ବାଇଡେନ ପ୍ରଶାସନରେ ସ୍ଥାନ ପାଇଲେ ୨୦ ଭାରତୀୟ ବଂଶୋଦ୍ଭବ : ଜାଣନ୍ତୁ କେଉଁମାନେ ହେଲେ ସାମିଲ୍ 

139

କନକ ବ୍ୟୁରୋ : ବାଇଡେନ ପ୍ରଶାସନରେ ୨୦ ଜଣ ଭାରତୀୟ ବଂଶୋଦ୍ଭବ ସ୍ଥାନ ପାଇଛନ୍ତି । ଏମାନଙ୍କ ଭିତରୁ ୧୭ ଜଣଙ୍କୁ ହ୍ୱାଇଟ ହାଉସରେ ସ୍ଥାନ ମିଳିଛି । ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ଭାରତୀୟ ଆମେରିକୀୟ ରାଷ୍ଟ୍ରପତିଙ୍କ ଟିମରେ ସ୍ଥାନ ପାଇବା ଭାରତ-ଆମେରିକା ସଂପର୍କରେ ନିବିଡତା ଆଣିପାରେ ବୋଲି ଚର୍ଚ୍ଚା ହେଉଛି ।

ଜାଣନ୍ତୁ କେଉଁମାନେ ବାଇଡେନ ପ୍ରଶାସନରେ ସ୍ଥାନ ପାଇଛନ୍ତି …

ନୀରା ଟାଣ୍ଡେନ୍ – ସେ ହ୍ଵାଇଟ୍‌ ହାଉସ୍‌ ‘ଅଫିସ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ୍‌ ଆଣ୍ଡ୍‌ ବଜେଟ୍‌’ର ନିର୍ଦ୍ଦେଶିକା ଭାବେ ମନୋନୀତ ହୋଇଛନ୍ତି । ମାସାଚ୍ୟୁସେଟ୍‌ସ୍‌ର ବେଡ୍‌ଫୋର୍ଡରେ ଜନ୍ମିତା ୫୦ ବର୍ଷୀୟା ଟାଣ୍ଡେନ୍‌ ସମ୍ପ୍ରତି ‘ସେଣ୍ଟର୍‌ ଫର୍‌ ଆମେରିକାନ୍‌ ପ୍ରୋଗ୍ରେସ୍‌’ର ଅଧ୍ୟକ୍ଷା ଅଛନ୍ତି ।

ଡକ୍ଟର ବିବେକ ମୂର୍ତ୍ତି – ୨୧ତମ ୟୁଏସ୍‌ ଜେନେରାଲ୍‌ ସର୍ଜନ୍‌ ଭାବେ ମନୋନୀତ ହୋଇଛନ୍ତି ୪୩ ବର୍ଷୀୟ ଡାକ୍ତର ବିବେକ ମୂର୍ତ୍ତି। ପୂର୍ବରୁ ସେ ଓବାମା ପ୍ରଶାସନରେ ୧୯ତମ ୟୁଏସ୍‌ ଜେନେରାଲ୍‌ ସର୍ଜନ୍‌ ଥିଲେ। ମୂର୍ତ୍ତିଙ୍କ ପରିବାର କର୍ଣ୍ଣାଟକରୁ ଯାଇ ଆମେରିକାରେ ବସବାସ କରିଥିଲେ। ବୋଷ୍ଟନ୍‌ସ୍ଥିତ ‘ବ୍ରିଗହାମ୍‌ ଆଣ୍ଡ୍‌ ଉମାନ୍‌ସ୍‌ ହସ୍ପିଟାଲ୍‌’ରୁ ଇଣ୍ଟର୍‌ନାଲ୍‌ ମେଡିସିନ୍‌ରେ ସିଡେନ୍‌ସି ଶେଷ କରିଥିଲେ।

ବନିତା ଗୁପ୍ତା – ଆସୋସିଏଟ୍‌ ଆଟର୍ଣ୍ଣି ଜେନେରାଲ୍‌ ଭାବେ ବନିତା ଗୁପ୍ତଙ୍କୁ ମନୋନୀତ କରିଛନ୍ତି ଜୋ ବାଇଡେନ୍ ‌। ପ୍ରବାସୀ ଭାରତୀୟଙ୍କ ସନ୍ତତି ଭାବେ ପେନ୍‌ସିଲ୍‌ଭାନିଆର ଫିଲାଡେଲ୍‌ଫିଆରେ ଜନ୍ମିତା ବନିତା ୟାଲେ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିବା ପରେ ୨୦୦୧ରେ ନ୍ୟୁୟର୍କ ୟୁନିଭର୍ସିଟି ସ୍କୁଲ୍‌ ଅଫ୍‌ ଲ’ରୁ ଜୁରିସ୍‌ ଡକ୍ଟର୍‌ ଡିଗ୍ରି ହାସଲ କରିଥିଲେ ।

ଉଜ୍ରା ଜେୟା – ସାଧାରଣ ନାଗରିକ ସୁରକ୍ଷା, ଗଣତନ୍ତ୍ର ଏବଂ ମାନବ ଅଧିକାର ଅଣ୍ଡର୍‌ ସେକ୍ରେଟେରି ଭାବେ ମନୋନୀତ ହୋଇଛନ୍ତି ଉଜ୍ରା ଜେୟା ନାମ୍ନା ଅନ୍ୟ ଜଣେ ଭାରତୀୟ-ଆମେରିକୀୟ । ଜର୍ଜ ଟାଉନ୍‌ ୟୁନିଭର୍ସିଟି ସ୍କୁଲ୍‌ ଅଫ୍‌ ଫରେନ୍‌ ସର୍ଭିସ୍‌ରୁ ଜେୟା ସ୍ନାତକ ହାସଲ କରିଥିଲେ । ୧୯୯୦ ଦଶକରେ ଜେୟା ଯୁକ୍ତରାଷ୍ଟ୍ର ଆମେରିକାର ବିଦେଶ ସେବାରେ ଯୋଗ ଦେଇ ନୂଆଦିଲ୍ଲୀ, ମସ୍‌କାଟ୍‌, ଡାମାସ୍‌କସ୍‌, କାଇରୋ ଏବଂ କିଙ୍ଗଷ୍ଟନ୍‌ରେ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଛନ୍ତି ।

ବିନୟ ରେଡ୍ଡି – ଭାଷଣ ଲିଖନ ନିର୍ଦ୍ଦେଶକ ଭାବେ ଭାରତୀୟ-ଆମେରିକୀୟ ବିନୟ ରେଡ୍ଡୀଙ୍କୁ ନିଯୁକ୍ତ କରିଛନ୍ତି ଜୋ ବାଇଡେନ୍‌। ପୂର୍ବରୁ ସେ ବାଇଡେନ୍‌ ଓ ହାରିସ୍‌ଙ୍କ ନିମନ୍ତେ ଭାଷଣ ଲେଖିଛନ୍ତି। ଓହିଓର ଡେଟନ୍‌ରେ ଲାଳିତପାଳିତ ରେଡ୍ଡୀ ହେଉଛନ୍ତି ଜଣେ ପ୍ରବାସୀ ଭାରତୀୟଙ୍କ ମଝିଆଁ ପୁଅ। ଓହିଓ ଷ୍ଟେଟ୍‌ ୟୁନିଭର୍ସିଟି କଲେଜ୍‌ ଅଫ୍‌ ଲ’ରୁ ଡିଗ୍ରି ହାସଲ କରିଥିବା ରେଡ୍ଡୀ ସମ୍ପ୍ରତି ଦୁଇ ଝିଅ ଓ ପତ୍ନୀଙ୍କ ସହ ନ୍ୟୁୟର୍କରେ ବାସ କରୁଛନ୍ତି ।

ଭରତ ରାମମୂର୍ତ୍ତି – ଭରତ ରାମମୂର୍ତ୍ତି ନାମକ ଅନ୍ୟ ଜଣେ ଭାରତୀୟ ଆମେରିକୀୟଙ୍କୁ ବାଇଡେନ୍‌ ‘ନ୍ୟାସ୍‌ନାଲ୍‌ ଇକୋନୋମିକ୍‌ କାଉନ୍‌ସିଲ୍‌ ଫର୍‌ ଫାଇନାନ୍‌ସିଆଲ୍‌ ରିଫର୍ମ ଆଣ୍ଡ୍‌ କଞ୍ଜୁମର୍‌ ପ୍ରୋଟେକ୍ସନ୍‌’ର ଉପନିର୍ଦେଶକ ଭାବେ ନିଯୁକ୍ତ କରିଛନ୍ତି । ମାସାଚ୍ୟୁସେଟ୍‌ସ୍‌ରେ ଜନ୍ମିତ ରାମମୂର୍ତ୍ତି ହାର୍ଭାର୍ଡ କଲେଜ୍‌ ଏବଂ ୟେଲ୍‌ ଲ’ ସ୍କୁଲରୁ ଡିଗ୍ରି ହାସଲ କରିଛନ୍ତି । ଦୁଇ ଝିଅ ଓ ପତ୍ନୀଙ୍କ ସହ ସେ ମଧ୍ୟ ଓ୍ଵାସିଂଟନ୍‌ ଡିସିରେ ରହୁଛନ୍ତି ।

ଗୌତମ ରାଘବନ – ଭାରତୀୟ-ଆମେରିକୀୟ ଗୌତମ ରାଘବନଙ୍କୁ ‘ଅଫିସ୍‌ ଅଫ୍‌ ପ୍ରେସିଡେନ୍‌ସିଆଲ୍‌ ପର୍ସୋନେଲ୍‌’ର ଉପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି ବାଇଡେନ୍ ‌। ପ୍ରଥମ ପିଢ଼ିର ପ୍ରବାସବାସୀ ରାଘବନ ଭାରତରେ ଜନ୍ମ ହୋଇଥିଲେ ମଧ୍ୟ ସିଟଲ୍‌ରେ ତାଙ୍କର ଲାଳନପାଳନ ହୋଇଥିଲା । ଷ୍ଟାନ‌ଫୋର୍ଡ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିବା ରାଘବନ ପତ୍ନୀ ଓ କନ୍ୟାଙ୍କ ସହ ଓ୍ଵାସିଂଟନ୍‌ ଡିସିରେ ରହୁଛନ୍ତି ।

ମାଳା ଆଡ଼ିଗା – ଫାଷ୍ଟ୍‍ ଲେଡି ଜିଲ୍‌ ବାଇଡେନ୍‌ଙ୍କ ‘ପଲିସି ଡାଇରେକ୍ଟର୍‌’ ଭାବେ ନିଯୁକ୍ତି ପାଇଛନ୍ତି । ଜଣେ ଇଂରାଜୀ ଅଧ୍ୟାପିକା ଭାବେ ଆଡ଼ିଗା ଶିକ୍ଷାନୀତିରେ ସ୍ପେସିଆଲାଇଜେସନ୍‌ କରିଛନ୍ତି । ମାଳା ହେଉଛନ୍ତି ଖାନଦାନି କାକ୍କୁଞ୍ଜେ ଆଡ଼ିଗା ପରିବାର ଦାୟାଦ । କର୍ଣ୍ଣାଟକ ବ୍ୟାଙ୍କ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ସଂସ୍ଥାପକ ସ୍ୱର୍ଗତ ସୂର୍ଯ୍ୟନାରାୟଣ ଆଡ଼ିଗା ଏବଂ ୨୦୦୮ ବୁକର୍‌ ପୁରସ୍କାର ବିଜେତା ଅରବିନ୍ଦ ଆଡ଼ିଗାଙ୍କର ସେ ସମ୍ପର୍କୀୟା ।

ଗରିମା ବର୍ମା –  ଭାରତୀୟ-ଆମେରିକୀୟ ଗରିମା ବର୍ମା ନିଯୁକ୍ତି ପାଇଛନ୍ତି ଜିଲ୍‌ ବାଇଡେନ୍‌ଙ୍କ ଡିଜିଟାଲ୍‌ ନିର୍ଦ୍ଦେଶିକା ଭାବେ। ଭାରତରେ ଜନ୍ମିତା ବର୍ମା ଓହିଓ ଏବଂ ସେଣ୍ଟ୍ରାଲ୍‌ ଭ୍ୟାଲି ଅଫ୍‌ କାଲିଫର୍ଣ୍ଣିଆରେ ଲାଳିତପାଳିତ ହୋଇଥିଲେ। ‘ପାରାମାଉଣ୍ଟ୍‌ ପିକ୍‌ଚର୍ସ’, ‘ଓ୍ଵାଲ୍‌ଟ୍‌ ଡିଜ୍‌ନି କମ୍ପାନି’ର ‘ଏବିସି ନେଟ୍‌ଓ୍ଵାର୍କ’ ଏବଂ ‘ହରାଇଜନ୍‌ ମିଡିଆ’ରେ ସେ କାର୍ଯ୍ୟ କରିଛନ୍ତି।

ତରୁଣ ଛାବ୍ରା – ସେ ଜାତୀୟ ନିରାପତ୍ତା ପରିଷଦ୍‌ରେ ‘ଟେକ୍ନୋଲୋଜି ଆଣ୍ଡ୍‌ ନ୍ୟାସ୍‌ନାଲ୍‌ ସିକ୍ୟୁରିଟି’ରେ ବରିଷ୍ଠ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି । ଟେନିସିରେ ଜନ୍ମିତ ଛାବ୍ରା ଲୁଇସିନିଆରେ ବଢ଼ିଥିଲେ। ସମ୍ପ୍ରତି ସେ ଜର୍ଜଟାଉନ୍‌ ବିଶ୍ୱବିଦ୍ୟାଳୟର ‘ସେଣ୍ଟର୍‌ ଫର୍‌ ସିକ୍ୟୁରିଟି ଆଣ୍ଡ୍‌ ଏମର୍ଜିଙ୍ଗ୍‌ ଟେକ୍ନୋଲୋଜି’ରେ ସିନିଅର୍‌ ଫେଲୋ ଅଛନ୍ତି।

ସୁମନା ଗୁହା – ଦକ୍ଷିଣ ଏସୀୟ ‘ନ୍ୟାସ୍‌ନାଲ୍‌ ସିକ୍ୟୁରିଟି କାଉନ୍‌ସିଲ୍‌’ର ବରିଷ୍ଠ ନିର୍ଦ୍ଦେଶିକା ଭାବେ ନିଯୁକ୍ତ । ସମ୍ପ୍ରତି ସେ ତାଙ୍କର ସ୍ୱାମୀ ଓ ତିନି ପିଲାଙ୍କ ସହ ମେରିଲ୍ୟାଣ୍ଡ୍‌ ଅନ୍ତର୍ଗତ ବିଥେସଡାରେ ବସବାସ କରୁଛନ୍ତି ।

ଶାନ୍ତି କାଲାଥିଲ – ‘ଗଣତନ୍ତ୍ର ଏବଂ ମାନବ ଅଧିକାର’ର ସଂଯୋଜକ ଭାବେ ନିଯୁକ୍ତ । କାଲିଫର୍ଣ୍ଣିଆର ମୂଳ ବାସିନ୍ଦା ଭାରତୀୟ ବଂଶୋଦ୍ଭବ ଶାନ୍ତି ବର୍କିଲିସ୍ଥିତ ୟୁନିଭର୍ସିଟି ଅଫ୍‌ କାଲିଫର୍ଣ୍ଣିଆ ଏବଂ ଲଣ୍ଡନ୍‌ ସ୍କୁଲ୍‌ ଅଫ୍‌ ଇକୋନୋମିକ୍ସ୍‍ ଆଣ୍ଡ୍‌ ପଲିଟିକ୍ସ୍‍ରୁ ସ୍ନାତକ ହାସଲ କରିଛନ୍ତି ।

ସୋନିଆ ଅଗ୍ରଓ୍ଵାଲ – ଇଡେନ୍‌ ପ୍ରଶାସନରେ ‘କ୍ଲାଇମେଟ୍‌ ପଲିସି ଏବଂ ଇନୋଭେସନ୍‌’ରେ ବରିଷ୍ଠ ଉପଦେଷ୍ଟା ଭାବେ ନିଯୁକ୍ତ ହୋଇଛନ୍ତି ‌। ଓହିଓରେ ଜନ୍ମିତା ଏହି ଭାରତୀୟ-ଆମେରିକୀୟ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟରୁ ସିଭିଲ୍‌ ଇଞ୍ଜିନିୟରିଙ୍ଗ‌ରେ ସ୍ନାତକତ୍ତୋର ଡିଗ୍ରି ହାସଲ କରିଛନ୍ତି ।

ସାବ୍ରିନା ସିଂହ ଉପରାଷ୍ଟ୍ରପତି କମଳା ହାରିସ୍‌ଙ୍କ ଡେପୁଟି ପ୍ରେସ୍‌ ସେକ୍ରେଟାରି ଭାବେ ନିଯୁକ୍ତ ପାଇଛନ୍ତି । ପୂର୍ବରୁ ସେ ବାଇଡେନ୍‌-ହ୍ୟାରିସ୍‌ ପ୍ରଚାର ଅଭିଯାନରେ ମଧ୍ୟ ପ୍ରେସ୍‌ ସଚିବ ଭାବେ କାର୍ଯ୍ୟ କରିଛନ୍ତି ।

ଆଇସା ଶାହା – ବାଇଡେନ୍‌ଙ୍କ ‘ହ୍ଵାଇଟ୍‌ ହାଉସ୍‌ ଅଫିସ୍‌ ଅଫ୍‌ ଡିଜିଟାଲ୍‌ ସେକ୍ରେଟେରି’ର ପାର୍ଟନର୍‌ସିପ୍‌ ମ୍ୟାନେଜର ଭାବେ ନିଯୁକ୍ତ। କଶ୍ମୀରରେ ଜନ୍ମିତା ଶାହାଙ୍କର ଲାଳନପାଳନ ହୋଇଥିଲା ଲୁସିଆନାରେ। ଉତ୍ତର କାଲିଫର୍ଣ୍ଣିଆର ଡେଭିଡ୍‌ସନ୍‌ କଲେଜରୁ ସେ ଇଂରାଜୀ ଭାଷା ଓ ସାହିତ୍ୟରେ ଡିଗ୍ରି ହାସଲ କରିଥିଲେ । ସ୍ପେନ୍‌ସ୍ଥିତ ୟୁନିଭର୍ସିଡାଡ୍‌ ଡି ସେଭିଲ୍ଲାରୁ ସେ ସ୍ପାନିସ୍‌ ଭାଷା ମଧ୍ୟ ଅଧ୍ୟୟନ କରିଛନ୍ତି ।

ସମୀରା ଫଜିଲ୍ ହ୍ଵାଇଟ୍‌ ହାଉସ୍‌ର ‘ନ୍ୟାସ୍‌ନାଲ୍‌ ଇକୋନୋମିକ୍‌ କାଉନ୍‌ସିଲ୍‌’ର ଉପ ନିର୍ଦ୍ଦେଶିକା ଭାବେ ନିଯୁକ୍ତ । ପୂର୍ବରୁ ସେ ୟେଲ୍‌ ଲ’ ସ୍କୁଲ୍‌ରେ କ୍ଲିନିକାଲ୍‌ ଲେକ୍‌ଚର୍‌ ଭାବେ କାର୍ଯ୍ୟ କରୁଥିଲେ। ୟେଲ୍‌ ସ୍କୁଲ୍‌ ଅଫ୍‌ ଲ’ରୁ ସେ ଆଇନ୍‌ରେ ଡିଗ୍ରି ହାସଲ କରିବା ସହ ହାର୍ଭାର୍ଡ କଲେଜରୁ ସୋସିଆଲ୍‌ ଷ୍ଟଡିଜରେ ସ୍ନାତକ କରିଛନ୍ତି ।

ବେଦାନ୍ତ ପଟେଲ୍ –  ବାଇଡେନ୍‌ଙ୍କ ସହକାରୀ ପ୍ରେସ୍‌ ସଚିବ ଭାବେ ମନୋନୀତ କରାଯାଇଛି । ହ୍ଵାଇଟ୍‌ ହାଉସ୍‌ ଗଣମାଧ୍ୟମ ବିଭାଗରେ ନିଯୁକ୍ତି ପାଇବାରେ ସେ ହେଉଛନ୍ତି ତୃତୀୟ ଭାରତୀୟ-ଆମେରିକୀୟ । ଭାରତରେ ଜନ୍ମିତ ଓ କାଲିଫର୍ଣ୍ଣିଆରେ ଲାଳିତପାଳିତ ପଟେଲ୍‌ ୟୁନିଭର୍ସିଟି ଅଫ୍‌ କାଲିଫର୍ଣ୍ଣିଆ-ରିଭର୍‌ସାଇଡ୍‌ ଏବଂ ୟୁନିଭର୍ସିଟି ଅଫ୍‌ ଫ୍ଲୋରିଡା ।

ବିଦୁର ଶର୍ମା – ସ୍ୱାସ୍ଥ୍ୟ ନୀତି ବିଶେଷଜ୍ଞ ବିଦୁର ଶର୍ମା ନିଯୁକ୍ତ ହୋଇଛନ୍ତି ବାଇଡେନ୍‌ଙ୍କ ‘କୋଭିଡ୍‌-୧୯ ରେସପନ୍‌ସ‌ ଟିମ୍‌’ର ଟେଷ୍ଟିଙ୍ଗ୍‌ ଆଡଭାଇଜର‌ ଭାବେ ନିଯୁକ୍ତ ହୋଇଛନ୍ତି । ପୂର୍ବରୁ ମଧ୍ୟ ସେ ଓବାମା ପ୍ରଶାସନରେ କାର୍ଯ୍ୟ କରିଥିଲେ ।

ନେହା ଗୁପ୍ତା ହ୍ଵାଇଟ୍‌ ହାଉସ୍‌ କାଉନ୍‌ସେଲ୍‌ ଅଫିସ୍‌ରେ ସହକାରୀ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି । ସେ ହାର୍ଭାର୍ଡ କଲେଜ୍‌ ଆଣ୍ଡ୍‌ ଷ୍ଟାନ୍‌ଫୋର୍ଡ ଲ’ ସ୍କୁଲ୍‌ରୁ ଡିଗ୍ରି ହାସଲ କରିଛନ୍ତି ।

ରୀମା ଶାହା –  ହ୍ଵାଇଟ୍‌ ହାଉସ୍‌ କାଉନ୍‌ସେଲ୍‌ ଅଫିସ୍‌ରେ ଉପ-ସହକାରୀ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି । ସେ ହାର୍ଭାର୍ଡ କଲେଜ୍‌, କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟ ଏବଂ ୟେଲ୍‌ ଲ’ ସ୍କୁଲର ସ୍ନାତକ ହାସଲ କରିଛନ୍ତି ।