ରାଜଧାନୀରେ ପିଲା ବିକ୍ରିର ପର୍ଦ୍ଦାଫାସ୍ କଲା ପୁଲିସ୍: ମାତ୍ର ୧୦ ହଜାର ଟଙ୍କାରେ ହୋଇଥିଲା ଛୋଟ ଛୁଆର ଡିଲ୍, କିଣିଥିଲେ ଇନଫୋସିସ୍ ଇଂଜିନିୟର । କିଣାବିକାରେ ସାମିଲ ଥିବା ୪ ଜଣଙ୍କୁ ବାନ୍ଧିଲା ପୁଲିସ୍ ।

398

କନକ ବ୍ୟୁରୋ: ରାଜଧାନୀରେ ଛୁଆ ବିକ୍ରି ଘଟଣାର ଗୁମର ଫିଟିଲା । ପୋଲିସ ଏହି କିଣାବିକାରେ ସମ୍ପୃକ୍ତି ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା । ଗିରଫ ୪ଜଣଙ୍କ ଭିତରେ ସାମିଲ ଅଛନ୍ତି ଜଣେ ଇନଫୋସିସର ଇଞ୍ଜିନିୟର । ଯିଏ କି ଛୁଆଟିକୁ କିଣିଥିବା ଅଭିଯୋଗ ହୋଇଛି । ଏହି ଛୁଆ ବିକ୍ରି ଘଟଣାରେ ୧୦ ହଜାର ଟଙ୍କାର କାରବାର ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି । ୧୫ଦିନ ପରେ ୨୦ଦିନର ଛୁଆଟି ଉଦ୍ଧାର ହେବା ପରେ ଏବେ ତାକୁ ହସ୍ପିଟାଲରେ ଭର୍ତି କରାଯାଇଛି । ତାର ମା ଏବେ ଛୁଆଟିର ଦେଖାରଖା କରୁଛନ୍ତି ।

ଛୁଆ ବିକ୍ରିର ଏହି ଘଟଣା ଜାଣିଲେ ଆପଣ ବି ତାଜୁବ ହୋଇଯିବେ । ଇନଫୋସିସରେ ଚାକିରି କରିଥିବା ପ୍ରଶାନ୍ତ ଗୋଚ୍ଛାୟାତ, ଯାହାଙ୍କ ନାଁରେ ଛୁଆକୁ କିଣିଥିବାର ଅଭିଯୋଗ ହୋଇଛି । ମାତ୍ର ୧୦ ହଜାର ଟଙ୍କାର କୋର୍ଟ ପେପରରେ ହୋଇଛି ଡିଲ । ଛୁଆକୁ କିଣିବା ପରେ ୧୫ଦିନ ପାଖରେ ରଖିଥିଲେ । ପୋଲିସ ପ୍ରଶାନ୍ତଙ୍କୁ ଗିରଫ କରିବା ସହିତ ଛୁଆକୁ ଉଦ୍ଧାର କରିଛି । ତେବେ ଟଙ୍କା କାରବାର କଥାକୁ ପ୍ରଶାନ୍ତ ଅସ୍ୱିକାର କରିଛନ୍ତି । ଛୁଆ କିଣିଥିବା ବ୍ୟକ୍ତି ପାଖରେ ପହଂଚିବା ମଧ୍ୟ ପୋଲିସ ପାଇଁ ଥିଲା ଏକ ଚ୍ୟାଲେଂଜ । ଛୁଆର ପରିବାର ଲୋକଙ୍କ ଠାରୁ ପ୍ରଶାନ୍ତଙ୍କ ଫୋନ ନମ୍ବର ପାଇଥିବା ପୋଲିସ । ଏହି ନମ୍ବରକୁ ଟ୍ରେସ କରି ତାଙ୍କ ନିକଟରେ ପହଂଚିଥିଲା ପୋଲିସ ।

ଛୁଆ କିଣାବିକାର ଏହି ପ୍ରକ୍ରିୟାରେ ଅଛନ୍ତି ୨ଜଣ ଦଲାଲ । ଜଣେ ଉଚ୍ଚ ଶିକ୍ଷିତ ଦଲାଲ ଏବଂ ଅନ୍ୟ ଜଣେ ଭରତପୁର ବସ୍ତିର ଜଣେ ମହିଳା । ଦଲାଲ ମାନଓ ମହାପାତ୍ରଙ୍କ କହିବା ମୁତାବକ, ପ୍ରଶାନ୍ତ ହେଉଛନ୍ତି ତାଙ୍କର ବନ୍ଧୁ । ଆଉ ବିକ୍ରି କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ତାଙ୍କର ଜଣେ କ୍ଲାଏଂଟ । ପ୍ରଶାନ୍ତଙ୍କ ଛୁଆ ହେଉନଥିବାରୁ ସେ ଏହି ଛୁଆଟିକୁ ପାଳିବାକୁ ନେଇଥିଲେ । ଏହି ଛୁଆ ବିକ୍ରି ମାମଲାରେ ପୋଲିସ ୨ ଦଲାଲ, କିଣିଥିବା ବ୍ୟକ୍ତି ଏବଂ ଛୁଆର ବାପାଙ୍କୁ ମିଶାଇ ମୋଟ ୪ ଜଣଙ୍କୁ ଗିରଫ କରିଛି । ସେପଟେ ଛୁଆର ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ତାକୁ ହସ୍ପିଟାଲରେ ଭର୍ତି କରାଯାଇଛି ।