ସହାୟତା ଅପେକ୍ଷାର ୨ ବର୍ଷର ବିକାଶ । ଜ୍ୱର ପରେ ନଷ୍ଟ ହୋଇଯାଇଛି ଦୁଇଟି ଆଖି । ପୁଅର ଚିକିତ୍ସା ପାଇଁ ଘର ଡିହ ବନ୍ଧା ପକାଇ ଦାଦନ ଖଟୁଛନ୍ତି ବାପା

119

କନକ ବ୍ୟୁରୋ: ସାହାଯ୍ୟ ଅପେକ୍ଷାରେ କୁନି ପୁଅ । ଚାକଚକ୍ୟ ଦୁନିଆର ରଙ୍ଗୀନ ଆଲୁଅକୁ ଦେଖିବା ଆଗରୁ ଆଖି ଦେଉଛି ଅସହ୍ୟ ଯନ୍ତ୍ରଣା । ପୁଅକୁ ଯନ୍ତ୍ରଣା ମୁକ୍ତ କରିବା ପାଇଁ ଡାକ୍ତରଖାନାରେ ସବୁ ସମ୍ବଳ ଖର୍ଚ୍ଚ କରି ସାରିଲେଣି ଗରିବା ବାପା-ମାଆ । ଏମିତିକି ସେମାନେ ମୁଣ୍ଡ ଗୁଂଜିଥିବା ଘର ଡିହକୁ ବି ବନ୍ଧା ପକାଇ ଦେଇଛନ୍ତି । ତଥାପି ପୁଅ ସୁସ୍ଥ ହେଉନାହିଁ, ବରଂ ଦିନକୁ ଦିନ ତାର ଆଖି ବିକୃତ ହେବା ସହ ଯନ୍ତ୍ରଣା ବଢୁଛି ।

କଅଁଳ ବସୟରେ କଂଟକିତ ଜୀବନ । କୁନି ପୁଅକୁ କଷ୍ଟ ଦେଉଛି ଆଖି । ଜନ୍ମରୁ ସବୁ ଦେଖି ପାରୁଥିବା ବିକାଶ ଜୀବନରେ ଘୋଟି ଆସିଛି ଘନ ଅନ୍ଧାର । ଜ୍ୱରରେ ନଷ୍ଟ ହୋଇଯାଇଛି ଦୁଇଟି ଯାକ ଆଖି । ଆଖିର ଅବସ୍ଥା ଏଭଳି ହୋଇଛି ତାକୁ ଟିଭି ପରଦାରେ ଦେଖାବା ସମ୍ଭବ ହେଉନାହିଁ । ଥରେ ଚିନ୍ତା କରନ୍ତୁ ଯେଉଁ ଦୃଶ୍ୟକୁ ଆମେ ଟିଭି ପରଦାରେ ଦେଖାଇ ପାରୁନୁ, ତା’ହା କେତେ ଯନ୍ତ୍ରଣା ଦାୟକ ।

ଗଂଜାମ ଜିଲ୍ଲା ଭଂଜନଗର ବ୍ଳକ ବାରୁଡ଼ା ଗାଁର ଜୟରାମ ନାଏକ । ସ୍ତ୍ରୀ ଓ ପିଲାଙ୍କୁ ନେଇ ତାଙ୍କ ସଂସାର । କରୋନା କାଳରେ କାମ ନଥାଏ, ସେତିକି ବେଳେ କୁନି ପୁଅ ବିକାଶକୁ ଜ୍ୱର ହୁଏ । ପରବର୍ତୀ ସମୟରେ ସେହି ଜ୍ୱର ତା’ ଆଖିକୁ ପ୍ରଭାବିତ କରିବାରୁ ସଂପୂଣ୍ଣ ଦୃଷ୍ଟିଶକ୍ତି ହରେଇ ବସିଛି ୨ ବର୍ଷର ବିକାଶ । ପୁଅର ଚିକିତ୍ସା ପାଇଁ ସବୁ ସଂଚିତ ଅର୍ଥ ଖର୍ଚ କରିବା ପରେ ୨୦ ହଜାର ଟଙ୍କାରେ ଘର ଡିହ ବନ୍ଧା ପକାଇ ଦେଇଛନ୍ତି ଜୟରାମ । ତଥାପି ପୁଅର ଚିକିତ୍ସା ହୋଇପାରୁନାହିଁ । ତେଣୁ ଅସୁସ୍ଥ ପୁଅକୁ ଘରେ ଛାଡି ଦାଦନ ଖଟିବାକୁ ତାମିଲନାଡୁ ଚାଲି ଯାଇଛନ୍ତି ବାପା । ଆଉ ଯନ୍ତ୍ରଣା ଭିତରେ ଜୁଝି ହେଉଛି ବିକାଶ ।

ବେଳକୁ ବେଳ ଆଖି ଯନ୍ତ୍ରଣା ବଢୁଛି, ରାତିରେ ସୋଇ ପାରୁନାହିଁ ବିକାଶ । ସ୍ଥିତି ଏଭଳି ହୋଇଛି ଯେ, ଗୋଟିଏ ଅଭାବି ପରିବାର ଭୋକ ଦାଉରୁ ବଂଚିବେ ନା ପୁଅକୁ ଯନ୍ତ୍ରଣା ମୁକ୍ତ କରିବେ, କିଛି ବୁଝି ପାରୁନାହାନ୍ତି । ଏଭଳି ସ୍ଥିତିରେ ପ୍ରଶାସନିକ ସ୍ତରରେ ଶିଶୁଟିର ଚିକିତ୍ସା କରାଇଲେ ଭଲ ହୁଅନ୍ତା ବୋଲି ଗ୍ରାମବାସୀ କହିଛନ୍ତି ।