କନକ ବ୍ୟୁରୋ: ଅଘଟଣ ପରେ ଅଘଟଣ । କାଲି ପଞ୍ଜାବ ଫତେଗଡ, ଆଜି ଦିଲ୍ଲୀ ସରିତା ବିହାର । ଦୁଇ ଦିନରେ ଦୁଇଟି ଟ୍ରେନ ଅଘଟଣର ଖବର । ଗତବର୍ଷ ଜୁନ ମାସରେ ଘଟିଥିଲା କରମଣ୍ଡଳ ଦୁର୍ଘଟଣା । ଆଉ ଚଳିତ ବର୍ଷ ଜୁନରେ ହିଁ ଘଟିଲାଣି ୨ଟି ଟ୍ରେନ ଅଘଟଣ ।

ଜୁନ ଆରମ୍ଭରୁ ଟ୍ରେନ୍ ଯାତ୍ରାରେ ଖାଲି ଅଘଟଣ ପରେ ଅଘଟଣ । କାଲି ପଞ୍ଜାବରେ ଟ୍ରେନ୍ ଦୁର୍ଘଟଣା ହୋଇଥିବା ବେଳେ ଆଜି ପୁଣି ଏକ ଟ୍ରେନ୍ ଅଘଟଣର ଖବର ଦିଲ୍ଲୀରୁ ଆସିଛି । ତାଜ୍ ଏକ୍ସପ୍ରେସରେ ଭୟଙ୍କର ନିଆଁ ଲାଗିଛି । ଚାହୁଁଚାହୁଁ ଟ୍ରେନର ୪ଟି ବଗି ହୁତୁହୁତୁ ହୋଇ ଜଳିଯାଇଛି ।

ତେବେ ତୋଗଲକାବାଦ-ଓଖଲା ମଧ୍ୟରେ ତାଜ୍ ଏକ୍ସପ୍ରେସ ଯାଉଥିବା ବେଳେ ହଠାତ୍ ଅଗ୍ନିକାଣ୍ଡ ହୋଇଥିଲା । କେମିତି ନିଆଁ ଲାଗିଛି କିଛି କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ନିଆଁକୁ ୫ଟି ଦମକଳ ବାହିନୀ ଦ୍ୱାରା ଆୟତ୍ତ କରାଯାଇଛି । ଆଉ ସମୟ ପୂର୍ବରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବାରୁ ପୁଣି ଏକ ବଡ ଦୁର୍ଘଟଣା ଟଳିଯାଇଛି ।

ଗତକାଲି ବାହାନଗା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାକୁ ବର୍ଷେ ପୂରିଥିବା ବେଳେ ଗତକାଲି ହିଁ ପଞ୍ଜାବ ଫତେଗଡରେ ଏକ ଟ୍ରେନ୍ ଦୁର୍ଘଟଣା ଦେଖିବାକୁ ମିଳିଥିଲା । ଦୁଇଟି ମାଲବାହୀ ଟ୍ରେନ ଏବଂ ଗୋଟିଏ ପାସେଞ୍ଜର ଟ୍ରେନ୍ ଭିତରେ ଦୁର୍ଘଟଣା ହୋଇଥିଲା । ଦୁଇଟି କୋଇଲା ବୋଝେଇ ମାଲବାହୀ ଟ୍ରେନ ଟ୍ରାକରେ ଛିଡା ହୋଇଥିବା ବେଳେ ଗୋଟିଏ ଅନ୍ୟକୁ ଧକ୍କା ଦେବା ପରେ ତାଉପରେ ଛଡିଯାଇଥିଲା । ଏବଂ ସେହି ସମୟରେ ଅମ୍ବାଲାରୁ ଜମ୍ମୁ ତବୀ ଯାଉଥିବା ପାସେଞ୍ଜର ଟ୍ରେନ୍ ଉପରେ ମାଲଗାଡି ଇଞ୍ଜିନଟି ଓଲଟିପଡି ଚାପି ହୋଇଥିଲା । ଦୁର୍ଘଟଣାରେ ୨ ଲୋକୋ ପାଇଲଟ ଆହତ ହେବା ଛଡା ପାସେଞ୍ଜର ଟ୍ରେନରେ ଥିବା ଯାତ୍ରୀଙ୍କର କୌଣସି କ୍ଷତି ହୋଇ ନଥିଲା ଏବଂ ଗତକାଲି ମଧ୍ୟ ଏକ ବିରାଟ ଅଘଟଣ ଅଳ୍ପରେ ଟଳିଯାଇଥିଲା ।

୨୦୨୩, ଜୁନ ୨ ତାରିଖରେ ବାହାନଗାରେ ଶତାବ୍ଦୀର ବଡ ଟ୍ରେନ୍ ଦୁର୍ଘଟଣା ଦେଶବାସୀଙ୍କ ମନରୁ ଲିଭି ନଥିବା ବେଳେ ଗତକାଲି ପଞ୍ଜାବର ଟ୍ରେନ ଦୁର୍ଘଟଣା ସମାନ ତାରିଖରେ ଘଟି ଯାତ୍ରୀଙ୍କ ମନରେ ଭୟ ବଢାଇ ଦେଇଥିଲା ଆଉ ଆଜି ଦିଲ୍ଲୀରେ ପୁଣି ଏକ ଟ୍ରେନ୍ ଅଘଟଣ ଯାତ୍ରୀଙ୍କ ମନରେ ଛନକା ଭରିଛି ।