ଲଟେରୀ ଉଠିଲେ ମିଳିବ ମଦ ଦୋକାନ ପାଇଁ ଲାଇସେନ୍ସ । ପ୍ରାୟ ୧୩ଶହ ମଦ ଦୋକାନ ପାଇଁ ଆବେଦନ କରିଛନ୍ତି ୨୦ ହଜାର ଆଗ୍ରହୀ ।

ଗୋଟିଏ ଦୋକାନ ପାଇଁ ହାରାହାରି ୧୫ଜଣ କରିଛନ୍ତି ଆବେଦନ

308

କନକ ବ୍ୟୁରୋ: ଓଡିଶାରେ ପ୍ରଥମ ଥର ଲାଗି ରାଜ୍ୟ ଅବକାରୀ ବିଭାଗ ସବୁ ମଦ ଦୋକାନ ପାଇଁ ଲାଇସେନସ ଦେବାକୁ ଲଟେରୀ ବ୍ୟବସ୍ଥା ଆରମ୍ଭ କରିଛିି । ଆଉ ଏହି ଲଟେରୀ ଲାଗିଲେ ମିଳିବ ମଦ ଦୋକାନ ପାଇଁ ଲାଇସେନ୍ସ । ତେବେ ମଦଦୋକାନ ଖୋଲିବା ପାଇଁ ଖୋଲିବା ପାଇଁ ଲୋକଙ୍କ ଭିତରେ କେତେ ଆଗ୍ରହ ଅଛି ତାହା ଆପଣ ଆବେଦନ ସଂଖ୍ୟାରୁ ଜାଣିପାରିବେ । ଏଥର ମୋଟ ୧୨୯୭ ମଦଦୋକାନ ପାଇଁ ଲାଇସେନ୍ସ ମିଳିବ । କିନ୍ତୁ ଏଥିପାଇଁ ଆବଦେନ କରିଛନ୍ତି ୧୯, ୪୧୬ ଜଣ । ଏଥିରୁ ସହଜରେ ଅନୁମାନ କରିହେବ ମଦ ଦୋକାନ ପାଇଁ କେତେ ଚାହିଦା ରହିଛି ।

ପ୍ରତି ଆବେଦନକାରୀଙ୍କ ଠାରୁ ୧ ଲକ୍ଷ ଟଙ୍କା ଆବେଦନ ରାଶି ନିଆଯାଉଛି, ଯାହା ଫେରନ୍ତ ହେବନାହିଁ । ଜିଲ୍ଳାୱାରୀ ପ୍ରତି ଜିଲ୍ଲା ପାଇଁ ଆଗ୍ରହୀ ବ୍ୟକ୍ତିମାନେ ଅନଲାଇନରେ ଆବେଦନ କରୁଥିବା ବେଳେ କେତେକ ଜିଲ୍ଲାରେ ଆବେଦନ ତାରିଖ ଶେଷ ହେଲାଣି । ଏପ୍ରିଲ ୯ ତାରିଖ ସୁଦ୍ଧା ସବୁ ଜିଲ୍ଲାରେ ସରିବ ଆବେଦନ ପ୍ରକ୍ରିୟା ।

୧୧୩୨ଟି ଇଣ୍ଡିଆନ ମେଡ ଫରେନ ଲିକର-ଅଫ୍-ସପ ପାଇଁ ଆବେଦନ ଆହ୍ୱାନ କରାଯାଇଥିବା ବେଳେ ୧୬୫ଟି ଦେଶୀ ମଦ ଦୋକାନ ପାଇଁ ବି ଆବେଦନ ଆହ୍ୱାନ କରାଯାଇଛି । ମୋଟ ୧୨୯୭ ଦୋକାନ ପାଇଁ ଏପର୍ଯ୍ୟନ୍ତ ଆସିଲାଣି ୧୯, ୪୧୬ଟି ଆବେଦନ । ଅର୍ଥାତ୍ ପ୍ରତି ଦୋକାନ ପାଇଁ ଅଛନ୍ତି ପ୍ରାୟ ୧୫ଜଣ ଆବେଦନକାରୀ । କେବଳ ଆବେଦନ ଫି ବାବଦରେ ସରକାର ପାଇଯିବେ ପ୍ରାୟ ୨୦୦ କୋଟି ଟଙ୍କା ।

ଭାରତର ଅଧିକାଂଶ ରାଜ୍ୟ ଲଟେରୀ ବ୍ୟବସ୍ଥାରେ ମଦ ଦୋକାନ ପାଇଁ ଲାଇସେନ୍ସ ଦେଉଛନ୍ତି । ଲାଇସେନ୍ସର ଅବଧି ରହିବ ୫ ବର୍ଷ । ଆବେଦନକାରୀଙ୍କୁ ଫେରସ୍ତ ନ ହେବାକୁ ଥିବା ୧ ଲକ୍ଷ ଟଙ୍କା ଆବେଦନ ଫି ବ୍ୟତୀତ ୩ ମାସର କନସିଡରେସନ୍ ଫି ମଧ୍ୟ ଜମା କରିବାକୁ ପଡ଼ିବ । ଯଦି ଆବେଦନକାରୀ ଲଟେରୀ ଜରିଆରେ ଦୋକାନ ପାଇବେ ନାହିଁ ତେବେ କେବଳ ତାଙ୍କର ତିନି ମାସର କନସିଡରେସନ୍ ଫି ଫେରିପାଇବେ । ମଦ ଦୋକାନ ଲାଇସେନ୍ସ ପାଇଁ ଲୋକଙ୍କ ଭିତରେ ଜୋରସୋର ଆଗ୍ରହ ଦେଖାଯାଉଥିବା ବେଳେ ଲୋକଙ୍କୁ ଶୁଦ୍ଧ ମଦ ଯୋଗାଇବା ନାଁରେ ସରକାର ଭୁଲ ନୀତି ଆପଣାଉଛନ୍ତି ବୋଲି ସମାଜସେବୀମାନେ କହିଛନ୍ତି ।