ପାକିସ୍ତାନ ଜେଲରେ ୨୦ ବର୍ଷ : ଗାଁକୁ ଫେରୁଛି ଓଡିଆ ପୁଅ ବିରଜୁ କୁଲୁ ; ଲାହୋରରୁ ଫେରୁଥିବା ଖବର ପରେ ସୁନ୍ଦରଗଡରେ ନଙ୍ଗଟୋଲି ଗାଁରେ ଖୁସିର ଲହରୀ

ସ୍ୱାଗତ ଅପେକ୍ଷାରେ ଗ୍ରାମବାସୀ

2,861

କନକ ବ୍ୟୁରୋ : ପାକିସ୍ତାନ ଲାହୋର ଜେଲରେ ୨୦ ବର୍ଷ ରହିବା ପରେ ଗାଁକୁ ଫେରୁଛି ଓଡିଆ ପୁଅ । ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ସୁନ୍ଦରଗଡ କୁତ୍ରାବ୍ଲକର କଟଙ୍ଗ ନଙ୍ଗାଟୋଲି ଗାଁରେ । ଏହି ଗାଁର ବିରଜୁ ମାନସିକ ଅନଗ୍ରସର ହେତୁ ପାକିସ୍ତାନ ଚାଲିଯାଇଥିଲେ । ଆଉ ଦୀର୍ଘ ୨୦ ବର୍ଷ ଧରି ଲାହୋର ଜେଲରେ ରହିବା ପରେ ଏବେ ମୁକୁଳିଛନ୍ତି । ଆଉ ଏବେ ଫେରୁଛନ୍ତି ଘରକୁ । ପୁଅର ଫେରିବା ବାଟକୁ ଚାହିଁ ଚାହିଁ ବାପା ମା ଆରପାରିକୁ ଚାଲିଯାଇଛନ୍ତି ।

ଖବର ଅନୁସାରେ, ନଙ୍ଗାଟୋଲି ଗାଁର ବିରଜୁ ପିଲାଟି ଦିନରୁ ମାନସିକ ଅନଗ୍ରସର ଥିଲେ । ତାଙ୍କୁ ୨୪-୨୫ ବର୍ଷ ହୋଇଥିବାବେଳେ ସେ ଘରୁ କୁଆଡେ ଚାଲିଯାଇଥିଲେ । ପରିବାର ଲୋକେ ଅନେକ ଖୋଜଖବର ପରେ ବି କୌଣସି ସନ୍ଧାନ ପାଇନଥିଲେ । ହେଲେ ଗତବର୍ଷ ପରିଚୟ ଓ ତାଙ୍କ ଠିକଣା ଯାଂଚ ପାଇଁ କୁତ୍ରା ପୁଲିସ ବିରଜୁଙ୍କ ଘରେ ପଂହଚିଥିଲା । ଭୁଲରେ ସେ ପାକିସ୍ତାନ ସୀମା ଭିତରକୁ ପଶିଯାଇଥିବାରୁ ଲାହୋର ଜେଲରେ ୨୦ ବର୍ଷ ବନ୍ଦୀ ଜୀବନ ବିତାଇଥିଲେ ।

ତେବେ ଗତମାସ ୨୬ ତାରିଖରେ ଜେଲରୁ ମୁକୁଳିବା ପରେ ତାଙ୍କୁ ଭାରତକୁ ହସ୍ତାନ୍ତର କରାଯାଇଛି । ଏବେ ସେ ପଞ୍ଜାବ ଅମୃତସରର ଏକ କୋଭିଡ ହସପିଟାଲରେ ଭର୍ତି ହୋଇଛନ୍ତି । ବିରଜୁଙ୍କ ଫେରିବା ବାଟକୁ ପରିବାର ଲୋକ ଅପେକ୍ଷା କରିଥିବାବେଳେ ପ୍ରଶାସନ ମଧ୍ୟ ଫେରିବା ପାଇଁ ସମସ୍ତପ୍ରକାର ବ୍ୟବସ୍ଥା କରିଛି । ଏହା ମଧ୍ୟରେ ତାଙ୍କ ବାପା ଓ ମା ପ୍ରାଣ ହରାଇସାରିଛନ୍ତି । ଗାଁରେ ତାଙ୍କ କାକା ଓ ବଡବାପାଙ୍କ ପରିବାର ସଦସ୍ୟ ରହୁଛନ୍ତି । ବିରଜୁ ଘରକୁ ଫେରୁଥିବାରୁ ତାଙ୍କ ପରିବାର ଲୋକେ ଖୁସି ପ୍ରକଟ କରିଛନ୍ତି ।

Comments are closed.