କନକ ବ୍ୟୁରୋ : ସୁଧୁରୁନି ପାକିସ୍ତାନ । ପାକିସ୍ତାନ ପାପର ପର୍ଦ୍ଦାଫାସ ହୋଇଛିା ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ରାଷ୍ଟ୍ରୀୟ ରାଜଧାନୀରେ ବଡ ଆତଙ୍କବାଦୀ ଆକ୍ରମଣ ଯୋଜନା ଉଦ୍ୟମକୁ ବିଫଳ କରିଛି । ଗିରଫ ହୋଇଛନ୍ତି ଜୈଶ-ଏ-ମହମ୍ମଦର ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ । ସେମାନଙ୍କ ନିକଟରୁ ବିସ୍ଫୋରକ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି ।
ପଚରାଉଚରାବେଳେ ଜଣାପଡିଛି ଯେ, ଦୁଇଜଣ ଆତଙ୍କବାଦୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଆକ୍ରମଣ ପାଇଁ ଯୋଜନା କରୁଥିଲେ । ଏମାନଙ୍କ ଟାର୍ଗେଟରେ ଅନେକ ଭିଆଇପି ଥିଲେ । ଦିଲ୍ଲୀରେ ବଡ ବିସ୍ଫୋରଣ ପାଇଁ ବି ଯୋଜନାରେ ଥିଲେ । ଜଣେ ଆତଙ୍କବାଦୀ କାଶ୍ମୀରର ପୁଲୱାମାରେ ହୋଇଥିବାବେଳେ ଅନ୍ୟଜଣେ କୁପୱାରରେ ହୋଇଥିବା ସୂଚନା ମିଳିଛି ।
କୁହାଯାଉଛି, ସୋସିଆଲ ମଡିଆ ଜରିଆରେ ଏମାନେ ଆତଙ୍କବାଦୀ ସଙ୍ଗଠନରେ ସାମିଲ ହୋଇଥିଲେ । ଏମାନେ ଅନେକ ଥରେ ପାକିସ୍ତାନ ଯିବା ପାଇଁ ସୀମାପାର ଉଦ୍ୟମ କରିଥିବା ବି ଜଣାଯାଇଛି । ତେବେ କଡା ସୁରକ୍ଷା ଯୋଗୁଁ ଏହା ସମ୍ଭବ ହୋଇପାରିନଥିଲା । ଏମାନଙ୍କ ବୟସ ୨୦ରୁ ୨୨ ବର୍ଷ ବୋଲି ଜଣାପଡିଛି । କୌଣସି ସୁତ୍ରରୁ ଖବର ମିଳିବା ପରେ ଏକ ପାର୍କ ନିକଟରୁ ଦୁଇଜଣଙ୍କୁ ଧରିଛି ଦିଲ୍ଲୀ ପୁଲିସ ।