ଯେବେ ପ୍ରତିରକ୍ଷା ମନ୍ତ୍ରୀ ଥିଲେ ପାରିକର ! ନାକରେ ପାଣି ପିଇଥିଲେ ଆତଙ୍କବାଦୀ, ପାକିସ୍ତାନ ଓ ମିଆଁମାରରେ ହୋଇଥିଲା ସର୍ଜିକାଲ ଷ୍ଟ୍ରାଇକ

340

କନକ ବ୍ୟୁରୋ : ପରପାରିରେ ପାରିକର । ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ୬୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦେଶ ନିଜର ବୀର ପୁଅକୁ ହରାଇଛି । ରାଜନୀତିରେ ସରଳ ସ୍ୱଭାବର ଏହି ନେତା ଦେଶ ପ୍ରତି ବର୍ଗର ଲୋକଙ୍କ ମନରେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡିଛାନ୍ତି । ୪ଥର ଗୋଆର ମୁଖ୍ୟମନ୍ତ୍ରୀ ଓ ଥରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ୱ ତୁଳାଇଥିବା ପାରିକର ଏବେ ଚିରନିଦ୍ରାରେ । ତେବେ ତାଙ୍କର କାର୍ଯ୍ୟଶୈଳୀ ପୂରା ତାଙ୍କୁ ଦେଶବାସୀଙ୍କ ମନରେ ସବୁବେଳେ ଜୀବିତ ରଖିବ ।

ପ୍ରତିରକ୍ଷା ମନ୍ତ୍ରୀ ଥିବା ବେଳେ ପାରିକର ଯେଉଁ ଅଦ୍ୟମ ସାହସ ଦେଖାଇଛନ୍ତି ତାହାକୁ ଆଜି ପର୍ଯ୍ୟନ୍ତ ପୂରା ଦେଶବାସୀ ସଲାମ କରୁଛନ୍ତି । ୨୦୧୪ରେ କେନ୍ଦ୍ରରେ ମୋଦି ସରକାର ଆସିବା ପରେ ପାରିକରଙ୍କୁ ଖୋଜା ପଡିଥିଲା । ପାରିକରଙ୍କ ହାତରେ ଦେଶର ସୁରକ୍ଷା ଦାୟିତ୍ୱ ଦେଇଥିଲେ ମୋଦି । ଆଉ ଏହାକୁ ବେଶ ସଫଳତାର ସହ ତୁଲାଇଥିଲେ ପାରିକର । ରକ୍ଷା ମନ୍ତ୍ରୀ ଥିବା ବେଳେ ଭାରତୀୟ ସେନାର ୨ଟି ବଡ ଅପରେସନକୁ ଗ୍ରୀନ୍ ସିଗନାଲ ଦେବା ସହ ଏହାକୁ ସଫଳ କରିଥିଲେ ପାରିକର ।

ଉରୀ ଆତଙ୍କବାଦୀ ଆକ୍ରମଣ ପରେ ନଭେମ୍ବର ୨୦୧୭ରେ ଭାରତୀୟ ସେନା ପାକିସ୍ତାନ ସୀମା ମଧ୍ୟରେ ପଶି ଯେଉଁ ସର୍ଜିକାଲ ଷ୍ଟ୍ରାଇକ କରିଥିଲା ତାହା ପଛର ମୁଖ୍ୟ ବିନ୍ଧାଣୀ ଥିଲେ ପାରିକର । ସର୍ଜିକାଲ ଷ୍ଟ୍ରାଇକ କରି ଆତଙ୍କୀ ଶିବିରକୁ ମାଟିରେ ମିଶାଇ ଦେଇଥିଲେ ଭାରତର ବୀର ଯବାନ । ଏହି ଅପରେସନରେ ପାରା ସ୍ପେଶାଲ ଫୋର୍ସର ୨୫ ଜଣ କମାଣ୍ଡୋ ଏମଆଇ-୧୭ ହେଲିକପ୍ଟରରେ ପିଓକେରେ ତିନି କିଲୋମିଟର ଭିତରକୁ ପ୍ରବେଶ କରି ଆତଙ୍କବାଦୀଙ୍କୁ ନିପାତ କରିଥିଲେ ।

ଏହାପୂର୍ବରୁ ୪ ଜୁନ୍ ୨୦୧୫ରେ ମଣିପୁରର ଚନ୍ଦେଲ ଜିଲ୍ଲାରେ ଉଗ୍ରବାଦୀଙ୍କ ଆକ୍ରମଣରେ ୧୮ ଜଣ ଯବାନ ସହିଦ ହୋଇଥିଲେ । ତେଣୁ ଏହାର ପ୍ରତିଶୋଧ ନେବାକୁ ମିଆଁମାର ସୀମାରେ ଲୁଚି ରହିଥିବା ଉଗ୍ରବାଦୀଙ୍କୁ ନିପାତ କରିବାକୁ ଭାରତୀୟ ପାରାକମାଣ୍ଡୋ ମାନେ ଆରମ୍ଭ କରିଥିଲେ ଅପରେସନ । ଆଉ ଏହି ଅପରେସନ ମଧ୍ୟ ପାରିକରଙ୍କ କାର୍ଯ୍ୟକାଳ ମଧ୍ୟରେ ହୋଇଥିଲା । ଭାରତୀୟ ପାରାକମାଣ୍ଡୋ ମାନେ ମିଆଁମାର ସୀମାରେ ପଶି ଦୁଇଟି ଆତଙ୍କୀ ଶିବିରକୁ ଧ୍ୱଂସ କରିଥିଲେ । ଯେଉଁଥିରେ ପ୍ରାୟ ୧୦୦ ଜଣ ଉଗ୍ରବାଦୀ ନିପାତ ହୋଇଥିଲେ । ଏହି ଅପରେସନରେ ୭୦ ଜଣ କମାଣ୍ଡୋ ସାମିଲ ଥିଲେ ଓ ଏହା ପ୍ରାୟ ୪୦ ମିନିଟ ଧରି ଚାଲିଥିଲା । ତେବେ ୨୦୧୭ ମସିହାରେ ଗୋଆରେ ରାଜନୈତିକ ସଙ୍କଟ ଦେଖା ଦେବାରୁ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଗୋଆକୁ ଫେରିଥିଲେ ପାରିକର । କିନ୍ତୁ ପ୍ରତିରକ୍ଷା ମନ୍ତ୍ରୀ ଥିବା ସମୟରେ ପାରିକର ଯେଉଁ ସାହସ ଦେଖାଇଥିଲେ ତାହାକୁ ଆଜି ପୂରା ଦେଶବାସୀ ସଲାମ କରୁଛନ୍ତି ।