ପୋଲିସ ପୋଷାକ ପିନ୍ଧି ରାସ୍ତାରେ ଚେକିଂ କରୁଥିଲେ ଦୁଇ ଯୁବକ । ହଠାତ ପହଞ୍ଚିଗଲା ଅସଲି ପୋଲିସ, ଉତୁରିଗଲା ପ୍ରାଙ୍କ୍ ଭିଡ଼ିଓ ବନାଇବା ନିଶା ।

284

କନକ ବ୍ୟୁରୋ : ଯୁବପୀଢିଙ୍କୁ ଘାରିଛି ସର୍ଟ ଭିଡିଓ ନିଶା, ଅଭିନୟର ନିଶା । ବିଭିନ୍ନ ପ୍ରସଙ୍ଗରେ ଭିଡିଓ ପ୍ରସ୍ତୁତ କରି ୟୁଟ୍ୟୁବର ବନିବାର ନିଶା । ସୋସିଆଲ ମିଡିଆରେ ଆପଣ ଏମିତି ଅନେକ ଭିଡିଓ ଦେଖିଥିବେ । ଏପରିକି ଅନେକ କଳାକାର ମଧ୍ୟ ଏଭଳି ସର୍ଟ ଭିଡିଓ ପ୍ରସ୍ତୁତ କରି ଲୋକପ୍ରିୟତା ସାଉଁଟିଛନ୍ତି । କିନ୍ତୁ ଏହି ଲୋକପ୍ରିୟତା ସାଉଁଟିବାର ନିଶା ଦୁଇ ଜଣ ୟୁଟ୍ୟୁବରଙ୍କୁ ମହଙ୍ଗା ପଡିଛି । ଏପରିକି ଏହି ଦୁଇଜଣଙ୍କୁ ପୋଲିସ ଗିରଫ କରିଛି । ଆସନ୍ତୁ ଜାଣିବା କଣ ଥିଲା ପୂରା ଘଟଣା ।

ପୋଲିସ ପୋଷାକ ପିନ୍ଧି ଚାଲିଥିଲା ଭିଡିଓ ସୁଟିଂ । ଜଣେ ପିନ୍ଧିଥିଲେ ପୋଲିସ ଇନ୍ସପେକ୍ଟର ପୋଷାକ, ଏବଂ ଆଉ ଜଣେ ପିନ୍ଧିଥିଲେ କନେଷ୍ଟବଳ ପୋଷାକ । ତେବେ ଆପଣ ଭାବୁଥିବେ, ଫିଲ୍ମରେ ବି ତ ଅନେକ କଳାକାର ପୋଲିସ ପୋଷାକ ପିନ୍ଧି ଅଭିନୟ କରନ୍ତି । ତେବେ କାହିଁକି ଏହି ଦୁଇଜଣଙ୍କୁ ଗିରଫ କରାଗଲା । ଏହା ପଛରେ କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଘଟଣାଟି ହେଉଛି ଉତ୍ତରପ୍ରଦେଶ ବରେଲୀର କେଂଟ ଥାନା ଅଞ୍ଚଳର । ନିଜ ୟୁଟ୍ୟୁବ୍ ଚ୍ୟାନେଲ ପାଇଁ ଏହି ଦୁଇ ଜଣ ଯୁବକ ପୋଲିସ ପୋଷାକ ପିନ୍ଧି ପ୍ରାଙ୍କ୍ କରୁଥିଲେ । ଯାହା ତାଙ୍କୁ ମହଙ୍ଗା ପଡିଛି । ପୋଲିସ ଡ୍ରେସ ପିନ୍ଧି ଏମାନେ ମଜାଳିଆ ଭିଡିଓ ପ୍ରସ୍ତୁତ କରୁଥିଲେ । ଆଉ ଯେତେବେଳେ ଘଟଣାସ୍ଥଳରେ ଅସଲି ପୋଲିସ ପହଂଚିଯାଇଥିଲା, ସେତେବେଳେ ଏହି ଦୁଇ ୟୁଟ୍ୟୁବରଙ୍କ ଛାତିରେ ଛନକା ପଶିଥିଲା ।

ଏବେ ଆସନ୍ତୁ ଜାଣିବା ଏହି ଦୁଇ ଜଣ ଯୁବକ, ପୋଲିସ ପୋଷାକ ପିନ୍ଧି କରୁଥିଲେ କଣ । ଏମାନେ ଏକ ପୋଲ ଉପରେ ଛିଡା ହୋଇ ଚେକିଂ କରୁଥିଲେ । ଚେକିଂ ବେଳେ ଯେମିତି ହେଲମେଟ୍ ପିନ୍ଧିନଥିବା ଲୋକମାନେ ଟିକେ ଡରିଯାଆନ୍ତି, ସେହି ଡରର ଦୃଶ୍ୟକୁ ଏମାନେ ସୁଟ୍ କରୁଥିଲେ । ସାଧାରଣତଃ ଆପଣ ରାସ୍ତାରେ ଦେଖିଥିବେ, ଯେମିତି ପୋଲିସ ଛିଡା ହୋଇ ଚେକିଂ କରିଥାଏ, ଠିକ୍ ସେହିଭଳି ଏମାନେ ମଧ୍ୟ ଚେକିଂ କରୁଥିଲେ । ପୋଲ ଉପରେ ଲାଗିଥିଲା ହିଡେନ୍ କ୍ୟାମେରା, ଯାହାକୁ କି ସାଧାରଣ ଲୋକ ଜାଣିପାରିବେ ନାହିଁ । ଏବଂ ଲୋକମାନେ ମଧ୍ୟ ଏମାନଙ୍କୁ ସତସତିକି ପୋଲିସ ବୋଲି ଭାବୁଥିଲେ । ଏହିପରି ଭାବେ ଚାଲିଥିଲା ପ୍ରାଙ୍କ୍ ସୁଟିଂ ।

ଠିକ୍ ଏତିକି ବେଳେ ସେଠାରେ ପହଞ୍ଚିଯାଇଥିଲା ଅସଲି ପୋଲିସ । ଏବଂ ଏହି ଦୁଇ ଜଣ କିଏ ଏବଂ କେଉଁ ଥାନାର ବୋଲି ପଚାରିଥିଲା । ଆଉ ତାପରେ ସାମ୍ନାକୁ ଆସିଥିଲା ସବୁ ସତ । ପ୍ରାଙ୍କ୍ ଭିଡିଓ ପ୍ରସ୍ତୁତ କରିବା ପାଇଁ ଏମାନେ ଏପରି କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିଲେ । ତେବେ ଏହି ଦୁଇ ଯୁବକ ଶିବମ୍ ଏବଂ ଅଶୋକକୁ ପୋଲିସ ଗିରଫ କରିଛି ।