କନକ ବ୍ୟୁରୋ : ଫୁଲବାଣୀ ଯାଉଛି, କାଲି ଫେରି ଆସିବି। ମା’ଙ୍କୁ ମୋବାଇଲ ଫୋନରେ ଏଭଳି କହି ଜଣେ ଯୁବକ ୪ ଦିନ ହେବ ନିଖୋଜ ହୋଇଯାଇଛନ୍ତି। ପରିବାର, ବନ୍ଧୁବାନ୍ଧବ ଓ ପୁଲିସ ନିଜସ୍ୱ ଉଦ୍ୟମରେ ଯୁବକଙ୍କୁ ଖୋଜୁ ଥିଲେ ମଧ୍ୟ ପାଉ ନାହାନ୍ତି। ନିଖୋଜ ଯୁବକ ହେଲେ ସୁନିତ କୁମାର ମହାରଣା । ସୁନିତଙ୍କ ନିଖୋଜ ନେଇ ଭରତପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ଅଭିଯୋଗ ଅନୁସାରେ ଗଂଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ଡେଙ୍ଗାପଦର ନିବାସୀ ଶ୍ୟାମସୁନ୍ଦର ମହାରଣାଙ୍କ ପୁଅ ସୁନିତ ଭୁବନେଶ୍ୱରର ଭରତପୁର ଥାନା ଅନ୍ତର୍ଗତ ରଙ୍ଗଣୀସାହି (ଓ୍ଵାର୍ଡ ନମ୍ବର-୨୨)ର ଲେନ୍-୪ସ୍ଥିତ ପ୍ଲଟ ନଂମ୍ବର ୩୩ରେ ଏକ ଭଡ଼ାଘରେ ରହୁଥିଲେ। ଗତ ୨୫ ତାରିଖ ସନ୍ଧ୍ୟାରେ କୁମାରୀ ମହରାଣାଙ୍କୁ ପୁଅ ସୁନିତ ଫୋନ୍ କରିଥିଲେ। ସୁନିତଙ୍କ ମା’ କହିବା ଅନୁସାରେ ପୁଅ ଫୁଲବାଣୀ ଯାଉଛି କହିଥିଲା। ସେ ଆସନ୍ତାକାଲି ଫେରି ଆସିବି ବୋଲି କଥା ଦେଇଥିଲା କିନ୍ତୁ ସେହି ଦିନ ସନ୍ଧ୍ୟା ପରଠାରୁ ସୁନିତଙ୍କ ମୋବାଇଲ୍ ସୁଇଚ୍ ଅଫ୍ ରହିଛି।
ସୂଚନାଯୋଗ୍ୟ, ସୁନିତ ଭୁବନେଶ୍ୱରସ୍ଥିତ ରାଜଧାନୀ କଲେଜର ସ୍ନାତକ ଛାତ୍ର । ୨୦୨୧ରେ ସେ ସ୍ନାତକ କଳା ଶ୍ରେଣୀର ୬ଷ୍ଠ ସେମିଷ୍ଟର ପରୀକ୍ଷା ଦେଇଛନ୍ତି। ଏଥି ସହିତ ସେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ୨୫ ତାରିଖ ଦିନ ରହୁଥିବା ଭଡ଼ା ଘରୁ ଯିବା ସମୟରେ ହାଫପ୍ୟାଣ୍ଟ ଓ ଗ୍ରୀନ ସାର୍ଟ ପିନ୍ଧିଥିଲେ। ଭଉଣୀର ସାଇକେଲ ନେଇ ବାହାରକୁ ଯାଇଥିଲେ, ପାଖରେ ସ୍ମାର୍ଟଫୋନ୍ ଥିଲା। ସୁନିତ ନିକଟରେ ଏକ ବାଇକ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଦୁର୍ଘଟଣାରେ ତାଙ୍କର ବାମ ହାତରେ ଷ୍ଟିଚ୍ ପଡ଼ିଥିଲା। ଏଥି ସହିତ ଅନ୍ୟ ସ୍ଥାନରେ ମଧ୍ୟ କ୍ଷତ ଚିହ୍ନ ଥିଲା।
ପୁଲିସ କହିବା ଅନୁସାରେ ସୁନିତ୍ଙ୍କ ମୋବାଇଲକୁ ଟ୍ରାକିଙ୍ଗ କରାଯାଇଛି। ତାଙ୍କର ମୋବାଇଲ ଶେଷ ଥର ପାଇଁ ରାୟଗଡ଼ା ଜିଲ୍ଲାର କାଶୀପୁର ଥାନା ଅନ୍ତର୍ଗତ ତେନ୍ତୁଳିଆପଦରସ୍ଥିତ ଏକ ଚର୍ଚ୍ଚ ନିକଟରେ ସୁଇଚ୍ ଅଫ୍ ଥିଲା। ପୁଲିସ ଘଟଣାର ତଦନ୍ତ କରୁଛି। ଅନ୍ୟପଟରେ ଯୁବ ପୁତ୍ର ସଂପର୍କରେ ୪ ଦିନ ହେଲା କୌଣସି ସନ୍ଧାନ ମିଳିପାରି ନଥିବାରୁ ବାପା-ମା’, ପରିବାର ଲୋକ, ସଂପର୍କୀୟ ଏବଂ ସାଙ୍ଗସାଥୀ ବ୍ୟସ୍ତ ହୋଇପଡ଼ିଛନ୍ତି।