କନକ ବ୍ୟୁରୋ : ମା ନା ରାକ୍ଷସୀ । ଏଭଳି ଶୀର୍ଷକ ଦେବା ପଛର ବଡ କାରଣ ରହିଛି । କାରଣ ସେମିତି କିଛି କାମ କରିଛି ମା’ । କୁହାଯାଏ ଦୁନିଆର ସବୁଠୁ ଅଧିକ ପ୍ରେମ ମା’ ଓ ଛୁଆଙ୍କ ଭିତରେ ଥାଏ । ଜଣେ ମା’ କେବେ ନିଜ ଛୁଆର କଷ୍ଟ ଦେଖିପାରେନା । କିନ୍ତୁ ମା’ ଯେତେବେଳେ ରାକ୍ଷସୀ ପାଲଟିଯାଏ ସେତେବେଳେ କିଛି ଏମିତି କରିବସେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ । ସେହିଭଳି ଏକ ଘଟଣା ଏବେ ମରିସସରୁ ସାମ୍ନାକୁ ଆସିଛି । ଯେଉଁଠି ଜଣେ ୨୦ ବର୍ଷୀୟ ଯୁବତୀ ବିମାନରେ ଶିଶୁକୁ ଜନ୍ମ ଦେବା ପରେ ଶୌଚାଳୟର ଡଷ୍ଟବିନକୁ ଫିଙ୍ଗି ଦେଇଥିଲେ । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଉକ୍ତ ଯୁବତୀଙ୍କୁ ଗିରଫ କରିଛି ପୋଲିସ ।
ସୂଚନାଯୋଗ୍ୟ, ମେଡାଗାସ୍କରର ୨୦ବର୍ଷର ଜଣେ ଯୁବତୀ ଏୟାର ମରିସସର ବିମାନରେ ଯାତ୍ରା କରୁଥିଲେ। ସେ ଜାନୁଆରି ୧ ତାରିଖରେ ସର ସିବୋସାଗୁର ରାମଗୁଲାମ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଓହ୍ଲାଇ ଥିଲେ। ଏହାପରେ ବିମାନ ସଦସ୍ୟଙ୍କୁ ଉକ୍ତ ଯୁବତୀଙ୍କ ସ୍ୱଭାବରେ ସନ୍ଦେହ ହୋଇଥିଲା।
ଏୟାରଫୋର୍ସ ଅଫିସର ରୁଟିନ କଷ୍ଟମ ଚେକ ସମୟରେ ଶୌଚାଳୟ ଦେଖିବାକୁ ଯାଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଶୌଚାଳୟର ଡଷ୍ଟବିନରେ ନବଜାତ ପଡ଼ିଥିବା ଦେଖିବାକୁ ପାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିଶୁ ଉପରେ ଟଏଲେଟ ପେପର ଗୁଡ଼ାଇ ହୋଇ ରହିଥିବାର ଦେଖିବାକୁ ମିଳିଥିଲା ।
ଅଧିକାରୀ ନବଜାତକୁ ଦେଖିବା ମାତ୍ରେ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ନବଜାତ ଶିଶୁ ସୁସ୍ଥ ଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ। ଏହାପରେ ସନ୍ଦେହ ହୋଇଥିବା ଯୁବତୀଙ୍କୁ ପୁଲିସ ଧରି ପଚାରଉଚରା କରିଥିଲା। ସେ ଏହି ଶିଶୁ ବିଷୟରେ କିଛି ଜାଣି ନଥିବା କହିଥିଲେ। କିନ୍ତୁ ମେଡିକାଲ ପରୀକ୍ଷା ପରେ ଶିଶୁ ତାଙ୍କର ବୋଲି ଜଣାପଡ଼ିଥିଲା। ପରେ ଉକ୍ତ ଯୁବତୀକୁ ଗିରଫ କରାଯାଇଛି ।