କନକ ବ୍ୟୁରୋ : କଙ୍ଗନା ମାମଲା, ଟଆରପି ସ୍କାମ ଭଳି ମାମଲାରେ ଛନ୍ଦି ହୋଇ ଜେଲ ଯାଇଥିବା ରିପବ୍ଲିକ ଭାରତ ଟିଭିର ମୁ୍ଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ପାଇଁ ଏବେ ଅଡୁଆ ବଢିବାରେ ଲାଗିଛି । ରିପବ୍ଲିକ ଟିଭିର ହିନ୍ଦି ଚ୍ୟାନେଲ ଉପରେ ବ୍ରିଟିଶ ବ୍ରଡକାଷ୍ଟିଂ ରେଗୁଲେଟର ୨୦ ହଜାର ପାଉଣ୍ଡ ଅର୍ଥାତ ୨୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି । ଅଭିଯୋଗ ରହିଚି କି ଅର୍ଣ୍ଣବ ଚ୍ୟାନେଲରେ ବିିତର୍କ କରୁଥିବା ବେଳେ ହେଟ୍ ସ୍ପିଚ୍ ନିୟମ ଉଲଙ୍ଘନ କରିଛନ୍ତି ।
ଗତ ମଙ୍ଗଳବାର ଦିନ ଅଫିସ ଅଫ୍ କମ୍ୟୁନିକେସନ୍ ବା ଅଫକମ୍ ୱାର୍ଲ୍ଡଭ୍ୟୁ ମିଡିଆ ନେଟୱାର୍କ ଲିମିଟେଡ ବିରୋଧରେ ଏକ ଆଦେଶ ଜାରି କରିଛନ୍ତି । ସେ କହିଛନ୍ତି କି ୨୦୧୯ ମସିହା ସେପ୍ଟେମ୍ବର ୬ ତାରିଖରେ ରିପବ୍ଲିକ ଭାରତ ଚ୍ୟାନେଲରେ ଚାଲିଥିବା ବିତର୍କ କାର୍ଯ୍ୟକ୍ରମ ‘ପୁଛତା ହେ ଭାରତ’ ରେ ହେଟ୍ ସ୍ପିଚ୍ ଚାଲିଥିଲା । ସେଥିରେ ଅପମାନଜନକ ଶବ୍ଦ ବ୍ୟବହାର କରାଯାଉଥିଲା ବୋଲି ଅଫକମର ଜଣେ ଏକଜିକ୍ୟୁଟିଭ୍ ଜାଣିବାକୁ ପାଇଥିଲେ । ଯାହା କି ବ୍ରଡକାଷ୍ଟିଙ୍ଗ୍ ନିୟମ ୨.୩, ୩,୨୦.୩ ର ଉଲଙ୍ଘନ କରିଛି ।
ବ୍ରିଟିଶ ବ୍ରୋଡକାଷ୍ଟିଙ୍ଗ୍ ରେଗୁଲେଟର ଅଫକମ କହିଛି କି ‘ପୁଛତା ହେ ଭାରତ’ କାର୍ଯ୍ୟକ୍ରମରେ ଏମିତି ବୟାନ ସାମିଲ ହୋଇଥିଲା ଯେ ତାହା ସାରା ବିଶ୍ୱରେ ପାକିସ୍ତାନ ବିରୋଧରେ ଘୃଣା ସୃଷ୍ଟି କରିବା ଭଳି ବକ୍ତବ୍ୟ ଥିଲା । ଏଥିରେ ପାକିସ୍ତାନ ନାଗରିକଙ୍କ ବିରୋଧରେ ଅପମାନଜନକ ଶବ୍ଦ ବ୍ୟବହାର କରାଯାଇଥିଲା । ଯାହାକି ଜାତୀୟତା ଆଧାରରେ ପାକିସ୍ତାନକୁ ଅପମାନ କରାଯାଇଥିଲା । ଯେଉଁ ବୟାନ ଅନ୍ୟର ବକ୍ତିଗତ ଓ ଜାତିଗତ ଓ ଧର୍ମିୟ ଭାବନାକୁ ଅଘାତ କରିବ ତାହା ଅଫକମ୍ ଦୃଷ୍ଟିରେ ଅପରାଧ ବୋଲି ଏହି ଆଦେଶରେ କୁହାଯାଇଛି । ଏନେଇ ଅଫକମ୍ ଏକ ନୂଆ ଗାଇଡଲାଇନ ଜାରି କରିଛି । ଏହି ଗାଇଡ ଲାଇନରେ ଏଭଳି କାର୍ଯ୍ୟକ୍ରମ ପୁଣିଥରେ ପ୍ରସାରଣ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ଥାଉକି ଏହା ପୂର୍ବରୁ ବ୍ରିଟେନର ମିଡିଆ ଉପରେ ନଜର ରଖିଥିବା ନିୟାମକ ଅଫକମ୍ ବିବାଦୀ ଇସ୍ଲାମିକ ପ୍ରଚାରକ ଜାକିର ନାଇକଙ୍କ ପସ୍ ଟିଭି ନେଟୱାର୍କ ଉପରେ ୩ ଲକ୍ଷ ପାଉଣ୍ଡର ଜରିମାନା ଲଗାଇଥିଲା । ରିପବ୍ଲିକ ଭାରତ ଉପରେ ଲଗାଯାଇଥିବା ଜରିମାନା ବାବଦରେ ଅର୍ଣ୍ଣବଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ ।