୯ ତାରିଖରେ ପ୍ରଧାନମନ୍ତ୍ରୀ ନେବେ ଶପଥ: ସଂସଦୀୟ ଦଳ ବୈଠକ ପୂର୍ବରୁ ୨୦ ଓଡିଶା ବିଜେପି ସାଂସଦଙ୍କୁ ଦିଲ୍ଲୀ ଡାକରା

475

କନକ ବ୍ୟୁରୋ: ଓଡିଶାର ମୁଖ୍ୟମନ୍ତ୍ରୀ କିିଏ ହେବେ ଚର୍ଚା ଭିତରେ ଓଡିଶାରୁ କେତେ ଜଣ ମୋଦୀଙ୍କ ତୃତୀୟ ପାଳି ସରକାରରେ କେନ୍ଦ୍ରମନ୍ତ୍ରୀ ହେବେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଏହିସବୁ ଚର୍ଚ୍ଚା ଭିତରେ ୨୦ ନିର୍ବାଚିତ ବିଜେପି ସାଂସଦ ଦିଲ୍ଲୀ ପହଂଚିଛନ୍ତି । ୨୦୧୯ରେ ୮ ସାଂସଦଙ୍କ ମଧ୍ୟରୁ ୨ ଜଣ ମନ୍ତ୍ରୀ ହୋଇଥିଲେ । ଏବେ ୨୦ ସାଂସଦଙ୍କ ମଧ୍ୟରୁ କେତେ ଜଣ ମନ୍ତ୍ରୀ ହେବେ ତାକୁ ନେଇ ଚର୍ଚ୍ଚା ବଢିଛି ।

ଓଡିଶାରେ ମୁଖ୍ୟମନ୍ତ୍ରୀ କିଏ ହେବେ, ତାକୁ ନେଇ ଭୁବନେଶ୍ୱରରୁ ଆରମ୍ଭ କରି ଦିଲ୍ଲୀରେ କସରତ ଚାଲିଛି । ଦିଲ୍ଲୀ ନିଷ୍ପତ୍ତି ପରେ ବିଧାୟକ ଦଳ ବୈଠକ ବସିବ । ଆଉ ତା ପୂର୍ବରୁ ନବନିର୍ବାଚିତ ୨୦ ସାଂସଦଙ୍କୁ ଦିଲ୍ଲୀ ଡାକିଛନ୍ତି କେନ୍ଦ୍ର ନେତୃତ୍ୱ । ଦିଲ୍ଲୀ ବୈଠକରେ ମୁଖ୍ୟମନ୍ତ୍ରୀ ପଦ ଓ କେନ୍ଦ୍ରମନ୍ତ୍ରୀ ପଦ ନେଇ ସାଂସଦଙ୍କ ଠାରୁ ମତାମତ ନିଆଯିବ । ସଂସଦୀୟ ବୋର୍ଡ ବୈଠକ ପୂର୍ବରୁ ବିଜେପି ନେତୃତ୍ୱ ନୂଆ ସାଂସଦଙ୍କଠାରୁ ୱାନ ଟୁ ୱାନ ମତାମତ ସଂଗ୍ରହ କରିବେ ।

୮ ସାଂସଦରେ ୨ ମନ୍ତ୍ରୀ
୨୦ ସାଂସଦରେ କେତେ?
କେନ୍ଦ୍ରରେ ବିଜେପି ବଡ ଦଳ ହୋଇଛି । ଆଉ କୁହାଯାଉଛି, ବଡ ଦଳ ହେବାରେ ଓଡିଶାର ଭୂମିକା ବେଶୀ ରହିଛି । ୨୧ରୁ ୨୦ ଏମପି ଦେଇଛି ଓଡିଶା । ତେଣୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡିଶାକୁ କେତେ ଭାଗ ମିଳିବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୯ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ସନ୍ଧ୍ୟା ୬ଟାରେ ହୋଇପାରେ ଶପଥ ଗ୍ରହଣ ସମାରୋହ । ତାଙ୍କ ମନ୍ତ୍ରୀମଣ୍ଡଳର ସ୍ୱରୂପକୁ ନେଇ ଏବେ ଚର୍ଚ୍ଚ ଆରମ୍ଭ ହୋଇଛି । ଏନଡିଏର ମୁଖ୍ୟ ସହଯୋଗୀ ଦଳ ଟିଡିପି ଓ ଜେଡିୟୁ ୪ ଜଣ ସାଂସଦରେ ଜଣେ ମନ୍ତ୍ରୀ ପଦ ଦାବି କରୁଛନ୍ତି । ସେହି ହିସାବରେ ଦେଖିଲେ ଓଡିଶାକୁ କେତେ ମନ୍ତ୍ରୀ ପଦ ମିଳିବ ସେ ଉପରେ ସମସ୍ତଙ୍କ ନଜର ରହିଛି । ୨୦୧୯ରେ ୮ ବିଜେପି ସାଂସଦ ଓଡିଶାରୁ ନିର୍ବାଚିତ ହୋଇଥିଲେ । ଆଉ ରାଜ୍ୟକୁ ମିଳିଥିଲା ୨ଟି ମନ୍ତ୍ରୀ ପଦ । ଏବେ ୨୦ ସାଂସଦ ଥିବାରୁ ଅଧିକ ମନ୍ତ୍ରୀପଦ ଓ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ମିଳିବ ବୋଲି ଆଶା କରାଯାଉଛି । ଆସନ୍ତୁ ନଜର ପକାଇବା କିଏ ହୋଇପାରନ୍ତି କେନ୍ଦ୍ରମନ୍ତ୍ରୀ?

୧. ଧର୍ମେନ୍ଦ୍ର ପ୍ରଧାନ
୨. ଅପରାଜିତା ଷଡଙ୍ଗୀ
୩. ବୈଜୟନ୍ତ ପଣ୍ଡା
୪. ଜୁଏଲ ଓରାମ
୫. ପ୍ରତାପ ଷଡଙ୍ଗୀ
୬. ପ୍ରଦୀପ ପାଣିଗ୍ରାହୀ
୭. ନବଚରଣ ମାଝି

୨୦୧୯ରେ ଧର୍ମେନ୍ଦ୍ର ପ୍ରଧାନ ଅନ୍ୟ ରାଜ୍ୟ କୋଟାରୁ କେନ୍ଦ୍ରମନ୍ତ୍ରୀ ହୋଇଥିଲେ । ଏବେ କିନ୍ତୁ ସମ୍ବଲପୁରରୁ ସାଂସଦ ଭାବେ ନିର୍ବାଚିତ ହେବା ପରେ ଓଡିଶା କୋଟାରୁ ମନ୍ତ୍ରୀ ହୋଇପାରନ୍ତି । ଯେହେତୁୁ ସେ ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି , ଏଭଳି ହେଲେ ଅନ୍ୟଙ୍କୁ ସୁଯୋଗ ମିଳିପାରେ । ଅପରାଜିତା ଷଡଙ୍ଗୀ, ବୈଜୟନ୍ତ ପଣ୍ଡା, ଜୁଏଲ ଓରାମ, ପ୍ରତାପ ଷଡଙ୍ଗୀଙ୍କ ଭଳି ବଡ ନେତାଙ୍କୁ ମିଳିପାରେ ମନ୍ତ୍ରୀପଦ । ଗଂଜାମରେ ବିଜେଡି ମୂଳପୋଛ ହେବା ପରେ ପ୍ରଦୀପ ପାଣିଗ୍ରାହୀଙ୍କ ଦବଦବା ବଢିଛି । ତେଣୁ ସେ ବି କେନ୍ଦ୍ରମନ୍ତ୍ରୀ ରେସରେ ଅଛନ୍ତି । ସେହିଭଳି ମୟୁରଭଞ୍ଜରେ ମନ୍ତ୍ରୀ ଥିବା ସୁଦାମ ମାର୍ଣ୍ଡିଙ୍କୁ ହରାଇଥିବାରୁ ନବଚରଣ ମାଝିଙ୍କୁ କେନ୍ଦ୍ରମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।