କନକ ବ୍ୟୁରୋ : ମହାରାଷ୍ଟ୍ରରେ କ୍ଷମତା ଦଖଲକୁ ନେଇ ଚାଲିଥିବା ଖଣ୍ଡଯୁଦ୍ଧ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏକନାଥ ସିନ୍ଦେଙ୍କୁ ସାକ୍ଷାତ କରିଥିବା ନେଇ ଚର୍ଚ୍ଚା ଜୋର ଧରୁଛି । ସୂତ୍ର ସୂଚନା ମୁତବାକ ଶନିବାର ଦିନ ଫଡନାଭିସ ଏକ ଘରୋଇ ବିମାନରେ ଗୁହାଟିରୁ ବଡୋଦରା ଯାଇ ସେଠାରେ ସିନ୍ଦେଙ୍କୁ ଭେଟିଛନ୍ତି ବୋଲି କୁହାଯାଉଛି । ସେପଟେ ବିଦ୍ରୋହୀ ବିଧାୟକଙ୍କ ସମର୍ଥନରେ ସିନ୍ଦେ ନୂଆ ଦଳ ଗଠନ କରିବେ ବୋଲି ବି ଚର୍ଚ୍ଚା ହେଉଛି । ଏହି ନୂଆ ଦଳର ନାମ ‘ଶିବସେନା ବାଲା ସାହେବ ଠାକରେ’ ରଖିବା ନେଇ ସୂଚନା ଆସିବା ପରେ ଏହାକୁ ନେଇ ଅଭିଯୋଗ କରିଛି ଶିବସେନା ।

Advertisment

ସେପଟେ କିଛି ସୂତ୍ର ସୂଚନା ମୁତବାକ ସିନ୍ଦେ ଗ୍ରୁପରେ ଥିବା କିଛି ଶିବସେନା ବିଧାୟକଙ୍କ ମଧ୍ୟରୁ ଏବେ ୨୦ ଜଣ ବିଧାୟକଙ୍କର ମୋହ ଭଙ୍ଗ ହୋଇଛି । ସେମାନେ ଏବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ସଂପର୍କରେ ରହିଥିବା କଥା କୁହାଯାଉଛି । କୁହାଯାଉଛି କି ଏହି ବିଧାୟକମାନେ ଶିବସେନା ଓ ବିଜେପି ମେଣ୍ଟକୁ ସ୍ୱିକାର କରିବାକୁ ରାଜି ନୁହଁନ୍ତି ।

ଅନ୍ୟପଟେ ବିଦ୍ରୋହୀ ବିଧାୟକମାନଙ୍କ ମଧ୍ୟରେ ମନ୍ତ୍ରୀପଦ ପାଇଥିବା ବିଧାୟକଙ୍କ ପାଇଁ କଠୋର ହୋଇପାରନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ବିଦ୍ରୋହୀ ମନ୍ତ୍ରୀମାନଙ୍କ ସଭ୍ୟପଦ ରଦ୍ଦ କରିବାକୁ ଉଦ୍ଧବ ଠାକରେ ଯୋଜନା ପ୍ରସ୍ତୁତ କରୁଥିବା କଥା ବି କୁହାଯାଉଛି ।

କହିରଖୁ କି ସଂଖ୍ୟା ଗଣିତରେ ଆଗରେ ରହିଥିବା କଥା ଦାବି କରୁଥିବା ଏକନାଥ ସିନ୍ଦେ ମୁମ୍ବାଇ ନଫେରିବା ନେଇ ଅନେକ କଥା ଆକଳନ କରାଯାଉଛି । ଶିବସେନା ନେତା ସଂଜୟ ରାୱତ  ବିଦ୍ରୋହୀ ବିଧାୟକମାନଙ୍କୁ ମୁମ୍ବାଇ ଫେରିଆସିବାକୁ ବାରମ୍ବାର ଆହ୍ୱାନ କରୁଥିଲେ ବି ସେମାନେ କାହିଁକି ମୁମ୍ବାଇ ନ ଫେରି ଗୁହାଟୀରେ ରହିଛନ୍ତି ତାହାକୁ ନେଇ ଏବେ ବି ଅନେକ ପ୍ରଶ୍ନ ।