କନକ ବ୍ୟୁରୋ : ମଙ୍ଗଳବାର ଦିନ ଜମ୍ମୁ-କଶ୍ମୀରର ଶୋପିଆଁ ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଏ ନେଇ ଜମ୍ମୁ-କଶ୍ମୀର ପୁଲିସ ପକ୍ଷରୁ କୁହାଯାଇଛି।

Advertisment

ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଶୋପିଆଁ ଜିଲ୍ଲାର ଜୈନପୋରା ଅଞ୍ଚଳର ସୁଗାନ୍ ଗ୍ରାମରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ବୋଲି ପୁଲିସ ମୁଖପାତ୍ର କହିଛନ୍ତି। ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚିବା ପରେ ସୁରକ୍ଷା ବାହିନୀ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ।

ଏହାର ଜବାବ ଦେବାକୁ ଯାଇ ସୁରକ୍ଷା ବାହିନୀ ପକ୍ଷରୁ ଗୁଳି ଚଳାଯାଇଥିବା ବେଳେ ଏହି ଗୁଳି ବିନିମୟରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣା ପଡ଼ିଛି। ତେବେ ସେହି ଅଞ୍ଚଳରେ ଅନ୍ୟ ଆତଙ୍କବାଦୀ ଲୁଚି ରହିଛନ୍ତି କି ନାହିଁ ଜାଣିବା ପାଇଁ ଏବେ ସର୍ଚ୍ଚ ଅପରେସନ ଜାରି ରହିଛି। ଏହି ଏନକାଉଣ୍ଟରରେ କୌଣସି ଯବାନଙ୍କ ମୃତାହତ ହୋଇଥିବା ଖବର ମିଳି ନାହିଁ।