ଚିକେନ ଓ ମଟନ୍ ନାଁରେ ହୋଟେଲରେ କୁକୁର ମାଂସ ବିକ୍ରି ହେଉଥିବା ଅଭିଯୋଗ! ବରଫ କଳରୁ ଜବତ ହେଲା ୨୦ ଟନ ମାଂସ

245

ହିନ୍ଦୀ ସିନେମା ରନ ଯିଏ ଦେଖିଥିବ ନିଶ୍ଚିତ ଭାବେ କାଉ ବିରିଆନୀର କମେଡ଼ି ସିନକୁ ମନେ ରଖିଥିବ । ଫିଲ୍ମରେ ସହରରେ ଜଣେ ଯୁବକ ୫ଟଙ୍କା ଦେଇ ଖାଉଛନ୍ତି ବିରିୟାନୀ ଓ ପରେ ଜାଣୁଛନ୍ତି ଯେ ସେ ଖାଇଥିବା ବିରିଆନୀରେ କୁକୁଡ଼ା ନୁହଁ କାଉମାଂସ ବ୍ୟବହାର ହୋଇଥିଲା । ହିନ୍ଦୀ ଫିଲ୍ମର ଏଭଳି ସିନ ଆପଣଙ୍କୁ ମନୋରଂଜନର ଖୋରାକ୍ ଯୋଗାଉଥାଇପାରେ କିନ୍ତୁ କୋଲକାତାରୁ ଆସିଛି ସମାନ୍ ପ୍ରକାର ଅଭିଯୋଗ ।

କୋଲକାତା ରାଜାବଜାର ବରଫ କଳରୁ ଚଢ଼ାଉ କରି ମୃତ ଜୀବଜନ୍ତୁଙ୍କ ୨୦ ଟନ ମାଂସ ଜବତ କରାଯାଇଛି । ପୋଲିସ ଅନୁଯାୟୀ, ମୃତ ଜୀବ ଜନ୍ତୁଙ୍କ ମାଂସ ପ୍ରୋସେସିଂ କରି ହୋଟେଲ ଓ ରେସ୍ତୋରା ଗୁଡ଼ିକୁ ଯୋଗାଣ କରାଯାଉଥିବା ଜଣା ପଡ଼ିଥିଲା । ତେବେ ସବୁୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ମୃତ ଜୀବଜନ୍ତୁ ମଧ୍ୟରେ ଅଧିକାଂଶ କୁକୁର ଓ ବିଲେଇ ରହିଥିବା କଥା ସାମ୍ନାକୁ ଆସୁଛି । ।

ବରଫ କଳରେ ଚଢ଼ାଉ ପରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଫ୍ୟାକ୍ଟ୍ରିରେ ମୃତ ଜୀବଜନ୍ତୁଙ୍କ ମାଂସକୁ କେମିକାଲ ଦିଆଯାଇ ମାଇନସ ୪୪ ଡିଗ୍ରୀ ସେଲସିୟସ ତାପମାତ୍ରାରେ ୪ରୁ ୫ ଦିନ ପର୍ଯ୍ୟନ୍ତ ଫ୍ରିଜରେ ରଖାଯାଇଥାଏ । ପରେ ଏହାକୁ କିଛି ସତେଜ ମାଂସ ସହ ମିଶାଯାଇ ୨୦ କିଲୋ ପ୍ୟାକେଟରେ ରଖାଯାଇଥାଏ । ଏହିଭଳି ଭାବେ ମୋଟ ୧ ହଜାର ପ୍ୟାକେଟ ପ୍ରସ୍ତୁତ କରି ବଡ଼ ବଡ଼ ହୋଟେଲ ଓ ରେସ୍ତୋରାଂ ଯୋଗାଣ କରାଯିବାକୁ ରଖାଯାଇଥିଲା । ଖାସକରି ଝାଡ଼ଖଣ୍ଡ, ଓଡ଼ିଶା ଓ ବିହାର ଭଳି ପଡୋଶୀ ରାଜ୍ୟକୁ ଏହି ମାଂସ ସପ୍ଲାଇ କରିବାକୁ ରଖାଯାଇଥିଲା ବୋଲି ଜଣାପଡିଛି । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ କୋଲକାତାରେ ମାଂସ ବିକ୍ରି ହ୍ରାସ ପାଇଛି ।

କୋଲକାତାର ଅଧିକାଂଶ ରେଷ୍ଟୁରାଂଟ୍ କମ ମୂଲ୍ୟରେ କୁକୁର ଓ ବିଲେଇ ମାଂସ କିଣି ଗ୍ରାହକଙ୍କୁ ମଟନ୍ ଚିକେନ୍ ନାଁରେ ବିକ୍ରି କରିବା ଅଭିଯୋଗ ହେଉଛି । ତେବେ ଏହି ମାମଲାରେ ସାମିଲ ଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ କୋଲକାତା ବ୍ୟତୀତ ଅନ୍ୟ ରାଜ୍ୟରେ ଡେରା ପକାଇଛି ପୋଲିସ । ଏହି ଘଟଣା ସାମ୍ନାକୁ ଆସିବା ପରେ ଗତକିଛି ଦିନ ମଧ୍ୟରେ ମାଛ ଓ ପନିପରିବା ବିକ୍ରିରେ ଆଶାତୀତ ବୃଦ୍ଧି ହୋଇଥିବା ବେଳେ ହୋଟେଲରେ ଚିକେନ୍ ଓ ମଟନ୍ ଚାହିଦା ହଠାତ କମିଯାଇଛି ।ପୂର୍ବ ଭାରତ ହୋଟେଲ୍ ମହାସଂଘ ବାଧ୍ୟ ହୋଇ ପଂଜୀକୃତ ମାଂସ ଯୋଗାଣକାରୀଙ୍କ ନିକଟରୁ ହିଁ ମାଂସ କିଣିବାକୁ ହୋଟେଲଗୁଡ଼ିକୁ ପରାମର୍ଶ ଦେଇଛି ।

ପୂର୍ବ ଭାରତର ବ୍ୟବସାୟିକ ପେଣ୍ଠସ୍ଥଳୀ କୋଲକାତା । ଯେଉଁଠାକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ବିଭିନ୍ନ ଉଦ୍ଦେଶ୍ୟରେ ଯିବା ଆସିବା କରିଥାନ୍ତି । ଯାହାକୁ ଟାର୍ଗେଟ୍ କରି କିଛି ଅସାଧୁ ହୋଟେଲ୍ ବ୍ୟବସାୟୀ ନିମ୍ନ ମାନର ମାଂସ ବିକ୍ରି କରୁଥିବା ଜାତୀୟ ଗଣମାଧ୍ୟମ ସୂତ୍ରରୁ ଜଣା ପଡ଼ିଛି । ଏପରିକି କୁକୁର ଓ ବିଲେଇ ମାଂସ ମଧ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି । ଅନ୍ୟ ପଟେ ରାଜାବଜାରରୁ କୁକୁର ମାଂସ ଜବତ୍ ହେବା ଓ ଚିକେନ ମଟନ୍ ଚାହିଦା ହଠାତ କମିବା ଚିନ୍ତାକୁ ଆହୁରି ବଢ଼ାଇଦେଇଛି । ଏନେଇ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାହକଙ୍କ ଦାବି ଉଠିଛି ।