କନକ ବ୍ୟୁରୋ : ଯେଉଁ ହାତ ମାଆର ହାତ ଧରି ଚାଲିବା କଥା ସେଇ ହାତ ଆଜି ମାଆ ମୁହଁରେ ମୁଖାଗ୍ନି ଦେଇଛି । କୁନି କୁନି ହାତରେ ମୁଖାଗ୍ନୀ ଧରି ଜୁଇ ଚାରିପଟେ ପରିକ୍ରମା କରିଥିଲା କୁନି ଝିଅ । କିନ୍ତୁ ସେ ଜାଣିନି ଏଇ ଜୁଇରେ ଯିଏ ଶୋଇଛି, ସେ ହେଉଛି ତା’ ମାଆ । ତା ମୁଣ୍ଡ ଉପରୁ ମାଆର ପଣତକାନି ହଟି ଯାଇଛି । ତା ଓଠର ମାଆ ଶବ୍ଦ ଏଇ ଜୁଇ ନିଆଁରେ ଜଳି ଯାଇଛି । ଖାଲି ଯାହା ଏପଟ ସେପଟ ହୋଇ ଜୁଇ ନିଆଁକୁ ଅନାଉଛି । କଣ ହେଉଛି, କିଛି ବୁଝି ପାରୁନଥିବା ୨ ବର୍ଷ କୁନି ଝିଅ ଏଇ ଏବେ ଏବେ ମଶାଣିରେ ତା ଜନ୍ମଦାତ୍ରୀକୁ ଅନ୍ତିମ ବିଦାୟ ଦେଇ ଆସିଛି ।
ବାପାଙ୍କ ସହ ଝଗଡା କରି ଡାକ୍ତରଖାନା ଯାଇଥିବା ମାଆ ଏଇ ଜୁଇରେ ଜଳୁଛି । ଆଜି ଏମିତି ଏକ ସମ୍ବେଦନଶୀଳ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମାଝିଗୁଡା ଗାଁ ମଶାଣିରେ । ମାଆକୁ କୁନି ଝିଅଟି ଶେଷ ବିଦାୟ ଦେଉଥିବା ଦୃଶ୍ୟଟି ଉପସ୍ଥିତ ଲୋକଙ୍କ ଆଖିରେ ଲୁହ ଭରି ଦେଇଛି । ଯିଏ ଦେଖୁଛି, ସିଏ କାନ୍ଦୁଛି । ଆଉ ଏହି ଜୁଇ ନିଆଁ ପଛରେ ରହିଛି ଯୌତୁକ ନିଆଁ । ତେବେ ଅଭିଯୋଗ ଅନୁସାରେ, କୋକସରା ଥାନା ଅନ୍ତର୍ଗତ ଜୟନ୍ତପୁର ଗାଁର ଦିପେନ ସାଗରଙ୍କ ଝିଅ ଉର୍ମିଳା ସାଗର ୨୦୨୦ ତାରିଖରେ ମାଝିଗୁଡା ଗାଁର ବାଲେଶ୍ୱର ନାଗଙ୍କ ପୁଅ ଜୟନ୍ତ ନାଗଙ୍କୁ ବିବାହ କରିଥିଲେ । ବିବାହ କିଛି ମାସ ହସଖୁସିରେ ସଂସାର ଚାଲିଥିଲା । ବାସ ଏହାପରେ ଆରମ୍ଭ ହୋଇଯାଇଥିଲା ମାନସିକ ଓ ଶାରିରୀକ ନିର୍ଯାତନା ।
ସ୍ୱାମୀ ଜୟନ୍ତ ନାଗ, ଶାଶୁ ଚମ୍ପାବତୀ ନାଗ ଓ ବଡ ଯାଆ କୁଲକି ନାଗ ନିର୍ଯାତନା ଦେଉଥିବା ନେଇ ଉର୍ମିଳା ବାପାଘର ଲୋକଙ୍କୁ ଜଣାଇଥିଲେ । ଗତ ୨୩ ତାରିଖ ଦିନ ଘରକୁ ଫୋନ କରି ଏନେଇ ଜଣାଇଥିଲେ ଉର୍ମିଳା । କହିଥିଲେ, ତାଙ୍କୁ ନେଇ ଯିବା ପାଇଁ । ଆଉ ସେଇ ଦିନ ସଂଧ୍ୟାରେ ଶାଶୁ ଘରୁ ଫୋନ ଆସିଲା, ଝିଅ ନିଆଁରେ ପୋଡି ହୋଇ କୋକସରା ଡାକ୍ତରଖାନାରେ ଭର୍ତି ହୋଇଛି । ଏନେଇ ଖବର ପାଇବା ପରେ ବାପଘର ଲୋକ ମେଡିକାଲରେ ପହଂଚିଥିଲେ । ହେଲେ ସେଠାରେ ପହଂଚିବା ବେଳକୁ ଝିଅର ମୃତ୍ୟୁ ହୋଇସାରିଥିଲା । ଏନେଇ ଝିଅର ପରିବାର ଲୋକ ଅଭିଯୋଗ କରିଛନ୍ତି କି ସ୍ୱାମୀ, ଶାଶୁ ଓ ବଡ ଯାଆ ପେଟ୍ରୋଲ ଢାଳି ତାଙ୍କ ଝିଅକୁ ମାରି ଦେଇଛନ୍ତି ।