତ୍ରଛାତ୍ରୀଙ୍କ କୋର୍ସ ସରିବା ପରେ ହିଁ କଲେଜ ବନ୍ଦ ରହିବ । ୨୦୦ଟି କଲେଜ ବନ୍ଦ ହେବା ପରେ ସର୍ବଭାରତୀୟ ସ୍ତରରେ ଇଞ୍ଜିନିୟରିଂ ସିଟ୍ ମଧ୍ୟ ହ୍ରାସ ପାଇବ । ରିପୋର୍ଟ ଅନୁଯାୟୀ, ଚଳିତବର୍ଷ ପ୍ରାୟ ୮୦,୦୦୦ ହଜାର ସିଟ୍ ହ୍ରାସ ପାଇବ ।
ଯଦି ରିପୋର୍ଟ ଉପରେ ନଜର ପକାଇବା, ତେବେ ୨୦୧୨-୧୩ ଶିକ୍ଷା ବର୍ଷରେ ପୂର୍ବବର୍ଷ ଅପେକ୍ଷା ୧.୮୬ ଲକ୍ଷ କମ ଛାତ୍ରଛାତ୍ରୀ ଇଞ୍ଜିନିୟରିଂ କଲେଜରେ ଆଡମିଶନ ନେଇଥିଲେ । ଏହାଛଡା ପ୍ରତିବର୍ଷ ଇଞ୍ଜିନିୟରିଂରେ ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଆଡମିଶନ ହ୍ରାସ ପାଉଛି । ୨୦୧୬-୧୭ ବର୍ଷରେ ଇଞ୍ଜିନିୟରିଂରେ ଅଣ୍ଡର ଗ୍ରାଜୁଏସନ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମୋଟ ୧୫,୭୧,୨୨୦ ସିଟ ଥିବା ବେଳେ ମୋଟ ୭ ,୮୭,୧୨୭ ଜଣ ଛାତ୍ରଛାତ୍ରୀ ଆଡମିଶନ କରିଥିଲେ । ମୋଟ ସିଟର ୫୦ ପ୍ରତିଶତ ସିଟ ଫାଙ୍କା ପଡିଥିଲା । ଗୋଟିଏ ପଟେ ଘରୋଇ ଓ ସରକାରୀ ଇଞ୍ଜିନିୟରିଂ କଲେଜରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଆଇଆଇଟି ଓ ଏନଆଇଟି ଭଳି ଶିକ୍ଷାନୁଷ୍ଠାନରେ ପଢିବା ପାଇଁ ଛାତ୍ରଛାତ୍ରୀଙ୍କ ଅଧିକ ଉତ୍ସାହ ଦେଖିବାକୁ ମିଳୁଛି ।