କନକ ବ୍ୟୁରୋ : ଝାରସୁଗୁଡା ଉପ-ନିର୍ବାଚନ ପାଇଁ ଚାଲିଛି ମତଦାନ । ଦିନ ୧୧ଟା ସୁଦ୍ଧା ୨୦.୩୮% ମତଦାନ ହୋଇଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ସକାଳ ୯ଟା ସୁଦ୍ଧା ମତଦାନ ହାର ୯.୭୫% ରହିଥିଲା । ତେବେ ୯ଟାରୁ ୧୧ଟା ମଧ୍ୟରେ ୨ଟି ବୁଥରେ ଭିଭିପାଟରେ ତ୍ରୁଟି ଦେଖିବାକୁ ମିଳିଥିଲା । ୬୨ ନମ୍ବର ଓ ୧୨୮ ନମ୍ବର ଇଭିଏମରେ ଏହି ତ୍ରୁଟି ଦେଖିବାକୁ ମିଳିଥିଲା । ତେବେ ଏହାକୁ ସଙ୍ଗେ ସଙ୍ଗେ ପରିବର୍ତ୍ତନ କରାଯାଇଥିଲା ।
ଦିନ ୧୧ଟା ସୁଦ୍ଧା ୨୪୩୯୮ ପୁରୁଷ ଭୋଟର ଓ ୨୦୭୮୫ ମହିଳା ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଝାରସୁଗୁଡାରେ ଏବେ ୪୦ ଡିଗ୍ରୀ ତାପମାତ୍ରା ରହିଛି । ଆଗକୁ ଏହି ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ବଢିବ । ତେଣୁ ଟିକେ ତାତି କମିଲେ ମତଦାନ ହାର ବଢିବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଏବେ ଝାରସୁଗୁଡାରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଛି । ପ୍ରବଳ ଗରମ ହେଉଥିବାରୁ ପ୍ରଶାସନ ପକ୍ଷରୁ ଭୋଟର ଯେପରି ସମସ୍ୟାର ସମ୍ମୁଖୀନ ନହେବେ ସେଥିପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଇଛି ।
ଦିବ୍ୟାଙ୍ଗ ଓ ବୃଦ୍ଧ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।ଖାସକରି ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ୧୧୮ଟି ବାହନର ବ୍ୟବସ୍ଥା କରାଯାଇଛି । ୨୫୩ ବୁଥରେ ଲାଇଭ ୱେବ୍ କାଷ୍ଟିଂ ଚାଲିଛି । ଯାହାଫଳରେ ପ୍ରତି ବୁଥରେ କେମିତି ଭୋଟଗ୍ରହଣ ଚାଲିଛି ତାହା ଉପରେ ନଜର ରଖାଯ।।ଇଛି । ମତଦାନ ପାଇଁ ନୂତନ ଭୋଟରଙ୍କ ମଧ୍ୟରେ ଉତ୍ସାହ ରହିଛି । ଯେଉଁ ବୁଥରେ ଭିଡ଼ ଅଧିକ ରହିଛି, ଲାଇନରେ ଅଧିକ ସମୟ ଭୋଟରଙ୍କୁ ଛିଡା ହେବାକୁ ପଡୁଛି ସେଠାରେ ପାଣି ସିଞ୍ଚନର ବ୍ୟବସ୍ଥା କରାଯାଇଛି । ତେଣୁ ଭୋଟରଙ୍କ ପାଇର୍ ସମସ୍ତ ପ୍ରକାର ସୁବିଧା କରାଯାଇଥିବାରୁ ଝାରସୁଗୁଡାବାସୀଙ୍କ ଅଧିକ ସଂଖ୍ୟାରେ ଭୋଟ ଦେବାକୁ ଅପିଲ୍ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/Screen-Shot-2023-05-10-at-11.49.03-AM.jpg)