ଅଭାବର ଅନ୍ଧାରୀ ଘରେ ଭୋକ ଉପାସରେ ଜିଉଁଛନ୍ତି ଜନ୍ମଦାତା । ଶ୍ୱଶୁର ଘରେ ଅୟସ ଆରାମ କରୁଛନ୍ତି ଦୁଇପୁଅ । ୨୦ ବର୍ଷ ହେବ ଏକାଏକା ସଙ୍ଘର୍ଷ କରୁଛନ୍ତି ବୁଢା ବାପାମାଆ…

336

କନକ ବ୍ୟୁରୋ: ପୁଅମାନେ ଯେତେବେଳେ ପର କରିଦିଅନ୍ତି, ବୟସ ହୋଇଗଲେ ବୋଝ ଭାବି ଯେତେବେଳେ ଦୂରେଇ ଯାଆନ୍ତି ଠିକ ସେତେବେଳେ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସେ । ହସଖୁସିରେ ଥାଆନ୍ତି ପୁଅବୋହୂ, ହଇରାଣ ହୁଅନ୍ତି ବାପାମାଆ । ସୁଖରେ ଚଳନ୍ତି ସେମାନେ, ଦୁଃଖରେ ଚଳନ୍ତି ଏମାନେ । ଅଭାବର ଅଗଣାରେ ଛାଡିଦେଇ ସ୍ତ୍ରୀ ପିଲାଛୁଆ ଧରି ଅୟସ ଆରାମ କରିବାକୁ ବାହାରି ଯାଆନ୍ତି ଜନ୍ମକଲା ପୁଅମାନେ… ଆଉ ଏହି ନୁଆଁଣିଆ ଚାଳଘରେ ମାଟି ସହ ମାଟି ହୋଇ ଜୀବନ ବଞ୍ଚାଇବାକୁ ସଙ୍ଘର୍ଷ କରିଚାଲନ୍ତି ବୁଢା ବାପାମାଆ ଦିଜଣ… ଓଃ କି କରୁଣ ଏ ବୃଦ୍ଧାବସ୍ଥାର କଷ୍ଟ… ଯେତେ ଶବ୍ଦ ଦେଇ ଲେଖିଲେ ବି ତାଙ୍କ ଯନ୍ତ୍ରଣା କହିବା ସାମର୍ଥ୍ୟ ବାହାରେ…

ଯେଉଁବୟସରେ ପୁଅବୋହୂଙ୍କ ସେବା ପାଇବା କଥା, ଘରେ ରହି ଶେଷ ଜୀବନକୁ ନାତିନାତୁଣୀଙ୍କ ସହ ବିତେଇ ଦେବା କଥା । ବୟସର ଅପରାହ୍ନରେ ଆରାମର ଜୀବନ ଜିଇଁବା କଥା… ସେସବୁ ଏବେ ଏମାନଙ୍କ ପାଇଁ ସ୍ୱପ୍ନ । ଆଉ ଆଶା ବି ରଖି ନାହାନ୍ତି ପୁଅବୋହୂଙ୍କ ସେବାଯତ୍ନ ପାଇବା ପାଇଁ… କାରଣ ଅବହେଳାର ଅଗଣାରେ କଟିଗଲାଣି କଷ୍ଟର କୋଡିଏ ବର୍ଷ । ଆଉ ଦିନ କେଇଟା ପରେ ଯେଝା ବାଟ ଯେଝେ ଧରିବେ… ତେଣୁ ପରିଣତ ବୟସରେ ଏମିତି ଦୁହେଁ ଦୁହିଁଙ୍କୁ ସାହା ହୋଇ ଏକା ଏକା ଜୀବନ ଜିଉଁଛନ୍ତି କେନ୍ଦ୍ରାପଡା ରାଜକନିକା ନମତରା ଗାଁର ବୃଦ୍ଧ ଦମ୍ପତ୍ତି ମେଘନାଦ ନାୟକ ଓ ତାଙ୍କ ସ୍ତ୍ରୀ ମଣି ନାୟକ ।

ଦୀର୍ଘ ୨୦ ବର୍ଷ ହେବ ବୁଢା ବାପାମାଆଙ୍କୁ ଛାଡି ପଳାଇଛନ୍ତି ପୁଅମାନେ । ୩ ପୁଅରୁ ଜଣେ ମାନସିକ ବିକାରଗ୍ରସ୍ତ ହେବା ପରେ ତାଙ୍କୁ ପୁରୀରେ ଛାଡିଦିଆଯାଇଛି ଆଉ ବାକି ୨ ପୁଅ ବୋହୂ ସହ ନିଜ ନିଜ ଶ୍ୱଶୁର ଘରେ ଅଛନ୍ତି । ବାପାମାଆ ଦିଟା କଣ ଖାଉଛନ୍ତି, କେମିତି ବଞ୍ଚୁଛନ୍ତି ଥରେ ହେଲେ ବି ଦେଖିବାକୁ ଆସି ନାହାନ୍ତି । ହାତରେ ଆଉ କିଛି ବିକଳ୍ପ ନଥିବାରୁ ଜୀବନ ଯିବା ଯାଏଁ ଭାଗ୍ୟ ଭରସାରେ ପଡି ରହିଛନ୍ତି ଦୁହେଁ । ଆଉ ପୁଅ ଜନ୍ମ କରି ପାପ କରିଥିବା ନିଜକୁ ଧିକ୍କାର କରି କାନ୍ଦୁଛନ୍ତି ଏ ଅସହାୟ ବୁଢାବୁଢୀ ।

ବୃଦ୍ଧଙ୍କୁ ୯୦ ଛୁଇଁଲାଣି ଆଉ ବୃଦ୍ଧାଙ୍କୁ ୮୦ । ବୟସ ଅଧିକ ହେତୁ ଆଖିର ଦୃଷ୍ଟିଶକ୍ତି ହରାଇଲେଣି ବୃଦ୍ଧ । ତେଣୁ ନିଜ ସ୍ୱାମୀଙ୍କ ଶେଷ ସାହାରା ଏ ସ୍ତ୍ରୀ । ପାଖରେ କେହି ନଥିବାରୁ ଏବେ ଦୁହେଁ ଦୁହିଁଙ୍କ ଜୀବନ । ଜଣଙ୍କ ବିନା ଜଣେ ଅଧୁରା । ପୁଅମାନେ ସିନା ଚାହିଁଲେନି ହେଲେ ସିଏ ବା କେମିତି ଅଣଦେଖା କରିପାରିବେ । ତେଣୁ ବଳ ନଥିବା ହାତରେ ବି ନିଜ ସ୍ୱାମୀଙ୍କ ସେବା କରିଚାଲିଛନ୍ତି ମଣି । ଗାଧୋଇ ଦେବାଠାରୁ ଆରମ୍ଭ କରି ଖୁଆଇବା ଯାଏଁ ସବୁ କରନ୍ତି ସେ । ସ୍ୱାମୀଙ୍କ ହାତ ଧରି ସଂସାର କରିଛନ୍ତି ଯେତେବେଳେ ଶେଷ ସମୟରେ କେମିତି ତାଙ୍କ ହାତ ଛାଡିପାରିବେ ? ତେଣୁ କଷ୍ଟ ଯନ୍ତ୍ରଣା ଭିତରେ ବି ଆଖି ହରାଇଥିବା ସ୍ୱାମୀଙ୍କ ଆଖି ସାଜିଛନ୍ତି ବୃଦ୍ଧା ।

ତେବେ ବୁଢା ବାପାମାଆଙ୍କ ଏ କଷ୍ଟର କାହାଣୀ ଦେଖିବା ପରେ ହୁଏତ ସେମାନଙ୍କ ପୁଅମାନେ ସେମାନଙ୍କୁ ନେବାକୁ ଫେରି ପାରନ୍ତି କିମ୍ବା ବାପା ମାଆ ଶେଷ ଜୀବନରେ କେମିତି ଅଛନ୍ତି ବୋଲି ଥରେ ଦେଖିବାକୁ ମାଟିର ଏ ଘରକୁ ଆସିପାରନ୍ତି । ହେଲେ ସେମାନେ ଫେରିବା ପରେ ଅବହେଳା କରିଯାଇଥିବା ଅସହାୟ ବୃଦ୍ଧ ବାପାମାଆଙ୍କ ଆଖିର ଅକୁହା ପ୍ରଶ୍ନର ଉତ୍ତର ଦେଇପାରିବେ ତ ? ବାପାମାଆଙ୍କ ସାମ୍ନାରେ ବସି ଆଖି ସହ ଆଖି ମିଶେଇ କହିପାରିବେ ତ ପୁଅ ଜନ୍ମ କରି ବୁଢାବୁଢୀ ଦୁହେଁ ପାପ କରିନାହାନ୍ତି ବୋଲି? କେନ୍ଦ୍ରାପଡାର ଏ କାହାଣୀ ଆଉ କାହା ସହ ନହେଉ… ଆଉ କେହି ବୁଢା ବାପାମାଆ ପରିଣତ ବୟସରେ ହଇରାଣ ନହୁଅନ୍ତୁ…