ବେଗୁନିଆ ପୋଲିସର କଳାକାରନାମା : ଦିନରେ ଜବତ କରିଥିବା ବାଣ ଓ ମଦକୁ ରାତି ଅଧରେ ଚାଲାଣ ବେଳେ ଧରିଲେ ସ୍ଥାନୀୟ ଲୋକ

344

କନକ ବ୍ୟୁରୋ : ପଦାରେ ପଡ଼ିଲା ବେଗୁନିଆ ପୋଲିସର କଳାକାରନାମା । ଦିନରେ ଜବତ କରିଥିବା ବାଣ ଓ ମଦକୁ ରାତି ଅଧରେ ଥାନାରୁ ଚାଲାଣ ବେଳେ ଧରିଲେ ସ୍ଥାନୀୟ ଲୋକ । ଘଟଣା ସମ୍ପର୍କରେ ଏସଡିପିଓଙ୍କୁ ଖବର ଦେଇଥିଲେ ଲୋକେ । ଗତକାଲି ଖୋର୍ଦ୍ଧା ବେଗୁନିଆ ପୋଲିସର ବାଣ ଗୋଦାମରେ ଚଢ଼ାଉ କରି ଟ୍ରକ ଟ୍ରକ ବାଣ ଜବତ କରାଯାଇଥିଲା । ଖାଲି ବାଣ ନୁହେଁ ସମାନ ଦିନରେ ଅନ୍ୟ ସ୍ଥାନରେ ଚଢ଼ାଉ କରି ବେଆଇନ୍ ମଦ ଜବତ କରିଥିଲା ପୋଲିସ ।

ଆଉ ଏସବୁକୁ ରାତି ଅଧରେ ବେଗୁନିଆ ଥାନା ପଛପଟ ଗେଟ୍ ଦେଇ ଚୋରା ଚାଲାଣ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡ଼ି ହଟହଟ୍ଟା ହୋଇଥିଲା ପୋଲିସ । ଥାନାରୁ ଜବତ ବାଣ ଏବଂ ମଦକୁ ରାତି ଅଧରେ ଅନ୍ୟ ଏକ ଗାଡ଼ିରେ କାହିଁକି ଯାଉଛି ବୋଲି ଲୋକମାନେ ପ୍ରଶ୍ନ କରିବା ସହ ଗାଡ଼ିକୁ ଅଟକ ରଖି ଖୋର୍ଦ୍ଧା ଏସଡିପିଓଙ୍କୁ ଏନେଇ ଖବର ଦେଇଥିଲେ । ଘଟଣାସ୍ଥଳରେ ଏସଡିପିଓ ପହଞ୍ଚି ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଥାନାରୁ ଜବତ ବାଣ, ମଦ ଚାଲାଣ ସାମିଲ ଥିଲେ ଜଣେ ପୋଲିସ ଡ୍ରାଇଭର, ଥାନାର ଅନ୍ୟ କେତେଜଣ କର୍ମଚାରୀ ।