କନକ ବ୍ୟୁରୋ : ଆମ ବସଷ୍ଟାଣ୍ଡ ଯୋଜନାରେ ୧୩ଟି ଜିଲ୍ଲାର ୨୦ଟି ନୂତନ ବସଷ୍ଟାଣ୍ଡର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲରେ ବିଭିନ୍ନ ଅଞ୍ଚଳର ନୂତନ ବସଷ୍ଟାଣ୍ଡର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗ୍ରାମାଞ୍ଚଳର ରାସ୍ତା, ବସଷ୍ଟାଣ୍ଡର ଉନ୍ନତିକରଣ, ଲକ୍ଷ୍ମୀ ଯୋଜନାରେ ବସ୍ ଚଳାଚଳ ପରିବହନ ବ୍ୟବସ୍ଥାକୁ ସୁଦୃଢ କରିଛି ବୋଲି ବିଭିନ୍ନ ଅଞ୍ଚଳର ଲୋକ କହିଛନ୍ତି ।
ପରିବହନ ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବାକୁ ଆମ ବସଷ୍ଟାଣ୍ଡ ଯୋଜନାର ପରିକଳ୍ପନା କରାଯାଇଥିଲା । ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆମ ବସଷ୍ଟାଣ୍ଡର ଉଦଘାଟନ ସରିଛି । ପ୍ରଥମ ପର୍ଯ୍ୟାୟରେ ୫୫ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା ଯେଉଁ ମଧ୍ୟରୁ ୨୩ଟି ବସଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି । ଏବେ ଆଉ ୨୦ଟି ବସଷ୍ଟାଣ୍ଡର ଲୋକାର୍ପଣ ହେଉଛି ।
ଉଦଘାଟନ ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯୋଗାଯୋଗ ହେଉଛି ବିକାଶର ଆଧାର । ଏହା ହେଉଛି ଆମ ଅର୍ଥନୀତିର ମୁଖ୍ୟ ଶକ୍ତି। ଗାଁଠୁ ସହର ସବୁଆଡେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବା ଆମର ଲକ୍ଷ୍ୟ ରହିଛି। ୫ଞ ଉପକ୍ରମରେ ଆମର ଯୋଗାଯୋଗ ଭିତ୍ତିଭୂମି ଓ ସାଧାରଣ ପରିବହନର ବ୍ୟବସ୍ଥାର ବିକାଶ କରାଯାଉଛି। ଗାଁକୁ ଲକ୍ଷ୍ମୀ ଯୋଜନାରେ ବ୍ଲକ ସହ ଯୋଡା ଯାଉଛି। ଭୁବନେଶ୍ୱରରେ ମେଟ୍ରୋ ରେଳ ଯୋଜନା ଆରମ୍ଭ ହୋଇଛି ବୋଲି କହି ଯୋଗାଯୋଗରେ ଉନ୍ନତି ହେଲେ ଲୋକଙ୍କ ରୋଜଗାର ବଢିବା ସହ ଚାଷୀ ଭାଇ ଭଉଣୀମାନେ ଲାଭବାନ ହେବେ ଓ ପିଲାଙ୍କ ପାଠପଢାରେ ସୁବିଧା ହେବ ବୋଲି ସେ କହିଥିଲେ।
‘ଆମ ବସ୍ ଷ୍ଟାଣ୍ଡ’କୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେ ନୂଆ ବସ୍ ଷ୍ଟାଣ୍ଡଗୁଡିକ ବ୍ୟବସାୟ କେନ୍ଦ୍ର ଭାବେ ଧିରେ ଧିରେ ବିକଶିତ ହେବ ଏବଂ ଏହା ଦ୍ୱାରା ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇବ। ସେ ଆହୁରି ମଧ୍ୟ କହିଥିଲେ ଯେ ସାଧାରଣ ପରିବହନ ଭିତ୍ତିଭୂମିକୁ ମଜବୁତ୍ କରିବା ସହିତ ଲୋକମାନେ ଯେପରି ଏହି ସାଧାରଣ ପରିବହନ ବ୍ୟବସ୍ଥାକୁ ବହୁଳ ଭାବେ ବ୍ୟବହାର କରିବେ ସେଥିପାଇଁ ସମସ୍ତଙ୍କୁ ସଚେତନ କରିବା ଆବଶ୍ୟକ। ନୂଆ ବସ୍ ଷ୍ଟାଣ୍ଡରେ ଲୋକମାନଙ୍କର ସୁରକ୍ଷା ସହିତ ସେଠାରେ ଉପଲବ୍ଧ ସାଧାରଣ ସୁବିଧା ସୁଯୋଗର ଉପଯୁକ୍ତ ରକ୍ଷଣାବେକ୍ଷଣ ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଥିଲେ।