ଚୋର କରିଦେଲା ପବଜି ଖେଳ : ପବଜି ଖେଳିବା ପାଇଁ ଦୋକାନରୁ ୨୦ ଟି ମୋବାଇଲ୍ ଚୋରୀ କରି ପୁଲିସ୍ ହାବୁଡ଼ରେ ଧରା ପଡିଲେ ୨ ନାବାଳକ ।

332

ଅନଲାଇନ୍ ଗେମ୍ ପବଜି ନାବାଳକ ତଥା ଯୁବପିଢିଙ୍କୁ ଏତେ ପାଗଳ କଲାଣି ଯେ ଖେଳ ପାଇଁ ଚୋରୀ କରିବାକୁ ବି ପିଲାଏ ପଛଘୁଞ୍ଚା ଦେଉନାହାନ୍ତି । ବର୍ତ୍ତମାନ ଏହି ଖବର ହିଁ ଦେଖିନିଅନ୍ତୁ , ଦିଲ୍ଲୀର ନେବସରାୟ ଅଞ୍ଚଳର ୨ ଜଣ ନାବାଳକଙ୍କୁ ପବଜି ଖେଳିବାର ଅଭ୍ୟାସ ଥିଲା । କିନ୍ତୁ ଫୋନ୍ ଖରାପ ହେବା କାରଣରୁ ଏବଂ ସାଙ୍ଗସାଥୀମାନଙ୍କ ପାଖରେ ଭଲ ସ୍ମାର୍ଟଫୋନ୍ ନଥିବା କାରଣରୁ ଏହି ୨ ନାବାଳକ ଲକଡାଉନ୍ ଭିତରେ ଚୋର ସାଜିଗଲେ । ଲକଡ଼ାଉନ୍ ଭିତରେ ମୋବାଇଲ୍ ସଟର୍ ଭାଙ୍ଗି ୨ ନାବାଳକ ୨୦ ଟି ମୋବାଇଲ୍ ଫୋନ୍ ଚୋରୀ କରିଥିଲେ । ଦୋକାନରୁ ୨୦ ଟି ମୋବାଇଲ୍ ସେଟ୍ , ୩୦ ଟି ମୋବାଇଲ୍ ବ୍ୟାଟେରୀ , ଲୁଡୋ ଏବଂ ଅନ୍ୟ କିଛି ଗେମ୍ ଚୋରୀ ହୋଇଥିବା କଥା ଦୋକାନୀ ପୁଲିସଙ୍କୁ ଜଣାଇଥିଲେ ।

ଏହାପରେ ଆଖପାଖ ସିସିଟିଭି ଫୁଟେଜରୁ ଏହି ୨ ନାବାଳକ ଚୋରୀ କରିଥିବା ଜଣାପଡିଥିଲା । ପଚରାଉଚରା ସମୟରେ ୨ ନାବାଳକ ପବଜି ଆଡିକ୍ଟେଡ୍ ବୋଲି ଜଣାପଡିଥିଲା । ଏହି ଗେମ୍ କୁ ଗ୍ରୁପରେ ଖେଳାଯାଏ ଏବଂ ସାଙ୍ଗମାନଙ୍କ ପାଖରେ ସ୍ମାର୍ଟଫୋନ୍ ନଥିବା କାରଣରୁ ସେମାନେ ଏହି ଗେମକୁ ଖେଳିପାରୁନଥିଲେ । ଦୁହିଁଙ୍କ ମୋବାଇଲ୍ ମଧ୍ୟ ଖରାପ ଥିବା କାରଣରୁ ସେମାନେ ମୋବାଇଲ୍ ଚୋରୀ କରିଥିଲେ । ଆପଣଙ୍କୁ ଏଠାରେ କହିରଖୁଛୁ ଏହି ଗେମ୍ ଖେଳୁଥିବା ନାବାଳକ ହିଂସାତ୍ମକ ତଥା ମନୋବିକାରର ଶିକାର ହେଉଛନ୍ତି । ଏତିକି ନୁହଁ ପବଜି କାରଣରୁ କିଛି ପିଲାଙ୍କ ଜୀବନ ମଧ୍ୟ ଚାଲିଗଲାଣି ।