ସହରରେ ଏକର ଏକର ମୂଲ୍ୟବାନ ସରକାରୀ ଜମି ଜବରଦଖଲକାରୀଙ୍କ କବ୍ଜାରେ। କେବଳ ରାଜ୍ୟ ସରକାରଙ୍କର ନୁହେଁ ଆର୍ଏସ୍ପି ଜମିକୁ ମଧ୍ୟ କିଛି ଦଲାଲ, ରାଜନୈତିକ ଦଳର ନେତା, ଅସାମାଜିକ ବ୍ୟକ୍ତି ମାଡ଼ି ବସିଛନ୍ତି। ନିଜର ବ୍ୟକ୍ତିଗତ ଜମି କହି ଅନ୍ୟମାନଙ୍କୁ ପ୍ଲଟିଂ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ରାଉରକେଲା ସହର ଭିତରେ ଏବଂ ବାହାରେ ଏଭଳି ବେଆଇନ କାର୍ଯ୍ୟ ଜୋର୍ସୋରରେ ଚାଲିଛି। ଉଭୟ ଜିଲ୍ଲା ପ୍ରଶାସନ ଓ ଆର୍ଏସ୍ପି ସହରସେବା ବିଭାଗ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଚୁପ୍ ବସିଛନ୍ତି।
ଛେଣ୍ଡ ଧାମରା ବସ୍ତି, ବାସନ୍ତି କଲୋନି ହେଉ ଅବା ପାନପୋଷ କୋଏଲ ବ୍ୟାଙ୍କ ସବୁଠି ଚାଲିଛି ଏଭଳି ବେଆଇନ କାରକାର୍। ଧାମରା ବସ୍ତିରେ ପ୍ରାୟ ୪୦ ଏକର ସରକାରୀ ଜମି ଜବରଦଖଲକାରୀଙ୍କ କବ୍ଜାରେ ରହିଛି। ଯେଉଁଠି କେବଳ ଘର ନୁହେଁ ଗୋଦାମ, ଟେଣ୍ଟ ହାଉସ୍, ସ୍କ୍ରାପ ଗୋଦାମ୍ ରହିଛି। ରାତାରାତି ଏସବୁ ଜାଗାକୁ ଘର ନିର୍ମାଣ ହେଉଥିଲେ ହେଁ ବିଭାଗୀୟ ଅଧିକାରୀ କେମିତି ଜାଣି ପାରୁ ନାହାନ୍ତି, ତାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ।
ଏବେ ଦେଓଗାଁ ମଙ୍ଗଳା ମନ୍ଦିର ପାର୍ଶ୍ବ ଗଞ୍ଜାମ କଲୋନି ନିକଟରେ ଏକର କି ଦୁଇ ଏକର ନୁହେଁ ପାଖାପାଖି ୧୫ ଏକରରୁ ଅଧିକ ଆର୍ଏସ୍ପି ଜମିକୁ ମାଡ଼ି ବସିଛନ୍ତି ସ୍ଥାନୀୟ ଅଞ୍ଚଳର କିଛି ନେତା ଓ ଅସାମାଜିକ ଯୁବକ। ଯାହାର ଆନୁମାନିକ ବଜାର ମୂଲ୍ୟ ହେବ ପ୍ରାୟ ୨୦ କୋଟିରୁ ଅଧିକ। ଏଥିରୁ ପ୍ରାୟ ୨ ଏକରୁ ଅଧିକ ଜମିକୁ ପ୍ଲଟିଂ କରି ଅନ୍ୟମାନଙ୍କୁ ବିକ୍ରି କରି ଦିଆଯାଇଛି। ଡିସିମିଲ୍ ପିଛା ଦେଢ଼ ଲକ୍ଷରୁ ୨ ଲକ୍ଷ ଟଙ୍କାରେ ବିକ୍ରି କରୁଛନ୍ତି। କହୁଛନ୍ତି, ‘ତୁମେ ଜମି କିଣ, ସୁରକ୍ଷା ଦାୟତ୍ବ ଆମର’। ନିକଟ ଭବିଷ୍ୟତରେ ଏହି ଜାଗାର ପଟ୍ଟା କରାଇଦେବୁ। ଏମିତି ଲୋଭନୀୟ କଥା କହି ସହର ଓ ଏହାର ଆଖପାଖର ବଡ଼ବଡିଆ ଲୋକଙ୍କୁ ଆର୍ଏସ୍ପିର ମୂଲ୍ୟ ଜମିକୁ ଶାଗମାଛ ଦରରେ ଟେକି ଦେଉଛନ୍ତି।
ପ୍ଲଟ କିଣିଥିବା ଲୋକମାନେ ସେଠାରେ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ଅନ୍ୟ କିଛି ଲୋକ ସିମେଣ୍ଟ ଖୁଣ୍ଟି ପୋତି ନିଜ ଦଖଲରେ ରଖିଛନ୍ତି। ନେତା, ଅସାମାଜିକ ଯୁବକଙ୍କ ଏଭଳି ବେଆଇନ କାର୍ଯ୍ୟ ବିରୋଧରେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଆର୍ଏସ୍ପି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମାତ୍ର ଅଦ୍ୟାବଧି ଏମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ସେପଟେ ଆର୍ଏସ୍ପି ସହରର ସେବା ବିଭାଗ ଏମାନଙ୍କ ବିରୋଧରେ କୌଣସି ଠୋସ୍ ପଦକ୍ଷେପ ନେଉ ନଥିବାରୁ ଦଲାଲ୍ମାନେ ଜମିକୁ ପ୍ଲଟିଂ ସହ ବିକି ଚାଳିଛନ୍ତି। ଆର୍ଏସ୍ପି ଲ୍ୟାଣ୍ଡଗାର୍ଡର କିଛି କରିତକର୍ମା କର୍ମଚାରୀ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଦୃଷ୍ଟି ଆଢ଼ୁଆଳରେ ରଖି ଜମି ମାଫିଆଙ୍କୁ ପ୍ରୋତ୍ସାହନ ଦେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ବେଳ ଥାଉ ଥାଉ ଆରଏସ୍ପି ସହରସେବା ବିଭାଗ ଜବରଦଖଲ ରୋକିବା ସହ ସହାୟତା କରୁଥିବା ଲ୍ୟାଣ୍ଡଗାର୍ଡ କର୍ମଚାରୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।